ଶିଶୁପୁତ୍ର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ପୁଅର ଦ୍ୱିତୀୟ ବିବାହ ପାଇଁ ମାରିଥିଲା ଜେଜେ ମା'; ୫ କୋର୍ଟ ଚାଲାଣ

କବାଟବନ୍ଧ : ନାତୀ ନାତୁଣୀକୁ କୋଳରେ ପାଇଲେ ଜେଜେ ମା କି ଜେଜେ ବାପା ସବୁ ଦୁଖକଷ୍ଟ ଭୁଲିଯାଆନ୍ତି । ଏପରିକି ପୁଅ ବୋହୂକୁ ବି ଭୁଲିଯାଇଥାନ୍ତି । କିନ୍ତୁ ଜେନାପୁର ଥାନା ସାହାଣୀଡ଼ିହ ପଞ୍ଚାୟତ ଚାରଗୋଠ ଗ୍ରାମରେ ୩ଦିନ ତଳେ ଘଟିଥିବା ଶିଶୁପୁତ୍ର ମୃତ୍ୟୁ ଘଟଣାରେ ପୁଲିସ ଯେଉଁ ସତ୍ୟ ପର୍ଦ୍ଦାଫାସ କରିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବ । ନିଜ ପୁଅର ଦ୍ୱିତୀୟ ବିବାହ ପାଇଁ ଜେଜେ ମା’ ୬ବର୍ଷର ନାତୀକୁ ୨୫ଫୁଟ ଉପରୁ ଏକ ପଥର ଖାଦାନକୁ ଠେଲି ମାରି ଦେଇଥିବା ବେଳେ ଏଭଳି ଅକାଟ୍ୟ ସତ୍ୟକୁ ଲୁଚାଇ ରଖିଥିଲେ ଜେଜେ ବାପା ଠାରୁ ଆରମ୍ଭ କରି ବାପା,ବଡ଼ ମା’ ଏବଂ ବଡ଼ ବାପା । ଜେନାପୁର ପୁଲିସ ତଦନ୍ତ ସହ ଅଭିଯୁକ୍ତଙ୍କୁ ପଚରା ଉଚରା କରିବା ପରେ ଶନିବାର ଥାନା ମାମଲା ନଂ ୧୪୭/୨୫ ଦଫା ୬୫(୧)/୮୫/୧୩୭(୨)/୧୦୩(୧)୩/(୫)ବି ଏନଏସ /୬ପୋସ୍କୋ/୧୭ ପୋସ୍କୋ/୩ ଏବଂ ୪ ଚାଇଲଡ଼ ମ୍ୟାରେଜ ଆକ୍ଟରେ କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ମୁଖ୍ୟ ଅଭିଯୁକ୍ତା ମୃତ ଶିଶୁପୁତ୍ର ଶିବୁର ଜେଜେମା ଗୁଣ୍ଠି ରାଉତ (୫୦)ବାପା ବାହୁଡ଼ା (୨୯), ବଡ ବାପା ବିରଂଚି (୩୨), ବଡ଼ ବୋଉ ବର୍ଷା ରାଣୀ (୨୮) ଏବଂ ଜେଜେ ମଦନ (୫୫)ବୋଲି ଥାନା ଅଧିକାରିଣୀ ନିରୂପମା ଜେନା ସୂଚନା ଦେଇଛନ୍ତି । ସୂଚନା ମତେ ଚାରଗୋଠ ଗ୍ରାମର କଳାକାର ରାଉତଙ୍କ ଝିଅ ମମତା ରାଉତଙ୍କୁ ମଦନ ରାଉତଙ୍କ ପୁଅ ବାଉରୀ ବିବାହ କରିଥିଲେ । ମମତା ଜଣେ ହୁଣ୍ଡୀ,ହାଉଳି ହୋଇଥିବାରୁ ବାଉରୀ ତାଙ୍କ ସହିତ ଅବୈଧ ସମ୍ପର୍କ ରଖି ଗର୍ଭବତୀ କରାଇଥିଲା । ଏକଥା ପରିବାର ଲୋକ ଜାଣିବା ପରେ ଗ୍ରାମ ସଭା ନିଷ୍ପତି କର୍ମେ ମମତାଙ୍କୁ ବାଉରୀ ବିବାହ କରିଥିଲେ । ବିବାହର କିଛି ମାସ ପରେ ମମତା ଓ ତାଙ୍କ ପୁଅଙ୍କୁ ଶାଶୁଘର ଲୋକ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିଲେ । ନିର୍ଯ୍ୟାତନା ସହିନପାରି ମମତା ଏବଂ ପୁତ୍ର ଶିବୁ ତାଙ୍କର ମାମୁଁ ଘରେ ଦୀର୍ଘ ୪ ବର୍ଷ ଧରି ରହି ଆସୁଥିଲେ । ଏହା ପରେ ମଦନଙ୍କ ପରିବାର ଲୋକେ ବାହୁଡ଼ାର ଦ୍ୱିତୀୟ ବିବାହ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ବିଭିନ୍ନ ଆଡୁ ପ୍ରସ୍ତାବ ଆସୁଥିଲେ ମଧ୍ୟ ବାହୁଡ଼ାର ଏକ ପୁଅ ଥିବା ଜାଣି ବିବାହର ଭାଙ୍ଗି ଯାଉଥିଲା । ବାହୁଡା଼ର ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଥିବା ବେଳେ ବାଧକ ସାଜିଥିଲା ମମତା ଓ ତାଙ୍କର ୬ବର୍ଷର ଶିଶୁପୁତ୍ର ଶିବୁ । ବାହୁଡ଼ାର ମା ଗୁଣ୍ଠି ନାତି ଶିବୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଗତ ବୁଧବାର ଶିବୁ ଟିୟୁସନରୁ ଫେରି ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଜେଜେମା ଗୁଣ୍ଠି ତାଙ୍କୁ ନେଇ ଘର ନିକଟରେ ଥିବା ପଥର ଖାଦାନକୁ ଠେଲି ମାରିଦେଇଥିଲା । ପରଦିନ ସକାଳେ ଶିବୁର ମୃତ ଦେହ ମିଳିବା ପରେ ଗ୍ରାମବାସୀ ଶିବୁର ପରିବାର ଉପରେ ସନ୍ଦେହ କରିଥିଲେ । ଯାହାକୁ ନେଇ ଗାଁରେ ଉତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ପୁଲିସ ପହଁଚି ପାଞ୍ଚଜଣଙ୍କୁ ଗିରଫ କରି ଥାନାକୁ ଆଣି ପଚରା ଉଚରା କରିବା ସହ ତଦନ୍ତ କରୁଥିଲା ।