ଲଘୁଚାପ ବର୍ଷାରେ ଫସଲ କ୍ଷତି, ଚିନ୍ତାରେ ଚାଷୀ
ଜଗତସିଂହପୁର: ବଙ୍ଗୋପସାଗରରେ ଲଘୁଚାପ ଅବପାତ ରୂପ ନେବାପରେ ଅଦିନିଆ ଲଗାଣ ଜନିତ ବର୍ଷା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଜିଲ୍ଲାପ୍ରଶାସନ ପକ୍ଷରୁ ବର୍ଷାକୁ ରେକର୍ଡ କରାଯାଇଥିଲା । ଜଗତସିଂହପୁର ବ୍ଲକ୍ରେ ୫୫, ବିରିଡି ବ୍ଲକ୍ରେ ୪୦, ରଘୁନାଥପୁର ବ୍ଲକ୍ରେ ୩୮, ବାଲିକୁଦା ବ୍ଲକ୍ରେ ୫୭, ନାଉଗାଁ ରେ ୭୩, ତିର୍ତ୍ତୋଲ ବ୍ଲକରେ ୪୬, କୁଜଙ୍ଗ ବ୍ଲକ୍ରେ ୩୬, ଏରସମା ୪୬, ପାରାଦ୍ୱୀପ ମୁନସିପାଲଟିରେ ୬୩. ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ନାଉଗାଁ ବ୍ଲକ୍ରେ ସର୍ବାଧିକ ୭୩ ମିଳିମଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଲଘୁଚାପ ଜନିତ ଲଗାଣ ବର୍ଷାରେ ପାଚିଲା ଧାନ ବିଲରେ ଭାସୁଛି । ଖାଲୁଆ ଚାଷ ଜମିରେ ଧାନ କାଟିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ପାଚିଲା ଧାନ କାଟି ଚାଷୀ ଘରକୁ ନେବା ସମୟରେ ପ୍ରତିବନ୍ଧକ ସାଜିଛି ବର୍ଷା । ବିଲ ବାରିରେ କଟା ହୋଇଥିବା ଧାନ କଚଡା ବର୍ଷାରେ ଭିଜୁଥିବା ବେଳେ ଖଳାକୁ ଆସିଥିବା ଧାନକୁ ଯେନତେନ ପ୍ରକାରେ ବର୍ଷା ଦାଉରୁ ଘୋଡାଇ ରଖିବା ପାଇଁ ଚାଷି ଉଦ୍ୟମ କରୁଛି ।
ବିଲରେ ଧିରେ ଧିରେ ପାଣି ଜମୁଥିବାବେଳେ, ପାଚି ଯାଇଥିବା ଧାନ ଫସଲ ବର୍ଷା ପାଣିରେ ଓଜନ ହୋଇ ତଳେ ଶୋଇପଡିବା ଆରମ୍ଭ କଲାଣି । ଲହୁଲୁହ ଢାଳି କରଜ ଦାମ କରି ଫଳେଇ ଥିବା ଧାନ ଫସଲ ଘରକୁ ଆସିବ କି ନାହିଁ ଏହି ଚିନ୍ତାରେ ଚାଷି ଘାରି ହେଉଛି । ଅମଳ ଧାନକୁ ଆଣି ବର୍ଷକ ଆହାର ସହ କରଜ ଶୁଝିବା ଆଶାରେ ଥିବା ଚାଷି ଦୂରରୁ ବିଲ୍କୁ ଅନାଇ ବ୍ୟତି ବ୍ୟସ୍ତ ହେଉଛି । ଦୁଇଦିନ ଧରି ଅଦିନିଆ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେବା ସହିତ ବିଲରୁ ଧାନ ଖଳାକୁ ଆଣିବାକୁ ତତ୍ପର ହୋଇ ପଡିଛି । ପାଚିଲା ଧାନକୁ କିଭଳି ଅମଳ କରିବ ସେଥିପାଇଁ ଚାଷୀ ଅଣ୍ଟା ଭିଡିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ, ଆଜି ଠାରୁ ବର୍ଷା ଲଗାତର ଲାଗି ରହିଥିବା ସହ ଆଜି ଠାରୁ ତିନି ଦିନ ବ୍ୟାପି ବର୍ଷା ଆଶଙ୍କା ଥିବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ କୂଳ । ଧାନ ଏବେ ପାଚି ସାରିଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ କଟାଯାଇ ବିଲରେ ପଡିଛି । ଏହି ସମୟରେ ବର୍ଷା ହେବା କାରଣରୁ ଫସଲ ଉଜୁଡି ଯିବାର ଆଶଙ୍କା ଦେଖା ଦେଇଛି । ଚଳିତ ବର୍ଷ ଜିଲ୍ଲାରେ ୮୦ ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ ହୋଇଥିବା ବେଳେ, ଏବେ ଅମଳ କାର୍ଯ୍ୟରେ ଲାଗି ପଡିଛନ୍ତି ଚାଷୀ । ହେଲେ ଯେଉଁ ଧାନ କଟାଯାଇ ବିଲରେ ପଡ଼ିଛି ସେଗୁଡ଼ିକ ବର୍ଷା ଯୋଗୁ ଗଜା ହୋଇଯିବାର ସମ୍ଭାବନା ରହିଛି । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଜିଲ୍ଲାର ଚାଷୀକୂଳ । କେଉଁଠି ଧାନ ଗୁଡିକ କଟା ହୋଇ ବିଲରେ ପଡିଛି ତ, ଆଉ କେଉଁ ଠି ଖଳାରେ ଧାନ ପଡ଼ିରହିଛି । ବିଲରେ ଯେଉଁ ଧାନ ପଡିରହିଛି ସେଗୁଡିକୁ ଖୁବ ଶୀଘ୍ର ଖଳାକୁ ନେବା ପାଇଁ ଚାଷୀ ପ୍ରକାଶ ପରିଡ଼ା, ସୁଜିତ ଭୋଇ, ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଛି ।