ଶାନ୍ତି ଶକ୍ତି ଭବନରେ ଆଧ୍ୟାତ୍ମିକ ସ୍ନେହ ମିଳନ
ଆସିକା: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନରେ ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ଏକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଭଉଣୀ ଭାଇ ପ୍ରାତଃ କାଳରୁ ବିଶ୍ୱ ଶାନ୍ତି ସକାଶେ ଯୋଗର ଦାନ କରିଥିଲେ । ନୂତନ ବର୍ଷରେ ସହର ବାସୀଙ୍କ ସ୍ୱାସ୍ଥ୍ୟ ଓ ସମୃଦ୍ଧିର କାମନା କରିବା ସହିତ ପରମାତ୍ମା ଶିବ ପିତା ସମସ୍ତଙ୍କ ଜୀବନକୁ ଅନେକ ସୁଅବସର ପ୍ରଦାନ କରନ୍ତୁ ବୋଲି ଶୁଭେଚ୍ଛା ଜ୍ଞାପନ କରିଥିଲେ ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ପ୍ରଭାତୀ । ଏହି ଅବସରରେ ଆସିକାରେ ନବ ନିଯୁକ୍ତ ଏସ୍ପିଡିଓ ଜି. ଏନ୍. ପଟ୍ଟନାୟକଙ୍କୁ ପୁଷ୍ପ ଗୁଚ୍ଛ ଦ୍ୱାରା ସ୍ୱାଗତ କରିଥିଲେ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ । ଜୀବନରେ ନିଷ୍ଠା ଓ ଇଶ୍ୱର ବିଶ୍ୱାସ ବଳରେ ସଫଳତା ପ୍ରାପ୍ତ ହୁଏ ବୋଲି ମତବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ ଏସ୍.ଡି.ପି.ଓ ଶ୍ରୀଯୁକ୍ତ ପଟ୍ଟନାୟକ ।