ଓଡ଼ିଶାର ଜଗନ୍ନାଥ କୈନ୍ଦ୍ରିକ ଭାଗବତ ଧର୍ମ

ସୌର ଚନ୍ଦ୍ର ମହାପାତ୍ର : ଭାଗବତ ହେଉଛି ଓଡ଼ିଆ ଜାତି ପକ୍ଷରେ ବେଦ ପରି ପବିତ୍ର ଗ୍ରନ୍ଥ । ଏହା ଓଡ଼ିଶାରେ ସାଂସ୍କୃତିକ ବିପ୍ଳବ ସୃଷ୍ଟି କରି ପାରିଛି । ଓଡ଼ିଆ ଜାତି ପ୍ରାଣରେ ସ୍ପନ୍ଦନ ଜଗାଇ ପାରିଛି । ଓଡ଼ିଶା ବାହାରେ ଥିବା ଓଡ଼ିଆ ପ୍ରାଣରେ ଓଡ଼ିଆ ଭାଷା ପ୍ରତି ମୋହ ସୃଷ୍ଟି କରିପାରିଛି । ସେଥିପାଇଁ ଜନସମାଜରେ ଭାଗବତରେ ଜନପ୍ରିୟତା ସମ୍ବନ୍ଧରେ ବିଶିଷ୍ଟ ପ୍ରାବନ୍ଧିକ ଜଗବନ୍ଧୁ ସିଂହ ତାହାଙ୍କର ପ୍ରାଚୀନ ଉକ୍ରଳ ପୁସ୍ତକରେ ଲେଖିଛନ୍ତି :- ଚାହାଳୀରେ ପିଲାମାନଙ୍କର ଭାଗବତ ପ୍ରାଧାନ୍ୟ ପାଠ୍ୟ ପୁସ୍ତକ ଥିଲା । ଯେଉଁ ପିଲା ଅଧ୍ୟାୟେ ଭାଗବତ ବୋଲି ପାରିଲା ତାହାର ବିଦ୍ୟା ଶେଷ ହେଉଥିଲା । ଲୋକର ଆସନ୍ନ ମୃତ୍ୟୁବେଳେ ତାହାର ପୁତ୍ର-ପୌତ୍ରାଦି ଆତ୍ମୀୟ ସ୍ୱଜନ ତାହା କାନରେ ଅଧ୍ୟାୟେ ଭାଗବତ ଶୁଣାଉଥିଲେ । ଗ୍ରାମରେ ବିସୂଚିକା, ମହାମାରୀ, ପ୍ରଭୃତି ଉପଦ୍ରବ ହେଲେ ଭାଗବତ ପାଠ, ହରିହାଟ, ସପ୍ତାଙ୍ଗ ଭାଗବତ ପ୍ରଭୃତି ହେଉଥିଲା । ଭାଗବତ ପାଠ କଲେ ଗ୍ରାମରୁ କାଳଭୟ ଦୂର ହେଉଥିଲା ବୋଲି ଲୋକମାନଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା । ଅନେକ ଲୋକଙ୍କର ସକାଳେ ସ୍ନାନ ପରି ସନ୍ଧ୍ୟାବେଳେ ଭାଗବତ ପାଠ କରିବା ନିତ୍ୟ ନୈମତ୍ତିକ କାର୍ଯ୍ୟ ଥିଲା । 

