ଶାଗ ମାଛ ଦରରେ ବିକ୍ରି ହେଉଛି ଚାଷ ଜମି  


ବ୍ରହ୍ମପୁର:  ବ୍ରହ୍ମପୁର ଓ ଶେରଗଡ଼ ଅଞ୍ଚଳର ଜମି ମାଫିଆଙ୍କ କବଳରେ ବହୁ ଚାଷ ଜମିରେ ପ୍ଲଟକରି ବିକ୍ରି ହେଉଥିବା ଜଣାପଡ଼ିଛି । ଶେରଗଡ଼ ରାସ୍ତା କଡ଼ରେ ଥିବା ବହୁ ଚାଷ ଜମିକୁ ଜମି ମାଫିଆ ମାନେ ଚାଷୀମାନଙ୍କ ଠାରୁ ଶାଗ ମାଛ ଦରରେ କଳେବଳେ କ୍ରୟ କରିଛନ୍ତି । ସେ ଜମିରେ ପ୍ଲଟ କାଟି ବିକ୍ରି କରୁଥିଲେ ବି ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ଏହି ସବୁ ରାସ୍ତା କଡର ଚାଷ ଜମିରେ ପୂର୍ବରୁ ବିଭିନ୍ନ କିସମର ଚାଷ ହେଉଥିଲା । ସ୍ଥାନୀୟ ଅଞ୍ଚଳର ଦଲାଲମାନଙ୍କୁ ଜମି ମାଫିଆ ମାନେ ଅର୍ଥର ଲୋଭ ଦେଖାଇ ପ୍ଲଟିଙ୍ଗ କରି ବିକ୍ରି କରୁଥିବା ଜମିକୁ ପୁଣି ଘରବାରି କରି ଚଢ଼ା ଦରରେ ବିକ୍ରି କରୁଥିବା ଚର୍ଚ୍ଚା ଜୋର ଧରିଛି । କେତେକ ପ୍ଲଟରେ ଗୃହ ନିର୍ମାଣ କରି ଜମି ଦର୍ଶାଇ ରେଜିଷ୍ଟ୍ରେସନ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ପୂର୍ବ ସୂଚନା ପାଇ ଯେଉଁ ସବୁ ଅଞ୍ଚଳରେ ସରକାରୀ କାର୍ଯ୍ୟାଳୟ ହେବ ସେ ଅଞ୍ଚଳର ଚାଷ ଜମି ମାଫିଆ ମାନେ କ୍ରୟ କରୁଥିବା ଦେଖିବାକୁ ମିଳିଛି । ଯଦି କିଏ ପ୍ରତିବାଦ କରିଲେ ଆସିକା ଓ ବ୍ରହ୍ମପୁର ଅଞ୍ଚଳର ମାଫିଆ ମାନଙ୍କ ଜରିଆରେ ଧମକ ଚମକ ମିଳୁଥିବା ନେଇ ଚର୍ଚ୍ଚା ହେଉଛି । ସନ୍ଧ୍ୟା ନଇଁଲେ ଉକ୍ତ ପ୍ଲଟିଙ୍ଗ ହୋଇଥିବା ସ୍ଥାନରେ ମାଫିଆ ମାନଙ୍କ ଆଡ୍ଡା ଜମୁଥିବା ମଧ୍ୟ ଦେଖିବାକୁ ମିଳୁଛି । ସରକାରଙ୍କ ସମସ୍ତ ନୀତିନିୟମକୁ ଉଲଘଂନ କରି ଚାଷ ଜମିରେ ପ୍ଲଟିଙ୍ଗ କରି ବିକ୍ରି କରାଯାଉଛି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଏହି ଅବ୍ୟବସ୍ଥା ହେବା ସହ ଦିଗପହଣ୍ଡି ଅଞ୍ଚଳକୁ ଏବେ ଜମି ମାଫିଆ ମାନଙ୍କ ନେଟୱାର୍କ ଆରମ୍ଭ କରି ଚାଷ ଜମି କ୍ରୟ କରୁଥିବା ନଜିରକୁ ଆସିଛି । ଶେରଗଡ଼କୁ ଏନଏସିର ମାନ୍ୟତା ମିଳିବା ପରେ ଏହି ସବୁ ଚାଷ ଜମିରେ ହୋଇଥିବା ପ୍ଲଟର ଚାହିଦା ବଢ଼ିଯାଇଛି । ବେଳ ଥାଉ ଥାଉ ପ୍ରଶାସନ ଯଦି ଜମି ମାଫିଆଙ୍କ ପ୍ରତି ଲଗାମ ନ ଲଗାଇଲେ ଶେରଗଡ଼ ଅଞ୍ଚଳରେ ଆଉ ଚାଷ ଜମି ସ୍ୱପ୍ନ ହୋଇ ରହିଯିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।