ରାଜସ୍ୱ ନିରୀକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଜଟଣୀ : ଜଟଣୀ ତହସିଲ ଅଧିନରେ ଦୀର୍ଘବର୍ଷ ଧରି ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ବିଶ୍ୱଜିତ ବଡ଼ଜେନାଙ୍କୁ ଓକିଲମାନଙ୍କ ପକ୍ଷରୁ ଗୋଡ଼ାଧର୍ମସାଗର ଠାରେ ଥିବା ମନ୍ଦିରରେ ଆୟୋଜିତ ଏକ ବିଦାୟକାଳୀନ ସଭାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଜଟଣୀ ବାର ଆସୋସିଏସନ ପୂର୍ବତନ ସଭାପତି ଶରତ ଚନ୍ଦ୍ର ପାଇକରାୟ ଓ ସଭାକୁ ପରିଚାଳନା କରିଥିଲେ ଆଇନଜୀବୀ ଶିବପ୍ରସାଦ ରଥ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବାଉରୀବନ୍ଧୁ ସାହୁ, ଅରୁଣ ସାହୁ, ଅକ୍ଷାଂଶୁ ଶେଖର ନାୟକ, ଜଟାଧାରୀ ପ୍ରଧାନ, ବିନୋଦିନୀ ନାୟକ, ରଶ୍ମିରଞ୍ଜନ ମହାନ୍ତି, କାଶୀନାଥ ପ୍ରଧାନ, ରବି ପଣ୍ଡା, ସମୀର ଜେନାଙ୍କ ସମେତ ବହୁ ଆଇନଜୀବୀମାନେ ଯୋଗ ଦେଇଥିଲେ । ଉକ୍ତ ସଭାରେ ଆଇନୀଜୀବୀମାନେ ରାଜସ୍ୱ ନିରୀକ୍ଷକଙ୍କ ସେବା ମନୋଭାବର ପ୍ରଶଂସା କରିବା ସହିତ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।