ମଣିଷ ଜ୍ଞାନେନ୍ଦ୍ରିୟ ଦ୍ୱାରା ଜାଣେ । କର୍ମେନ୍ଦ୍ରିୟ ଦ୍ୱାରା କର୍ମ କରେ । ସମସ୍ତ ଜାଗତିକ ବସ୍ତୁକୁ ଅନୁଭବରେ ଆଣିବା ପାଇଁ ଜ୍ଞାନେନ୍ଦ୍ରିୟ ଗୁଡ଼ିକୁ ସାଧନ ଭାବରେ ବ୍ୟବହାର କରାଯାଏ । କିନ୍ତୁ ଏପରି କେତେ ଗୁଡ଼ିଏ ବସ୍ତୁ ଅଛନ୍ତି, ଯେଉଁଗୁଡ଼ିକୁ ଜାଣିବାରେ ଏହି ଇନ୍ଦ୍ରିୟଗୁଡ଼ିକ ସହାୟକ ହୋଇପାରନ୍ତି ନାହିଁ । ସେଗୁଡ଼ିକୁ ଜାଣିବା ପାଇଁ ଖାସ ମନର ହିଁ ସହାୟକତା ଦରକାର ପଡେ଼ । ଉଲ୍ଲେଖଯୋଗ୍ୟ ଯେ ଭଗବାନଙ୍କୁ ଜାଣିବା ପାଇଁ ଏମାନେ (ଇନ୍ଦ୍ରିୟ, ମନ ଓ ବୁଦ୍ଧି) ସିଧାସଳଖ କିଛି ସାହାଯ୍ୟ କିମ୍ବା ସହଯୋଗ କରିପାରନ୍ତି ନାହିଁ । ଭଗବାନଙ୍କୁ ଜାଣିବା ପାଇଁ ଯେଉଁ ପ୍ରକ୍ରିୟାଟି ଆବଶ୍ୟକ ତାହାକୁ କହନ୍ତି ସ୍ୱାନୁଭବ ବା ସ୍ୱାନୁଭବ ନିମନ୍ତେ ଭକ୍ତି ଆବଶ୍ୟକ । 

ଠିକ ଏତିକିବେଳେ ଭଗବାନଙ୍କ ପ୍ରତି ଯେଉଁ ଅହେତୁକ ଭକ୍ତି ଆସେ ତାହାଦ୍ୱାରା ଭଗବାନଙ୍କ ବ୍ୟତୀତ ଭକ୍ତ ଆଉ କାହାକୁ ଶ୍ରେୟ ବୋଲି ଜାଣିପାରେ ନାହିଁ, ଠିକ ସେହି ଅବସ୍ଥା ହେଉଛି ଭଗବତ ପ୍ରାପ୍ତି ଅବସ୍ଥା । ଏହି କ୍ଷେତ୍ରରେ ନିଜେ ଭଗବାନ ଭଗବତ ପ୍ରାପ୍ତିର କାରଣ ଓ କାର୍ଯ୍ୟ ହୋଇଥାନ୍ତି । କାର୍ଯ୍ୟ କାରଣର ଏକାକାର ଅବସ୍ଥାକୁ ତଦାକାରାକାରିତ ଅବସ୍ଥା ବେଦାନ୍ତତ ଦର୍ଶନରେ କୁହାଯାଏ । ଭକ୍ତର ଏତାଦୃଶ୍ୟ ଧର୍ମକୁ ଭାଗବତ ଧର୍ମ କୁହାଯାଏ ।  ଶ୍ରୀମଦ୍‌ ଭାଗବତରେ ଅଣାକାର ପୁଣି ସାକାର ଏବଂ ଦିବ୍ୟ ଅଦିବ୍ୟର ପ୍ରତିମୂର୍ତ୍ତି ସ୍ୱୟଂ ଶ୍ରୀଜଗନ୍ନାଥ । ତାଙ୍କ ଲୋମ କୂପରେ କୋଟି କୋଟି ବ୍ରହ୍ମାଣ୍ଡ ଝୁଲୁଥିବାର ଭକ୍ତକବି ଜଗନ୍ନାଥ ଦାସ ଉଲ୍ଲେଖ କରିଛନ୍ତି - "ବ୍ରହ୍ମାଣ୍ଡ ମାଳ ମାଳ ହୋଇ, ଯା ଲୋମ କୂପେ ଦୋହଲାଇ ।' ସ୍ୱୟଂ ଭକ୍ତକବି ଭାଗବତର ଭଗବାନ ଏକ ସର୍ବବ୍ୟାପକ ଶକ୍ତି, ସେ ସକଳ ଘଟରେ ବିଦ୍ୟମାନ । "ସକଳ ଘଟେ ନାରାୟଣ, ବସଇ ଅନାଦି କାରଣ ।' ଗୀତାର "ଅହମାତ୍ମା ଗୁଡ଼ାକେଶ ସର୍ବଭୂତଶୟସ୍ଥିତ' ପରି ଭକ୍ତକବି ଜଗନ୍ନାଥଙ୍କ ଭଗବାନ ସକଳ ପ୍ରାଣୀଙ୍କର ମଙ୍ଗଳକାରକ, ସକଳ ଘଟର କ୍ରିୟାଶକ୍ତି । 
