ଶିବଙ୍କ ବିରୋଧରେ ଏସପିଙ୍କୁ ଭେଟିଲେ ପ୍ରୀତି
ଯାଜପୁର : କାଳିଆପାଣି ଆଇଆଇସିଙ୍କ ବିରୁଦ୍ଧରେ ଦୁଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପାଇଁ ଆଇଆଇସି ହିଁ ଦାୟୀ । ଆଇଆଇସି ଶିବଚରଣ ବେହେରାଙ୍କ ଆକ୍ରମଣରେ ଭେଣ୍ଡିଆ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହେଉଛନ୍ତି । ଆଇଆଇସିଙ୍କ ପାଇଁ ଥାନା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏସପିଙ୍କୁ ଭେଟି ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତିରଂଜନ ଘଡ଼ାଇ ଆଇଆଇସି ଶିବ ପ୍ରସାଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଜି ଶତାଧିକ ସମର୍ଥକଙ୍କ ଗହଣରେ ପାଣିକୋଇଲି ଏସପି କାର୍ଯ୍ୟାଳୟରେ ପହଞ୍ଚି ପ୍ରୀତି ଆଇଆଇସିଙ୍କ ବିରୁଦ୍ଧରେ ବିଶୋଦଗାର କରିଥିଲେ । ଏଥି ପୂର୍ବରୁ ଗଲା ୨୪ତାରିଖରେ ପ୍ରୀତି କଳିଙ୍ଗନଗର ଅତିରିକ୍ତ ଏସପିଙ୍କୁ ଭେଟି ଆଇଆଇସିଙ୍କ ବିରୁଦ୍ଧରେ ପକ୍ଷ ରଖି ୨୪ଘଣ୍ଟା ଭିତରେ କ୍ଷମା ପ୍ରାର୍ଥନା କରିବାର ଦାବି ରଖିଥିଲେ । ଆଇଆଇସି ସାଧାରଣ ଲୋକଙ୍କୁ ଅସମ୍ମାନିତ କରିବା ସହ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସମ୍ମାନ ଦେଉ ନାହାନ୍ତି । ଜାତି ନାଁ ଧରି ଗାଳିଗୁଲଜ କରୁଛନ୍ତି । ନିଜେ ଥାନାଧିକାରୀ ବିଜେପିର ଗୁଣ୍ଡା ସାଜିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଅଆଦିବାସୀ ହୋଇଥିଲା ବେଳେ ସୁକିନ୍ଦାର ଆଦିବାସୀ ମାନଙ୍କୁ ଅସମ୍ମାନିତ କରିବାର ଅଧିକାର ଥାନା ଅଧିକାରୀ ଶିବଚରଣ ବେହେରାଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କରିଥିଲେ ।