ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ିବ କେବେ? ଅଭିଭାବକଙ୍କୁ ରାସ୍ତାପାରି ଡର, ହାତଧରି ସ୍କୁଲକୁ ନେଉଛନ୍ତି
ରଗଡି : ଫୁଟ ଓଭରବ୍ରିଜ ନିର୍ମାଣ ହେଉ, ଏଭଳି ଦାବି ବର୍ଷବର୍ଷ ଧରି ଅଭିଭାବକ ମହଲରୁ ଦାବି ହୋଇ ଆସୁଛି । ହେଲେ ରାଜପଥ କର୍ତୁପକ୍ଷ ଦାବିକୁ କର୍ଣ୍ଣପାତ କରୁନି କି ଜିଲା ପ୍ରଶାସନ ମଧ୍ୟ ଦାବିକୁ ଗୁରୁତ୍ୱ ଦେଉନି । ସୁରକ୍ଷିତ ଭାବେ ସ୍କୁଲ ଏବଂ ଘରେ ପହଁଚିବା ପାଇଁ ଅଭିଭାବକ ଛାତ୍ରଛାତ୍ରୀଙ୍କୁ ହାତଧରି ରାଜପଥ ପାରି କରାଉଛନ୍ତି । ଏଭଳି ଭାବେ ସହସହ ଛାତ୍ରଛାତ୍ରୀ ସ୍କୁଲକୁ ପାଠବଢିବାକୁ ଯାଉଥିବାର ଖବର ରାଜପଥ କର୍ତୁପକ୍ଷ ଏବଂ ଜିଲା ପ୍ରଶାସନ ପାଖରେ ଥିଲେ ବି ସେମାନଙ୍କ ପକ୍ଷରୁ ଭବିଷ୍ୟପୀଢିଙ୍କ ଭବିଷ୍ୟତ ଚିନ୍ତା କରିବାକୁ ଆଗ୍ରହଦେଖାଉ ନାହାନ୍ତି । ଭବିଷ୍ୟତ ଗଢିବାକୁ କୋରେଇ ବ୍ଲକର ପାଣିକୋଇଲି ଠାରୁ ଅନ୍ଧାରୀ ମଧ୍ୟରେ ଏକାଧିକ ସ୍କୁଲର ଛାତ୍ରଛାତ୍ରୀ ଦୈନନ୍ଦିନ ଦୁଇ ଦୁଇଟି ରାସ୍ତା ପାର ହୋଇ ବିପଦ ସଂକୁଳ ଅବସ୍ଥାରେ ପାରି ହୋଇ ସ୍କୁଲକୁ ଯାଉଛନ୍ତି । ତଳଗଡ଼ ସରକାରୀ ଉପ୍ରା ସ୍କୁଲ, ଅନ୍ଧାରୀ ପଂଚାୟତ ଜଜାଙ୍ଗୀ ଆବୁଲୁପୁରା ସରକାରୀ ଉପ୍ରା ସ୍କୁଲ ଓ ଯାଜପୁର-କେନ୍ଦୁଝର ସୀମାରେ ଥିବା ଜରଦା ସ୍କୁଲର ଛାତ୍ରଛାତ୍ରୀଙ୍କ ଯାତାୟାତରେ ଏମିତି ଦେଖିବାକୁ ମିଳିଛି । ଅଭିଭାବକ ଓ ଶିକ୍ଷକ ପିଲାଙ୍କୁ ରାସ୍ତା ପାର କରି ସ୍କୁଲ ନେଉଥିବା ବେଳେ ଛୁଟି ପରେ ସାଙ୍ଗରେ ଧରି ରାସ୍ତା ପାରିକରି ଘରକୁ ଫେରୁଛନ୍ତି । କେତେକ ଜାଗାରେ ସ୍କୁଲ ଠାରୁ ବହୁ ଦୂରରେ ଗଳିପୋଲ ନିର୍ମାଣ ହୋଇଥିଲେ ମଧ୍ୟ ଏହା ତ୍ରୁଟି ପୂର୍ଣ୍ଣ ଥିବାରୁ ବର୍ଷା ଦିନେ ଏଥିରେ ପାଣି ଜମିବା ଫଳରେ ଲୋକମାନେ କି ଛାତ୍ରଛାତ୍ରୀ ଯାତାୟାତ କରି ପାରି ନଥାନ୍ତି । ରାସ୍ତାପାର ହୋଇ ଯାତାୟାତ କରିବାକୁ ବାଧ୍ୟ ହୁଅନ୍ତି । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ଏହାକୁ ବିଚାର କରି ଜାତୀୟ ରାଜପଥ ବିଭାଗ ପକ୍ଷରୁ ସ୍ଥାନ ଚିହ୍ନଟ କରି ଫୁଟ ଓଭର ବ୍ରିଜ ନିର୍ମାଣ କରିବାକୁ ଅଭିଭାବକ ଏବଂ ଅଞ୍ଚଳବାସୀ ଦାବି କରିଛନ୍ତି ।