ପ୍ରଥମରୁ ଏକାଦଶ ସ୍କନ୍ଦ ପର୍ଯ୍ୟନ୍ତ ସମଗ୍ର ଭାଗବତଟି ନୀତିଶିକ୍ଷା, ସଂସାରିକ ଜୀବନ ଯାପନ କରିବା ପାଇଁ ମାର୍ଗ ନିଦର୍ଶନ ଏବଂ ଭକ୍ତି ଭାବନାରେ ପରିପୂର୍ଣ୍ଣ । ତହିଁରୁ କେତୋଟି ପଂକ୍ତି ଉଲ୍ଲେଖ କଲେ ଏହା ପରିସ୍କାର ରୂପେ ବୁଝାପଡ଼ିବ - "ସାକ୍ଷାତେ ଗୁରୁ ଯେ ଈଶ୍ୱର, ଗୁରୁଙ୍କୁ ନ ମଣିବ ନର । ଆହାରେ ଭଲମନ୍ଦ ନାହିଁ, ଯେ ସ୍ଥାନେ ଯେପରି ମିଳଇ । ଦଣ୍ଡିବା ଶକ୍ତି ସାର ଥାଇ, ସେ ପୁଣି କ୍ଷମା ଆଚରାଇ । ଧନ୍ୟ ଜୀବନ ଏ ଜଗତେ, ଯେ ପ୍ରାଣଧରେ ପରହିତେ । ସକଳ ଘଟେ ନାରାୟଣ, ବସଇ ଅନାଦି କାରଣ । ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ । ଦୁଃଖେ ସଞ୍ଚିତ ଯେତେ ଧନ, ସେ ନୁହେଁ ସୁଖେ ପ୍ରୟୋଜନ ।'
ଏକ ବିରାଟ ଭାଗବତ ଗ୍ରନ୍ଥରେ ଯୋଗ, ଧର୍ମ, ନୀତି, ଆଚାର, ବିଚାର ସହିତ ଭଗବାନଙ୍କର ଅବତାର ବର୍ଣ୍ଣନା ପାଠକ ପ୍ରାଣରେ ଅପୂର୍ବ ଭାବମୂର୍ତ୍ତି ସୃଷ୍ଟି କରେ । ମଣିଷର ମଙ୍ଗଳ କ'ଣ? ଶାସ୍ତ୍ରର ସାର କ'ଣ ଶ୍ରୀକୃଷ୍ଣ କାହିଁକି ଜନ୍ମ ଗ୍ରହଣ କଲେ । ଭଗବାନ ଶ୍ରୀକୃଷ୍ଣ କି କାର୍ଯ୍ୟ କରିଥିଲେ ଏବଂ ଶେଷରେ ଧର୍ମ କିପରି ରକ୍ଷିତ ହେଲା ଇତ୍ୟାଦି ମୁଖ୍ୟ ଛଅଗୋଟି ବିଷୟ ଭାଗବତ ଗ୍ରନ୍ଥରେ ବର୍ଣ୍ଣିତ । 
