ରାସ୍ତା ନିର୍ମାଣ ନିମ୍ନମାନର
ନିମାପଡା : ନିମାପଡା ବ୍ଲକ ଅନ୍ତର୍ଗତ ବାମନାଳ ଗ୍ରାମ ପଞ୍ଚାୟତର ବାମନାଳ ବଜାର ଠାରୁ କାଶିଆ ଛକ ପର୍ଯ୍ୟନ୍ତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୧୦ କିମି ରାସ୍ତା ନିର୍ମାଣ ପାଇଁ ୨୨କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଟେଣ୍ଡର ଆହ୍ୱାନ କରାଯାଇଥିଲା । କୋଲକାତାର ହିନ୍ଦୁସ୍ତାନ କନଷ୍ଟ୍ରକନ ଉକ୍ତ ରାସ୍ତା ନିର୍ମାଣ ପାଇଁ ଦାୟିତ୍ୱ ନେଇଥିଲା । ଗତ ୨୦୨୪ ମସିହା ମାର୍ଚ୍ଚ ୧୦ ତାରିଖରେ ଉକ୍ତ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଇତି ମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ସେମିତି କିଛି ଆଖି ଦୃଷିଆ କାର୍ଯ୍ୟ ହୋଇ ନାହିଁ । ଯେତିକି ନିର୍ମାଣ କାର୍ଯ୍ୟ ହୋଇଛି ତାହା କଛପ ଗତିରେ ଚାଲିଥିବା ବେଳେ କାର୍ଯ୍ୟର ଅବିଧି ସରିବା ପାଇଁ ଯାଉଥିବା ଦେଖି ଠିକା ସଂସ୍ଥା ତରବରିଆ ଭାବେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି ।ବିଭାଗୀୟ ଯନ୍ତ୍ରୀ ଓ ଠିକା ସସ୍ଥା ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଜଣାପଡିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାସ୍ତା ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି ।ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବାଲି ଓ ଚିପ୍ସର ମିଶ୍ରଣ ମାନ ସଠିକ ନାହିଁ । ନିର୍ମାଣ କାର୍ଯ୍ୟ ଶୀଘ୍ର କରିବା ପାଇଁ ଆବଶ୍ୟକତା ଠାରୁ ଅଧିକ ପାଣି ଦେଇଥିବାରୁ ଢଳେଇର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଢଳେଇ ତଳେ ଉପଯୁକ୍ତ ସ୍ତର କରା ନ ଯାଇ ତରବରିଆ ଭାବେ ଢଳେଇ ପକାଯାଇ ତଳ ସ୍ତରକୁ ଅତି ସୁନ୍ଦର ଭାବେ ଲୁଚେଇ ଦିଆଯାଇଛି ।ଢଳେଇରେ ସିମେଣ୍ଟର ପରିମାଣ ଆବଶ୍ୟକତା ଠାରୁ ବହୁତ କମ୍ ଥିବା ଜଳ ଜଳ ହୋଇ ଦିଶୁଛି । ସ୍ଥାନେ ସ୍ଥାନେ ନିର୍ମାଣ କରାଯାଇଥିବା ଗାର୍ଡ ୱାଲକୁ ଦେଖିଲେ ଜଣାପଡ଼ୁଛି ଯେ, ତାହା ସତେ ଯେପରି ମାଟିରେ ସିମେଣ୍ଟ ମିଶାଯାଇ ନିର୍ମାଣ କରାଯାଇଛି । ରାସ୍ତାକୁ ଉପଯୁକ୍ତ ଭାବେ ରୋଲିଙ୍ଗ କରା ନ ଯିବା ଦ୍ୱାରା ଗତ ବର୍ଷାରେ ବହୁ ସ୍ଥାନରେ ନିର୍ମାଣ କାର୍ଯ୍ୟ ଧୋଇଯାଇ ଗୋଡ଼ି ଦେଖାଯାଉଛି । ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମବାସୀ ବାରମ୍ବାର ଅଭିଯୋଗକରି ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କାହିଁକି ନୀରବ ଦ୍ରଷ୍ଟା ସାଜିଛନ୍ତି ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । କୌଣସି ବ୍ୟକ୍ତି ଠିକା ସଂସ୍ଥାର କର୍ମଚାରୀଙ୍କୁ ଏଷ୍ଟିମେଟ ବା ବିଲ୍ ଅଫକ୍ୱାଣ୍ଟିଟି ଦେଖାଇବାକୁ କହିଲେ ସେମାନେ ନାଲି ଆଖି ଦେଖାଉଥିବା ଶୁଣିବାକୁ ମିଳୁଛି ।