ରାଜନୀତିରେ ଶିକ୍ଷକ ବଦଳି
ସରକାରୀ ଶିକ୍ଷକମାନଙ୍କର ବିଭିନ୍ନ ଗ୍ରାମାଞ୍ଚଳରେ ପୋଷ୍ଟିଂ ହେଉଥିବାରୁ ସେମାନଙ୍କୁ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ବିଦ୍ୟାଳୟ ରହିଥିବା ଗ୍ରାମରେ ସେମାନଙ୍କ ରହିବା ପାଇଁ ଭଡ଼ାଘର ଖଣ୍ଡିଏ ମିଳେ ନାହିଁ । ଏଣେ ବିଦ୍ୟାଳୟରେ ଶିକ୍ଷକମାନଙ୍କ ପାଇଁ କ୍ୱାର୍ଟର୍ର ବ୍ୟବସ୍ଥା ନାହିଁ । ତେଣୁ ବାଧ୍ୟ ହୋଇ ସେମାନେ ନିକଟବର୍ତ୍ତୀ ସହରାଞ୍ଚଳରେ ଘରଭଡ଼ା ନେଇ ରହନ୍ତି ଏବଂ ଖରା, ବର୍ଷା, ଶୀତ, କାକରରେ ସହରରୁ ଆସି ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟରେ ପାଠ ପଢ଼ାନ୍ତି । ସେମାନଙ୍କ ଘର ଠାରୁ ବିଦ୍ୟାଳୟକୁ ଆସିବାକୁ ହେଲେ ଅନେକ କ୍ଷେତ୍ରରେ ସରକାରୀ ଯାତ୍ରୀବାହୀ ଗାଡ଼ି କିମ୍ବା ଘରୋଇ ଯାତ୍ରୀବାହୀ ଯାନ ଉପରେ ନିର୍ଭର କରିବାକୁ ପଡ଼େ । ନହେଲେ ନିଜେ ଦୁଇଚକିଆ ଯାନ କିଣି ଯିବା ଆସିବା କରିବାକୁ ବାଧ୍ୟ ହୁଅନ୍ତି । ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ଏବଂ ପାର୍ବତ୍ୟାଞ୍ଚଳ ଗୁଡ଼ିକରେ ପୋଷ୍ଟିଂ ହେଉଥିବା ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ରହିବାକୁ ଘର ନଥିବା ସ୍ଥଳେ ସେମାନେ ଦୀର୍ଘପଥ ଅତିକ୍ରମ କରି ବିଦ୍ୟାଳୟରେ ପହଞ୍ଚିବା ବେଳକୁ ବିଳମ୍ବ ହୁଏ । ନଚେତ୍ ସେହି ବିଦ୍ୟାଳୟରେ ହିଁ ରହିବାକୁ ବାଧ୍ୟ ହୁଅନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କର ସୁବିଧା ଥିବା ଅଞ୍ଚଳକୁ ବଦଳି ହେବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କରନ୍ତି । ଉଚ୍ଚ କର୍ତ୍ତୃପକ୍ଷ କିନ୍ତୁ ଏ ପ୍ରକାରର ଅନୁରୋଧ ଗୁଡ଼ିକୁ କ୍ୱଚିତ୍ ଶୁଣନ୍ତି । ଏମତି ବି ଅନେକ ଦୁର୍ଗମ ସ୍ଥାନ ଅଛି ଯେଉଁଠାରେ କି ଶିକ୍ଷକ ଶିକ୍ଷୟତ୍ରୀମାନେ ଚାକିରି ଆରମ୍ଭ କରିବା ଦିନ ଠାରୁ ହିଁ ଚାକିରି ଶେଷ ହେବା ପର୍ଯ୍ୟନ୍ତ ବଦଳିକୁ ଅପେକ୍ଷା କରିଥିଲେ ବି ବଦଳି ହୁଏ ନାହିଁ ।
ଶିକ୍ଷକ, ଶିକ୍ଷୟତ୍ରୀମାନେ ଦୁର୍ଗମ ଅଞ୍ଚଳରେ କେଉଁ ପରିସ୍ଥିତିରେ ରହି ପାଠପଢ଼ା କାମ କରୁଛନ୍ତି ସେ ସମ୍ପର୍କରେ କେହି କେବେ ସମୀକ୍ଷା କରନ୍ତି ନାହିଁ । ପାଠପଢ଼ା କାହିଁକି ନହେଲା ତାକୁ ନେଇ ସମସ୍ତେ ଶିକ୍ଷକମାନଙ୍କ ଉପରେ ନିଜର ଆଧିପତ୍ୟ ଦେଖାନ୍ତି । ଏଭଳି ପରିସ୍ଥିତିରେ ଶିକ୍ଷାର ମାନ କାହିଁକି ଖରାପ ହେଉଛି ବୋଲି ଅନେକ ଲୋକ ପ୍ରଶ୍ନ କରୁଛନ୍ତି । ସହରାଞ୍ଚଳର ବିଦ୍ୟାଳୟ ଗୁଡ଼ିକରେ କେବେ କୌଣସି ସମସ୍ୟା ନଥାଏ । ସବୁତକ ସମସ୍ୟା ଗ୍ରାମାଞ୍ଚଳରେ ଏବଂ ଦୁର୍ଗମ ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡ଼ିକରେ । ଅନେକ ସମୟରେ ତ ବଦଳି ଅର୍ଡର୍ ହେଲେ ମଧ୍ୟ ରିଲିଭର୍ ଅଭାବରୁ ବର୍ଷ ବର୍ଷ ଧରି ଅର୍ଡର୍ ସେମିତି ଗଡୁଥାଏ, ମାତ୍ର କାର୍ଯ୍ୟକାରୀ ହୋଇପାରେ ନାହିଁ ।
ଏଭଳି ସମସ୍ୟାର ସମାଧାନ ପାଇଁ ଏବେ ନିକଟରେ ରାଜ୍ୟ ସରକାର ସ୍ଥାନୀୟ ବିଧାୟକମାନଙ୍କ ସୁପାରିଶ୍ରେ ଶିକ୍ଷକମାନଙ୍କ ବଦଳି କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି । ଏଭଳି ନିଷ୍ପତ୍ତି ସିଧାସଳଖ ଶିକ୍ଷକ ବଦଳିରେ ରାଜନୀତିକ ହସ୍ତକ୍ଷେପକୁ ସରକାରୀ ଭାବରେ ପ୍ରୋତ୍ସାହିତ କରୁଛି । ଦ୍ୱିତୀୟ ସମସ୍ୟାଟି ହେଲା ସ୍ଥାନୀୟ ବିଧାୟକ ବର୍ଷକୁ ମାତ୍ର ୧୫ ଜଣଙ୍କର ବଦଳି ପାଇଁ ସୁପାରିଶ୍ କରିପାରିବେ ବୋଲି ନିଦେ୍ର୍ଦଶ ରହିଛି । ହେଲେ ରିଲିଭର୍ ନଥିଲେ ମନ୍ତ୍ରୀ କିମ୍ବା ବିଧାୟକଙ୍କ ସୁପାରିଶ୍ କିଭଳି କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ କିଛି ନିଷ୍ପତ୍ତି ନିଆଯାଇନାହିଁ । ଏଭଳି ଏକ ନିଷ୍ପତ୍ତି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଦୁର୍ନୀତିକୁ ପ୍ରଶୟ ଦେବ ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରିଲେଣି । ବିଧାନସଭାରେ ପ୍ରଶ୍ନ ପାଇଁ ଟଙ୍କା ଦାବି ଭଳି ଶିକ୍ଷକମାନଙ୍କ ବଦଳି ପାଇଁ ଟଙ୍କା ଦାବି ହେବା ଘଟଣାକୁ ସରକାରୀ ସ୍ୱୀକୃତି ମିଳିଗଲା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଲାଣି । ଏସବୁ ବାଦେ ସବୁଠାରୁ ବଡ଼ ସମସ୍ୟା ହେଲା ଶିକ୍ଷକଙ୍କ ଅଭାବ । ଶିକ୍ଷକମାନଙ୍କ ନିଯୁକ୍ତି କ୍ଷେତ୍ରରେ ଜିଲ୍ଲାର ପ୍ରାର୍ଥୀଙ୍କୁ ଜିଲ୍ଲାରେ ପୋଷ୍ଟିଂ କରିବା ଭଳି ଜିଲ୍ଲାଭିତ୍ତିକ ନିଯୁକ୍ତି ହେବାର ଆବଶ୍ୟକତା ରହିଛି । ଦେଖାଯାଉଛି ଯେ ଉପକୂଳବର୍ତ୍ତୀ ଜିଲ୍ଲାର ଶିକ୍ଷକଙ୍କୁ କୋରାପୁଟ, ବଲାଙ୍ଗିର, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଆଦି ଅଞ୍ଚଳର ଦୁର୍ଗମ ସ୍ଥାନରେ ଥିବା ବିଦ୍ୟାଳୟକୁ ବଦଳି କରାଯାଉଛି । ଏକ ଯୁକ୍ତିସଙ୍ଗତ ବଦଳି ନୀତି ନରହିଲେ ବ୍ୟବସ୍ଥା ଦୁର୍ନୀତିରେ ପରିପୂର୍ଣ୍ଣ ହୋଇଯିବ ।