ଲକ୍ଷ୍ମୀସାଗର ପୋଖରୀର ପୁନରୁଦ୍ଧାର ଦାବି

 ନୀଳଗିରି:  ନୀଳଗିରି ଏନ୍ଏସି ଅନ୍ତର୍ଗତ ୭ ନମ୍ୱର୍ ୱାର୍ଡ ବାଲିଗୋହିରି ମୌଜାର ବହୁ ପୁରାତନ ଜଳାଶୟ ଲକ୍ଷ୍ମୀ ସାଗର ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହେଉନଥିବା ସମ୍ପର୍କରେ ଏକ ଦାବିପତ୍ର ସିପିଆଇ(ଏମ୍) ପକ୍ଷରୁ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ସେନାପତି ଓ ତହସିଲଦାର ସୋନମ୍ ଦାସଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ କୁମାର ପାତ୍ର, ହେମେନ୍ଦ୍ର ସେଠୀ, ରାମଚନ୍ଦ୍ର ପଢ଼ିଆରୀ ପ୍ରମୁଖ ବହୁ ସଥୀ ଉପସ୍ଥିତ ଥିଲେ । ନୀଳଗିରି ତହସିଲଦାରଙ୍କ ପରିପତ୍ର ସଂଖ୍ୟା ୧୩୯୫ ତା ୧୨/୦୩/୨୦୨୫ ରିଖରେ ଏସ୍ ଡି ଓ ସୋର କେନାଲ ଡିଭିଜନ୍ କୁ ଚିଠି ଲେଖିଥିଲେ । ଯେଉଁଥିରେ ବେଆଇନ୍ ଭାବେ କେନାଲ ଡିଭିଜନ ପକ୍ଷରୁ ଲକ୍ଷ୍ମୀ ସାଗର ପୋଖରୀକୁ ପୋତି ଦିଆଯାଇଥିଲା । ଜନ ଶୁଣାଣିରେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ନୀଳଗିରି ଉପଜିଲ୍ଲାପାଳ ନୀଳଗିରି ତହସିଲଦାରଙ୍କୁ ଏହାର ସମାଧାନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଲକ୍ଷ୍ମୀ ସାଗର ପୁନରୁଦ୍ଧାର ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ ନୀଳଗିରି ତହସିଲଦାର କେନାଲ ଡିଭିଜନକୁ ଚିଠି ଲେଖିଥିଲେ । ଏହା ମଧ୍ୟରେ ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ କେନାଲ ଡିଭିଜନ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଜିଲ୍ଲା ପ୍ରଶାସନ ଓ ନୀଳଗିରି ଉପଖଣ୍ଡ ପ୍ରଶାସନର ନିଦେ୍ର୍ଦଶକୁ ଅବମାନନା କରି ନିଜର ବେଆଇନ୍ କାର୍ଯ୍ୟକୁ ଯଥାର୍ଥ ବୋଲି ପ୍ରତିପାଦିତ କରିବା ପାଇଁ ହୀନ ଉଦ୍ୟମ ଚଳାଇ ଥିବା ଅଭିଯୋଗ କରି ସିପିଆଇଏମ୍ ଆଞ୍ଚଳିକ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ଏହା ଦ୍ୱାରା କେନାଲ ଡିଭିଜନ ସର୍ବୋଚ୍ଚ ନ୍ୟାୟାଳୟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ମଧ୍ୟ ଅବମାନନା କରିଥିବା ଅଭିଯୋଗ କରାଯାଇଛି । ଏତଦ୍ ବ୍ୟତୀତ ବର୍ଷା ଋତୁ ପୂର୍ବରୁ ଲକ୍ଷ୍ମୀ ସାଗର ପୋଖରୀର ପୂର୍ବସ୍ଥିତି ଫେରାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।  ନଚେତ୍ ସିପିଆଇଏମ୍  ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସିପିଆଇଏମ୍ ବାଲେଶ୍ୱର ଜିଲ୍ଲା ସମ୍ପାଦକ ବିଜୟ କୁମାର ପାତ୍ର ସୂଚନା ଦେଇଛନ୍ତି । ଏଥିପାଇଁ ଯଦି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ, ସେଥିପାଇଁ ଉପଖଣ୍ଡ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି ।