ଲକ୍ଷାଧିକ ଟଙ୍କା ଓ ଗହଣା ଲୁଟ୍
ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ଗ୍ରାମର ରବୀନ୍ଦ୍ର ସେଠୀ ନିଜ ପରିବାର ବର୍ଗଙ୍କ ସହ ସୋମବାର ରାତିରେ ଯାତ୍ରା ଦେଖିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଚୋରମାନେ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଘରେ ପଶି ନଗଦ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟି ନେଇ ଫେରାର ହୋଇ ଯାଇଛନ୍ତି । ସୂଚନାଯୋଗ୍ୟ, ରବୀନ୍ଦ୍ର ସେଠୀଙ୍କ ପରିବାର ଘରେ ଓ ଘରର ମୁଖ୍ୟ ଫାଟକରେ ତାଲା ଝୁଲାଇ ଗାଁ ମୁଣ୍ଡ ପଡିଆରେ ଆୟୋଜିତ ଅପେରା ଦେଖିବାକୁ ବାହାରି ଯାଇଥିଲେ । ରାତି ପ୍ରାୟ ୧ଟା ୩୦ରେ ବଡପୁଅ ଘରକୁ ଫେରି ଆସି ସେ ଦେଖିବାକୁ ପାଇଥିଲେ କି ଘରର ମୁଖ୍ୟ ଫାଟକର ତାଲା ଭଙ୍ଗା ଯାଇଛି । ଏହା ପରେ ଭିତରକୁ ପଶି ପୁଣି ଦେଖିଲେ ଯେ, ଘରର ମୁଖ୍ୟ କବାଟର ତାଲା ମଧ୍ୟ ଭଙ୍ଗା ଯାଇଛି ଏବଂ ଘରର ଜିନିଷପତ୍ର ସମ୍ପୂର୍ଣ୍ଣ ମୁକୁଳା ହୋଇପଡିଛି । ଏ ନେଇ ସେ ଘଟଣା ସଂପର୍କରେ ସେ ରବୀନ୍ଦ୍ରଙ୍କୁ ଖବର ଦେଇଥିଲେ । ରବୀନ୍ଦ୍ର ସାହି ପଡିଶାଙ୍କ ସହିତ ଆସି ଘଟଣାସ୍ଥଳରେ ପହଞ୍ଚି ଦେଖିବାକୁ ପାଇଥିଲେ ଯେ ଶୋଇବା କୋଠାରୀଗୁଡିକର ତାଲା ଭଙ୍ଗାଯିବା ସହିତ ୨ଟି ଲୁହା ଆଲମିରା, ଗୋଟେ କାନ୍ଥ ଆଲମିରା ଓ ଏକାଧିକ ବାକ୍ସର ତାଲା ଭଙ୍ଗାଯାଇଛି । ତାଲା ଭଙ୍ଗା ଯାଇ ୨ଟି ଲୁହା ଆଲମିରା ଭିତରେ ଥିବା ଏକାଧିକ ସୁନା ହାର, ମଙ୍ଗଳସୂତ୍ର, କାନଫୁଲ, ମୁଦି, ପଦକ ସହିତ ଅନେକ ରୁପା ତିଆରି ଗହଣା ଲୁଟ୍ ହୋଇଯାଇଛି । ଏ ନେଇ ରବୀନ୍ଦ୍ର ଥାନାକୁ ଜଣାଇବା ପରେ ପୁଲିସ ତତକ୍ଷଣାତ ରାତିରେ ହିଁ ଘଟଣାସ୍ଥଳରେ ପହଞ୍ଚôଥିଲା । ପରେ ଏ ନେଇ ରବୀନ୍ଦ୍ରଙ୍କ ଲିଖିତ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ଖୋଦ ଥାନା ଅଧିକାରୀ ତପନ କୁମାର ପ୍ରଧାନ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।