ଲକ୍ଷାଧିକ ଟଙ୍କାର ମାଛ ମରି ଭାସିଲା, ଚିନ୍ତାରେ ହିତାଧିକାରୀ
ବୈଶିଙ୍ଗା: ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ କଳମା ଗ୍ରାମ ପୋଖରିରେ କୌଣସି ଅଜଣା ଦୁର୍ବୃତ୍ତ ବିଷ ପକାଇ ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ କରିଦେଇଥିବା ଯୋଗୁଁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ମିଳିଥିବା ସୂଚନା ମୁତାବକ ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଠାରୁ ତିନି ବର୍ଷ ପାଇଁ ଦରଖୋଳୀ ନାମକ ପୋଖରୀକୁ ବାର୍ଷିକ ୨୦ ହଜାର ଟଙ୍କାକୁ ଲିଜ୍ ନେଇଥିଲେ ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ । ମାଛ ଚାଷ କରି ଆତ୍ମନିର୍ଭରଶୀଳ ହେବା ଉଦେ୍ଦଶ୍ୟରେ ଲକ୍ଷାଧିକ ଟଙ୍କାର ମାଛ ଜାଆଁଳ ଛାଡ଼ି ପାଣିରେ ଚୂନ ପ୍ରୟୋଗ କରି ମାଛଦାନା ମଧ୍ୟ ଦେଉଥିଲେ । ହେଲେ ଶୁକ୍ରବାର ଅପରାହ୍ନରେ ପୋଖରୀରେ ପ୍ରାୟ ଏକ କୁଇଣ୍ଟାଲ ରୁ ଅଧିକ ମାଛ ମରି ଭାସୁଥିବା ଦେଖାଯାଇଥିଲା । ଏଥିସହିତ ପାଣି ମଧ୍ୟ ବିଷାକ୍ତ ହୋଇପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସରପଞ୍ଚ ଗୋପୀନାଥ ସିଂ ଙ୍କୁ ପଚାରିବାରୁ ସେ ଲିଜ୍ ନେଇଥିବା ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଏବାବଦରେ ଲିଖିତ ଅଭିଯୋଗ ପାଇଛନ୍ତି ଏବଂ ବୈଶିଙ୍ଗା ପୋଲିସ ନିକଟରେ ତଦନ୍ତ ପାଇଁ ଅଭିଯୋଗ ଦାଖଲ କରିବେ ବୋଲି କହିଛନ୍ତି । ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୈଣସି ଅଭିଯୋଗ ହୋଇନଥିବା ପୋଲିସ ପକ୍ଷରୁ କୁହାଯାଇଛି ।