ଲୁମ୍ବିନୀ ବିହାର ଅଞ୍ଚଳରୁ ଯୁବତୀଙ୍କୁ ଅପହରଣ
୧୦ ଘଣ୍ଟା ପରେ ଅପହୃତା ଉଦ୍ଧାର; ଅପହରଣକାରୀ ଫେରାର
ଭୁବନେଶ୍ୱର, ୨୩ା୧୨ : ଗତକାଲି ତଥା ରବିବାର ବିଳମ୍ବିତ ରାତିରେ ଲୁମ୍ବିନୀ ବିହାର ଅଞ୍ଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ପ୍ରାୟ ୧୦ ଘଣ୍ଟା ପରେ ଭୁବନେଶ୍ୱର ଭିତରୁ ଉଦ୍ଧାର କରିଛି ପୁଲିସ । ପରେ ଉଦ୍ଧାର ଯୁବତୀଙ୍କୁ ମୈତ୍ରିବିହାର ଥାନାରେ ପଚରାଉଚରା କରାଯାଉଛି । ତେବେ କିଏ ଓ କାହିଁକି ଏହି ଅପହରଣ କରିଥିଲା, ଏହା ପଛର କାରଣ କ’ଣ ତା’ ଉପରୁ ପରଦା ହଟାଇ ପାରିନାହିଁ ପୁଲିସ ଓ ଅପହରଣକାରୀଙ୍କୁ ମଧ୍ୟ ଠାବ କରିବାରେ ସଫଳ ହୋଇନାହିଁ ମୈତ୍ରୀବିହାର ପୁଲିସ ।
ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ବେଳେ ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ଲୁମ୍ବିନୀ ବିହାର ଘରକୁ ଫେରୁଥିଲେ । କାରଣ ଯୁବକଙ୍କ ଘର ନିଳାଦ୍ରୀବିହାର ଅଞ୍ଚଳରେ ହୋଇଥିବା ବେଳେ, ଯୁବତୀଙ୍କ ଘର ମଧ୍ୟ ସେହି ଆଖପାଖ ଅଞ୍ଚଳରେ । ସେତିକି ବେଳେ, ହଠାତ ୪ଜଣ ଯୁବକ ଏକ କାରରେ ଆସି ଉଭୟଙ୍କୁ ଅଟକାଇ ଯୁବତୀଙ୍କୁ କାର ଭିତରକୁ ଟେକି ନେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ତାଙ୍କ ପୁରୁଷ ବନ୍ଧୁ ଏହାର ପ୍ରତିବାଦ କରି ଯୁବତୀଙ୍କୁ ଉଦ୍ଧାର ପାଇ ଚେଷ୍ଟା କରିଥିଲେ । କିନ୍ତୁ ଅଭିଯୁକ୍ତମାନେ ତାଙ୍କୁ ଏକ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁ ଲୁହାଣ କରି ଯୁବତୀଙ୍କୁ ଅପହରଣ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଖବର ପାଇ କଣ୍ଟ୍ରୋଲ ରୁମ୍ର ପିସିଆର ଘଟଣା ସ୍ଥଳରେ ପହଞ୍ଚି ଆହତ ପୁରୁଷ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ଏହା ପରେ ମୈତ୍ରୀବିହାର ଥାନା ପୁଲିସ ଘଟଣାର ତଦନ୍ତ ଚଳାଇ ଘଟଣା ସ୍ଥଳରେ ଲାଗିଥିବା କିଛି ସିସିଟିଭି ଫୁଟେଜକୁ ଯାଞ୍ଚ କରି ପ୍ରାୟ ୧୦ ଘଣ୍ଟା ପରେ ଉକ୍ତ ଯୁବତୀଙ୍କୁ ବରମୁଣ୍ଡା ଅଞ୍ଚଳରୁ ଆଜି ଉଦ୍ଧାର କରିଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଅପହରଣକାରୀ ମାନଙ୍କ ଟେର ପାଇପାରିନାହିଁ ପୁଲିସ । ଅନ୍ୟପଟେ ଉଦ୍ଧାର ଯୁବତୀଙ୍କୁ ପୁଲିସ ଘଟଣା ବିଷୟରେ ଓ ସେମାନେ କାର୍ହିକି ଅପହରଣ କଲେ ସେ ନେଇ ଥାନାରେ ପଚରାଉଚରା ଚଳାଇଛି ।