ଲାଖ ସମବାୟ ସମିତି ଉଚ୍ଛେଦ ସ୍ଥଗିତାଦେଶ ଉଠିଲା

 ନବରଙ୍ଗପୁର : ନବରଙ୍ଗପୁର ଶଙ୍ଖାରୀ ସାହିସ୍ଥିତ ଲାଖ ସମବାୟ ସମିତି ଉଚ୍ଛେଦ ନିଷ୍ପତ୍ତି ଉପରେ ହାଇକୋର୍ଟ ଗତ ୨୦୨୫ ଜାନୁଆରିରେ ସ୍ଥଗିତାଦେଶ ଜାରି କରିଥିଲେ  । ଏହାରି ମଧ୍ୟରେ ପରବର୍ତ୍ତୀ ଶୁଣାଣି କରି ସ୍ଥଗିତାଦେଶକୁ ଉଚ୍ଛେଦ କରିବା ନିମନ୍ତେ ଜିଲ୍ଲା ହସ୍ତଶିଳ୍ପ ବିଭାଗକୁ ନିଦେ୍ର୍ଦଶ ଆସିଥିବା ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି  । 
ସ୍ଥାନୀୟ ଶଙ୍ଖାରୀ ସାହିସ୍ଥିତ ଲାଖ କାରିଗର ସମବାୟ ସମିତିର କୋଠା ବିପଦସଙ୍କୁଳ ଅବସ୍ଥାରେ ଥିବା ନେଇ ବର୍ଷକ ତଳେ ହସ୍ତଶିଳ୍ପ ବିଭାଗ ଓ ପୂର୍ତ୍ତ ବିଭାଗ ଦର୍ଶାଇଥିଲେ । ତେଣୁ ଚଳିତବର୍ଷ ଜାନୁଆରି ୨୯ ତାରିଖରେ ଏହି କୋଠାକୁ ଉଚ୍ଛେଦ କରିବା ନିମନ୍ତେ ନବରଙ୍ଗପୁର ତହସିଲଦାର ନୋଟିସ୍ ଜାରି କରିଥିଲେ । କିନ୍ତୁ ମହିଳା ଲାଖ କାରିଗର ଏଭଳି ହଠାତ୍ ଉଚ୍ଛେଦ ପାଇଁ ନୋଟିସ୍ ମିଳିବାରୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନୂତନ କୋଠାର ଆବଶ୍ୟକତା ନଥିବା ଏବଂ ଦୁଇ ବର୍ଷ ତଳେ ବିଧାୟକ ପାଣ୍ଠିରୁ ୩ଲକ୍ଷ ଟଙ୍କା ଖର୍ଚ୍ଚ କରି ମରାମତି କରାଯାଇଥିବା ନେଇ ମହିଳାମାନେ ଦର୍ଶାଇଥିଲେ । ହାଇକୋର୍ଟ ଆବେଦନକୁ ଗ୍ରହଣ କରି ଶୁଣାଣି କରିଛନ୍ତି । ପ୍ରାଥମିକ ଶୁଣାଣି ପରେ ଲାଖ ସମବାୟ ସମିତି କୋଠା ଉଚ୍ଛେଦକୁ ସ୍ଥଗିତ ରଖିବାକୁ କୋର୍ଟ ନିଦେ୍ର୍ଦଶ ଦେଇଥିଲେ  । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ଉଲ୍ଲେଖ କରିଥିଲେ । ତେବେ ଏହାରି ମଧ୍ୟରେ ଜିଲ୍ଲା ହସ୍ତଶିଳ୍ପ ବିଭାଗ ହାଇକୋର୍ଟର ଦ୍ୱାରସ୍ଥ ହୋଇ ମାମଲା ଲଢ଼ୁଥିଲେ । ଏହି କୋଠାଟି ବିପଦସଂକୁଳ ଅବସ୍ଥାରେ ଥିବାରୁ ପୁନଃନିର୍ମାଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନା ହୋଇଥିବା ବି ଦର୍ଶାଇଥିଲେ । ଏହାପରେ ହାଇକୋର୍ଟ ସ୍ଥିତାବସ୍ଥା ଉଠାଇବାକୁ ନିଦେ୍ର୍ଦଶ ଦେଇଥିଲେ । ସ୍ଥିତାବସ୍ଥା ଉଠିଥିବାରୁ ତୁରନ୍ତ ଜିଲ୍ଲାପ୍ରଶାସନ କୋଠାକୁ ଉଚ୍ଛେଦ କରି ନୂଆ କୋଠା ନିର୍ମାଣ ପାଇଁ ଯୋଜନା ଆରମ୍ଭ କରିଥିବା ସୂଚନା ମିଳିଛି ।