କୁକର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

 ବେତନଟୀ : ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର କୁକର୍ମ କରିବା ତଥା ଚଞ୍ଚକତା ପୂର୍ବକ ଗର୍ଭପାତ କରାଇବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିି କୋର୍ଟଚାଲାଣ କରିଛି ବେତନଟୀ ପୁଲିସ । ଅଭିଯୁକ୍ତ ଜଣକ ହେଉଛି ବାରମାଇଲ ସ୍ଥିତ କଲରାଫୁଲିଆ ଗ୍ରାମର ବାପି ଓରଫ ମାଧବେନ୍ଦୁ ବେହେରା । ଏତଲାକାରିଣୀ ବାରିପଦା ଅଞ୍ଚଳର ପୀଡିତା ଯୁବତୀଙ୍କ ଅଭିଯୋଗ ମୁତାବକ ମନସା ପୂଜା କରିବାକୁ ଯାଇଥିବା ସମୟରେ ବାପିଙ୍କ ସହିତ ପରିଚୟ ହୋଇଥିଲା । ବାପି ଯୁବତୀଙ୍କୁ ପ୍ରେମ ନିବେଦନ କରିବା ସହିତ ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । ଇତି ମଧ୍ୟରେ ଯୁବତୀଙ୍କ ଠାରୁ ଅନ୍ଲାଇନ ଓ ହାତାହାତି ପର୍ଯ୍ୟାୟକ୍ରମେ ପାଖାପାଖି ପାଞ୍ଚଲକ୍ଷ ଟଙ୍କା ନେଇଥିବା ବେଳେ ବାରିପଦାର ଏକ ବ୍ୟାଙ୍କରୁ ବାପି ନେଇଥିବା ୮ଲକ୍ଷ ଟଙ୍କାର ଋଣ କାରବାରରେ ପୀଡିତା ଯୁବତୀ ଗ୍ୟାରେଣ୍ଟର ମଧ୍ୟ ରହିଛନ୍ତି । ଇତି ମଧ୍ୟରେ ଉଭୟ ଅଭିଯୁକ୍ତ ଓ ପୀଡିତା ପରସ୍ପରଙ୍କ ଘରକୁ ଯିବା ଆସିବା କରିବାରେ ଲାଗିଥିଲେ । ବାପି ଯୁବତୀଙ୍କୁ ପୁରୀ ନେଇ ଜଗନ୍ନାଥଙ୍କ ସମ୍ମୁଖରେ ବିବାହ କଲା ବୋଲି କହି ହୋଟେଲରେ କୁକର୍ମ କରିଥିଲା । ବିବାହ ପାଇଁ ପୀଡିତା ଜିଦ୍ ଧରୁଥିବାବେଳେ ବିବାହ ହୋଇ ସାରିଛି କହି ପୀଡିତାଙ୍କ ଇଚ୍ଛା ବିରୁଦ୍ଧରେ ବାରମ୍ବାର କୁକର୍ମ କରିଥିଲା । ଏହାପରେ ଚଞ୍ଚକତା କରି ଗର୍ଭପାତ ମଧ୍ୟ କରିଥିବା ନେଇ ପୀଡିତା ଏତଲାରେ ଦର୍ଶାଇଛନ୍ତି । ଏ ନେଇ ପୀଡ଼ିତାଙ୍କ ଏତଲାକ୍ରମେ ବେତନଟୀ ପୁଲିସ ୧୨୯/୨୫ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ବାପିକୁ ଓରଫ୍ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି ।