ଲଙ୍କାପୋଡ଼ି ଓ ଶ୍ରୀରାମ ନବମୀ ପାଳିତ
ଦଶପଲ୍ଲା : ଦଶପଲ୍ଲାର ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ଆରମ୍ଭ ହୋଇଥିବା ବେଳେ ପବିତ୍ର ଶ୍ରୀରାମ ନବମୀ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି । ଲଙ୍କାପୋଡ଼ି ଯାତ୍ରାର ପ୍ରଥମ ଦିବସରେ ଶ୍ରୀରାମ ଜନ୍ମ ଉସôବ ପାଳିତ ହୋଇଥିବା ବେଳେ ଖୋଲା ମଞ୍ଚରେ ଦେଖିବାକୁ ମିଳିଥିଲା ନାଟକ ରାମ ଜନ୍ମ । ଶ୍ରୀରାମ ଜନ୍ମ ଉପଲକ୍ଷେ ଦଶପଲ୍ଲାର ପ୍ରସିଦ୍ଧ ଠାକୁର ଶ୍ରୀ ରଘୁନାଥ ଜୀଉ ଓ ମହାବୀରଙ୍କ ସକାଳ ମାଜଣା ପରେ ମଇଲମ, ଆଳତି ଓ ପରେ ଦେବ ପ୍ରତିମାଙ୍କ ଜନ୍ମ ମଣ୍ଡପକୁ ଗମନ କରାଯାଇଥିଲା । ପରେ ଶ୍ରୀ ରାମ ଜନ୍ମ ସହ ପୋଥିପୂଜା ଇତ୍ୟାଦି ଦେବ ନୀତି କରାଯାଇଥିଲା । ରାତିରେ ନାଟ୍ୟ ମଞ୍ଚରେ ଆରମ୍ଭ ହୋଇଥିଲା ଶ୍ରୀରାମ ଜନ୍ମ ନାଟକ । ଏହି ନାଟକ ଦେଖିବା ପାଇଁ ମଞ୍ଚ ନିକଟରେ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା ।