ଶିକ୍ଷକଙ୍କୁ ପ୍ରତାରଣା କରନ୍ତୁ ନାହିଁ : ଭକ୍ତ
ଭୁବନେଶ୍ୱର : ବିଜେପି ସରକାର ଗଠନ କରିବା ୧୪ ମାସ ମଧ୍ୟରେ ନାରୀ ନିର୍ଯାତନା, ଅପରାଧ, ଲୋକଙ୍କ ଦୁର୍ଦ୍ଦଶା, ମିଥ୍ୟା ପ୍ରତିଶ୍ରୁତି ଆଦି ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ବର୍ତ୍ତମାନ ମୋହନ ସରକାରଙ୍କ ଦ୍ୱାରା ପ୍ରତାରିତ ଶିକ୍ଷକ ରାଜରାସ୍ତାରେ । ଆଜି ଦୁଇଗୋଟି ଭିନ୍ନ ଅନୁଷ୍ଠାନ ତାଙ୍କ ଦାବି ନେଇ ସଚିବାଳୟ ସମ୍ମୁଖ ମହାତ୍ମା ଗାନ୍ଧୀ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରତାରିତ ଶିକ୍ଷକ ଓ ଅଧ୍ୟାପକଙ୍କ ଦାବିମାନ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ସରକାର କର୍ପୋରେଟ ହାଉସ ଦ୍ୱାରା ପରିଚାଳିତ ସ୍କୁଲ ଓ ଶିକ୍ଷାନୁଷ୍ଠାନ ମାନଙ୍କୁ ଅଗ୍ରାଧିକାର ଦେଉଥିବା ବେଳେ ନିଜ ଶିକ୍ଷାନୁଷ୍ଠାନ ମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛନ୍ତି । ସୂଚନାଯୋଗ୍ୟ, ମୋହନ ସରକାର ଆସିବା ଦିନଠୁ ୧୨ ଥର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରତ୍ୟକ୍ଷ ସାକ୍ଷାତକରି ଦାବି ଜଣେଇଥିଲେ ସୁଦ୍ଧା ସରକାର କିଛି ପଦକ୍ଷେପ ନେଇ ନାହାନ୍ତି । ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମହାସଂଘ ଏବଂ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ସମସ୍ତ ଶିକ୍ଷକ ଏବଂ କର୍ମଚାରୀଙ୍କ ପ୍ରତି ସରକାରଙ୍କ ପ୍ରତାଡନାକୁ ନିନ୍ଦା କରିବା ସହ ଅତିଶୀଘ୍ର ସେମାନଙ୍କ ଦାବି ଗ୍ରହଣ କରି ସରକାର ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଓଡିଶା ପ୍ରଦେଶ କଂଗ୍ରେସ ସରକାରଙ୍କଠାରେ ଦାବି କରୁଛି ।