ଲକ୍ଷାଧିକ ନକଲି ଟଙ୍କା ସହ ଆନ୍ତଃରାଜ୍ୟ ନୋଟ ବେପାରୀ ଗିରଫ

 ଭଦ୍ରକ :  ଗ୍ରାମାଞ୍ଚଳ ପୋଲିସର ସ୍ୱତନ୍ତ୍ର ରେଡ୍ ପରେ ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଗ୍ରାମାଞ୍ଚଳ ପୋଲିସ । ଘଟଣା କ୍ରମେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଆନନ୍ଦବଜାର ସ୍ଥିତ ଏକ ଦୋକାନରେ ଜିନିଷ କିଣିବା ବାହାନାରେ ନକଲି ନୋଟ ଦେଇ ଧରା ପଡ଼ି ବନ୍ଧା ହୋଇଥିଲା ଜଣେ ଅଭିଯୁକ୍ତ  ।  ଅଭିଯୁକ୍ତ ନିକଟରୁ ମିଳିଥିଲା ୭ ହଜାର ୧୦୦  ଟଙ୍କାର ନକଲି ନୋଟ । ପରେ ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ କରି ନକଲି ନୋଟର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଆସାମୀକୁ ଗିରଫ କରିବାରେ ସଫଳ ହୋଇଥିଲା ଭଦ୍ରକ ଗ୍ରାମାଂଚଳ ପୋଲିସ । ପଡୋଶୀ ଯାଜପୁର ଜିଲ୍ଲା ଦଶରଥପୁକ ବ୍ଲକ ଛଞ୍ଚିଣାରେ ରେଡ଼ କରି ମୁଖ୍ୟ ଆସାମୀ ଚନ୍ଦ୍ରମଣୀ ବଳ ଓରଫ ଚନ୍ଦନ ବଳକୁ ଗିରଫ କରିବା ସହ ତା ନିକଟରୁ ୨ ଲକ୍ଷ ୭୨ ହଜାର ୮୦୦ ଟଙ୍କା ଜବତ ହୋଇଛି । ଏହି ଘଟଣାରେ ଅଧିକ ତଦନ୍ତ ଚଳାଇବା ସହ ୨ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସଡିପିଓ ବିଚିତ୍ରାନନ୍ଦ ସେଠୀ ।