ଲୋକଲୋଚନର ଆଢୁଆଳରେ କପିଳେଶ୍ୱର ମନ୍ଦିର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ରାମିଆଳ ନଦୀ ଶଯ୍ୟାରେ ରହିଛି ଦ୍ୱାଦଶ ଶତାବ୍ଦୀର କପିଳେଶ୍ୱର ମନ୍ଦିର । ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ନଦୀ ମଧ୍ୟରେ ଥିବା ଏକ ଟାପୁରେ ଦଣ୍ଡାୟମାନ ଏହି ପ୍ରାଚୀନ ମନ୍ଦିରଟି ଢେଙ୍କାନାଳର ଶୈବ ସଂସ୍କୃତିର ଏକ ଅନବଦ୍ୟ ଉଦାହରଣ । ଅଥଚ ପ୍ରଚାର ପ୍ରସାର ଅଭାବରୁ ଏହା ଆଜି ଲୋକ ଲୋଚନ ଅନ୍ତରାଳରେ ପଡିରହିଛି ।
ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ସଦସ୍ୟମାନେ ତାଙ୍କର ଏକୋଇଶୀ ତମ ସଂସ୍କରଣରେ ଏହି ମନ୍ଦିରର ଐତିହ୍ୟ ବିଷୟରେ ଜଣାଇବା ପାଇଁ ମନ୍ଦିର ପରିଦର୍ଶନ କରିଥିଲେ । ସ୍ଥାନୀୟ ହାଟୁଆରି ଗ୍ରାମର ୮୦ ବର୍ଷ ବୟସ୍କ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ଐତିହ୍ୟପ୍ରେମୀ ପଦଯାତ୍ରୀଙ୍କୁ କପିଳେଶ୍ୱର ମନ୍ଦିର ସଂପର୍କିତ କିମ୍ବଦନ୍ତୀ, ଏହାର ଇତିହାସ ଓ ପରମ୍ପରା ସଂପର୍କରେ ବିସ୍ତ୍ରୃତ ସୂଚନା ପ୍ରଦାନ କରିଥିଲେ । ଇତିହାସ କହେ ଏକଦା ଏହି ନିକଟରେ ଥିବା ଜଗନ୍ନାଥ ଗଡ଼ର ଦେଓ ବଂଶୀୟ ଜନୈକ ଶାସକ ଏହି ମନ୍ଦିରଟି ନିର୍ମାଣ କରିଥିଲେ । ପରବର୍ତ୍ତୀ କାଳରେ ସଂପୃକ୍ତ ରାଜବଂଶ ଏହି ଅଞ୍ଚଳ ପରିତ୍ୟାଗ କରି କେନ୍ଦୁଝରର କାଳିଆହତା ଚାଲି ଯାଇଥିଲେ । ଏବେ କାଳିଆ ହତାରେ ରହୁଥିବା ଏହି ରାଜବଂଶର ଉତ୍ତରାଧିକାରୀମାନେ ଥମ୍ବଦେଓ ସାଙ୍ଗିଆ ଧାରଣ କରି ବସବାସ କରୁଥିବା କିଛି ଗବେଷକ ମତ ଦିଅନ୍ତି । ଭୂମି ପତ୍ତନ ଠାରୁ ପ୍ରାୟ ପଚାଶ ଫୁଟ ଉଚ୍ଚ ଏହି ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟର ଏକ ରେଖ ଦେଉଳ । ପଦ୍ମପୀଢ଼ ଉପରେ ରେଖଶୈଳୀରେ ନିର୍ମିତ ଏହି ମନ୍ଦିର କାରୁକାର୍ଯ୍ୟହୀନ ହେଲେମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ଅଟେ । ଭାରତ ସରକାରଙ୍କ ପ୍ରନôତତ୍ତ୍ୱ ବିଭାଗ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବାବେଳେ ଦେବୋତ୍ତର ବିଭାଗ ଅଧୀନରେ ଏକ ଟ୍ରଷ୍ଟ ମାଧ୍ୟମରେ କପିଳେଶ୍ୱର ମନ୍ଦିରର ଦୈନନ୍ଦିନ ନୀତି ପରିଚାଳିତ ହେଉଛି । ଏ ମନ୍ଦିରର ବିଶେଷତ୍ୱ ହେଉଛି ମନ୍ଦିରରେ କୌଣସି ପାର୍ଶ୍ୱଦେବତା ନାହାନ୍ତି କିମ୍ବା ଦ୍ୱାରଦେଶରେ ନବଗ୍ରହ ମଧ୍ୟ ନାହାନ୍ତି । କିନ୍ତୁ ଦ୍ୱାରବନ୍ଧ ଉପରକୁ ଏକ ତ୍ୱରଣ ଲକ୍ଷ୍ମୀ ରହିଥିବାର ଦେଖିବାକୁ ମିଳେ । ପୀଠଟିର ଉନ୍ନୟନ କାର୍ଯ୍ୟ ବର୍ତ୍ତମାନ କ୍ଷୀପ୍ରଗତିରେ ଆଗେଇ ଚାଲିଥିବାର ଦେଖି ଐତିହ୍ୟପ୍ରମୀମାନେ ସନ୍ତୋଷ ଅନୁଭବ କରିଥିଲେ । ତେବେ ପ୍ରଚାର ପ୍ରସାର ଅଭାବରୁ ଏହା ଲୋକ ଲୋଚନଠାରୁ ଦ୍ୱାରରେ ଥିବାରୁ ଦୁଃଖ ଅନୁଭବ କରିଥିଲେ । ଐତିହ୍ୟ ପଦଯାତ୍ରାର ଆବାହକ ସୁରେଶ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ, ରମେଶ ପତି, ସୁନୀତା ମହାପାତ୍ର, ବିଶ୍ୱରଞ୍ଜନ ଦେହୁରୀ, ଜନ୍ମେଜୟ ରାଉତ, ଦୋଳଗୋବିନ୍ଦ ସାହୁ, ବଦ୍ରିନାଥ ଜେନା, ସ୍ୱର୍ଣ୍ଣପ୍ରଭା ସେଠୀ, ନାରାୟଣ ପଟ୍ଟନାୟକ, ହୃଦାନନ୍ଦ ବେହେରା, ଆଦିତ୍ୟ ମିଶ୍ର, ପିୟୁଷ ଅଗ୍ରୱାଲ, ବିକାଶ ପ୍ରଧାନଙ୍କ ସହିତ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇତିହାସ ଓ ଅନ୍ୟାନ୍ୟ ବିଭାଗରୁ ତିରିଶ ଜଣ ଛାତ୍ରଛାତ୍ରୀ ଓ ମଠକରଗୋଳା କଲେଜର ଇତିହାସ ବିଭାଗର ତିରିଶ ଜଣ ଛାତ୍ରଛାତ୍ରୀ, କଟକ, ଭୁବନେଶ୍ୱର ଓ ରାଉରକେଲାରୁ ପ୍ରାୟ ଦଶ ଜଣ ଐତିହ୍ୟପ୍ରେମୀ ଆଜିର ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ।