ରାଜସ୍ୱ ଅମଲା ସଂଘର ଧାରଣା

 ଯାଜପୁର ଟାଉନ : ଓଡ଼ିଶା ରାଜସ୍ୱ ଅମଲା ସଂଘ ଆହ୍ୱାନ କ୍ରମେ ଜିଲା ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦିଆଯାଇଥିଲା । ଜିଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ସହାୟକଙ୍କ ମୂଳ ଦରମା ଲେବଲ-୯କୁ ଦାବି କରି ରାଜସ୍ୱ ଅମଲା ସଂଘ ଧାରଣାରେ ବସି ରହିଥିଲେ । ଓଡ଼ିଶା ରାଜସ୍ୱ ଅମଲା ସଂଘ ପକ୍ଷରୁ ୧୦ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଉଛି । ଜିଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ସହାୟକଙ୍କ ମୂଳ ଦରମା ଲେବଲ-୯କୁ ବୃଦ୍ଧି, ନୂତନ ପଦବି ସୃଷ୍ଟି କରିବା, ପଦୋନ୍ନତି, ସ୍ୱାସ୍ଥ୍ୟବୀମା ୨୦ଲକ୍ଷ ଟଙ୍କା, ଜଣେ କର୍ମଚାରୀଙ୍କ ମୃତୁ୍ୟ ପରେ ପରିବାରର ସଦସ୍ୟଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ଦେବା, ଏହି ଯୋଜନା ପୂର୍ବରୁ ପ୍ରଚଳିତ ଥିବା ବେଳେ ଏହାକୁ ବନ୍ଦ କରାଯାଇଛି । ଏହା ପୁନଃ ପ୍ରଚଳନ କରାଯାଉ, ଜିଲାସ୍ତରୀୟ ରାଜସ୍ୱ କର୍ମଚାରୀ ଶତପ୍ରତିଶତ ପଦୋନ୍ନତି ଓଡ଼ିଶା ରାଜସ୍ୱ ବିଭାଗ ଦ୍ୱାରା ପରିିଚାଳିତ ହେବା, କର୍ମଚାରୀଙ୍କ ପୁରୁଣା ଢାଞ୍ଚାରେ ପେନ୍ସନ୍ ଯୋଗାଇ ଦେବା ୧୦ ଦଫା ଦାବି ସମ୍ବଳିତ ଦାବି ନେଇ ଓଡ଼ିଶା ରାଜସ୍ୱ ଅମଲା ସଂଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ପ୍ରଦାନ କରାଯାଇଥିଲା । ଜିଲା ସଭାପତି ନିଗମାନନ୍ଦ ମାନ୍ଧାତାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଜୟ କୁମାର ଦାସ, ସୁଦର୍ଶନ ମିଶ୍ର, ସୁବ୍ରତ କାନୁନଗୋ, ଲକ୍ଷ୍ମୀଧର ସାଏ, ହରି ହାଂସ୍ଦା, ମାନସୀ ସାହୁ, ସାଗରିକା ତ୍ରିପାଠୀ, ଲିପ୍ସା ଜେନା, ଦିପ୍ତା ପରମାଣିକ ସମେତ ସମସ୍ତ ରାଜସ୍ୱ ଅମଲା ସଂଘ ଧାରଣାରେ ବସି ରହିଥିଲେ ।