ସେଥିପାଇଁ ଭାଗବତ ଗ୍ରନ୍ଥର ପ୍ରଥମରେ ଉଲ୍ଲେଖ ରହିଛି - "କିସ ମଙ୍ଗଳ ପୁରୁଷର, ସାର କି ସକଳ ଶାସ୍ତ୍ରର । ଦେବକୀ ଗର୍ଭେ ଯଦୁସାଇଁ, ଜନ୍ମ ଲଭିଲେ କାହିଁ ପାଇଁ । କି କାର୍ଯ୍ୟ କଲେ ଭଗବାନ, ହେଲେ କି ଅବତାର ମାନ । ସେ ପ୍ରଭୁ ହୋନ୍ତେ ଅନ୍ତର୍ହିତ, ଧର୍ମ ବା ହେଲା କାହାଶ୍ରିତ । ' ଯେଉଁଠି ସକଳ ସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ଯେ ଭଗବାନଙ୍କ ଠାରେ ଐକାନ୍ତିକ ଭାବରେ ନିଜକୁ ସମର୍ପିତ କରିଥାଏ ଏବଂ ଭଗବାନ କୃପା ପ୍ରଦର୍ଶନ କରି ତାହାକୁ ଗ୍ରହଣ କରିଥାନ୍ତି ସେହିଠାରେ ଭାଗବତ ଧର୍ମର ଅବତାରଣା ହୋଇଥାଏ । ମହାଭାରତ ଓ ଭଗବତ ଗୀତାରେ ଏହାର ଉତ୍ସ ଅଛି । ଭଗବାନଙ୍କ ଠାରେ ଲୀନ ହେବା ଅପେକ୍ଷା ଭଗବତ ସାନ୍ନିଧ୍ୟ ଲାଭ ଅଧିକ ଶ୍ରେୟସ୍କର ହୋଇଥିବାରୁ ସାଯୁଜ୍ୟ ମୁକ୍ତି ଅପେକ୍ଷା ଭକ୍ତିବାଦରେ ସାଲୋକ୍ୟ ମୁକ୍ତିର ପ୍ରାଧାନ୍ୟକୁ ଅଙ୍ଗୀକାର କରାଯାଇଛି । ସାଲୋକ୍ୟ ମୁକ୍ତିଲାଭ କରିଥିବା ଭକ୍ତ ଭଗବାନଙ୍କ ସହିତ ଏକ ସ୍ଥାନରେ ଅବସ୍ଥାନ କରେ । ଜଗନ୍ନାଥଙ୍କୁ ପରମ ପ୍ରେମମୟ ଭଗବାନ ଦୃଷ୍ଟିରେ ଗ୍ରହଣ କରି ତାଙ୍କ ସହିତ ଏକତ୍ର ନିବାସ କରି ରହିବା ପ୍ରତ୍ୟେକ ଜଗନ୍ନାଥ ପ୍ରେମୀମାନଙ୍କର ପରମ ଅଭିଳାଷ । ଭଗବାନ ଯେଉଁଠି ନିତ୍ୟ-ନିରନ୍ତର ଅବସ୍ଥାନ କରନ୍ତି ସେ ସ୍ଥାନଟି ଗୋଲକଧାମ ବା ବୈକୁଣ୍ଠଧାମ । ଭଗବାନ ଶ୍ରୀଜଗନ୍ନାଥଙ୍କର ନିତ୍ୟ ଲୀଳାକ୍ଷେତ୍ର ପୁରୁଷୋତ୍ତମ ଧାମକୁ ଏହି ପରିପ୍ରେକ୍ଷୀରେ "ମର୍ତ୍ତ୍ୟ ବୈକୁଣ୍ଠ' ଭାବରେ ଗ୍ରହଣ କରାଯାଇଛି । ଏଠାରେ ଅବସ୍ଥାନ କରି ରହିବା ନିମନ୍ତେ ଭକ୍ତ ଜଗନ୍ନାଥଙ୍କ କୃପା ଉପରେ ନିର୍ଭର କରିଥାଏ । ତେଣୁ କୁହାଯାଏ ଜଗନ୍ନାଥ ଇଛା ନକଲେ ପୁରୀରେ ଖଣ୍ଡିଏ ବାସ ମିଳେନାହିଁ । ମର୍ତ୍ତ୍ୟ ବୈକୁଣ୍ଠ ରୂପକ ପୁରୁଷୋତ୍ତମ ଧାମରେ ଅବସ୍ଥାନ କରିବାର ଅର୍ଥ ସାଲୋକ୍ୟ ମୁକ୍ତି ଲାଭ କରିବା । ଏହି ଅଭିଳାଷରେ ପୁରୀରେ ଦେହ ତ୍ୟାଗ କରିବା କେତେ ପୁଣ୍ୟ ଫଳ  ବୋଲି ଗଣ୍ୟ କରାଯାଏ । ଏହି ଆଶା ନେଇ କେତେ ଦୂର ଦୂରାନ୍ତରେ ଦେହତ୍ୟାଗ କରିଥିଲେ ମଧ୍ୟ ସ୍ୱର୍ଗଦ୍ୱାରରେ ଅନ୍ତ୍ୟେଷ୍ଟି ସଂସ୍କାର କରିବା ପାଇଁ ଲୋକେ ଧାଇଁ ଆସନ୍ତି । କାରଣ ଏହିଠାରେ ଦେହ ତ୍ୟାଗ ଓ ଶବଦାହ ଦ୍ୱାରା ଜୀବର ସାଲୋକ୍ୟମୁକ୍ତି ହୁଏ । ଓଡ଼ିଶାରେ ଭାଗବତ ଧର୍ମର ପରମ ପ୍ରତୀକ ଭକ୍ତ ଜଗନ୍ନାଥଙ୍କ ଶରଣାଗତ ହୋଇ ଗାଇଛନ୍ତି - "ଜଗନ୍ନାଥ ! କିଛି ମାଗୁ ନାହିଁ ତୋତେ । ଧନ ମାଗୁନାହିଁ, ଜନ ମାଗୁନାହିଁ, ମାଗୁଛି ଶରଧା ବାଲିରୁ ହାତେ । ଓଡ଼ିଶାରେ ଜଗନ୍ନାଥ କେନ୍ଦ୍ରିକ ଭାଗବତ ଧର୍ମର ଏହା ଏକ ସଫଳ ନିଦର୍ଶନ କହିଲେ ଅତ୍ୟୁକ୍ତି ହେବନାହିଁ । 

ଷୋଡ଼ଶ ଶତାବ୍ଦୀର ଅନ୍ୟତମ ବିଶିଷ୍ଟ କବି ଶ୍ରୀଜଗନ୍ନାଥ ଦାସ ଭାଗବତ ରଚନା କରି ଯେଉଁ ଗୌରବ ଅର୍ଜନ କରିଯାଇଛନ୍ତି ତାହା କ୍ୱଚିତ କବିଙ୍କ ଭାଗ୍ୟରେ ମିଳିପାରିଥାଏ । ସେ ଧର୍ମ ସାହିତ୍ୟକୁ ସଂସ୍କୃତର ନିଗଡ଼ ବନ୍ଧନରୁ ମୁକ୍ତକରି ଯେ କୌଣସି ଓଡ଼ିଆ ଲେଖିପଢ଼ି ଜାଣିଥିବା ବ୍ୟକ୍ତିଙ୍କୁ ପଠନର ଅଧିକାର ଦେଇଯାଇଛନ୍ତି । ଅତିବଡ଼ୀ ଜଗନ୍ନାଥ ଦାସ କିନ୍ତୁ ଜଗନ୍ନାଥଙ୍କୁ ଅବତାର ରୂପେ ମାନିଛନ୍ତି । ସେ ସେଥିପାଇଁ ଲେଖିଛନ୍ତି :- "ନମସ୍ତେ ପ୍ରଭୁ ଜଗନ୍ନାଥ, ଅନାଥ ଲୋକଙ୍କର ନାଥ । ହୋଇଲୁ ଦଶ ଅବତାର, ନାଶିଲୁ ଅବନୀର ଭାର । ନମସ୍ତେ ପ୍ରଭୁ ଜଗନ୍ନାଥ, ଯାର ଶଣୀର ଏ ଜଗତ, ତୁ ବିଶ୍ୱନାଥ ଜଗତ ପତି, ମହାପୁରୁଷ ସର୍ବରାତି ।'

ମୋ:୯୪୩୭୦୦୪୪୬୬