ଦୈତାରୀ-ମାନପୁର ପାଲଟିଛି ଚୋରା କାରବାର କରିଡର

 ଯାଜପୁର : ଦୈତାରୀ-ମାନପୁର ପାଲଟିଛି ଚୋରା କାରବାରର କରିଡର । ଦୈତାରୀରୁ ସୁକିନ୍ଦା ରୋଡ଼ ଷ୍ଟେସନ(ମାନପୁର)କୁ ବୋଝେଇ ହୋଇ ଆସୁଥିବା ଲୁହାପଥର ବାଟରୁ ବାଟରୁ ହୋଇ ଚାଲିଛି ଲୁଟ । ରାତିକେ ଲକ୍ଷାଧିକ ଟଙ୍କାର ଲୁହାପଥର ଲୁଟ ହୋଇ ବିକ୍ରି ହୋଇଆସୁଥିବା ବେଳେ ବାଧ୍ୟବାଧକତାରେ ଖଣି ବିଭାଗ ଗଲାକାଲି କଳିଙ୍ଗନଗର ଥାନା ବାଲିଆପାଳର ଚୋରା ଡମ୍ଫୟାଡ୍ ଉପରେ ଚଢାଉ କରି ପ୍ରାୟ ୧୨ଟନ୍ରୁ ଉର୍ଦ୍ଧ ଲୁହାପଥର ଜବତ୍ କରିଛି । ଜବତ ଲୁହାପଥର ମୂଲ୍ୟ କେତେ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଦୈତାରୀରୁ ପରିବହନ ହୋଇ ଆସୁଥିବା ବେଳେ ବାଟରୁ ଲୁଟ୍ ହେବା ଘଟଣା କେବଳ ଖଣି ବିଭାଗ ନୁହେଁ, ପୁଲିସ ଏବଂ ପରିବହନ ସଂସ୍ଥ୍ା ଉପରେ ସାଧାରଣରେ ସନେ୍ଦହ ସୃଷ୍ଟି ହୋଇଛି । ବାଲିଆପାଳରେ ବେଆଇନ ଭାବେ ଲୁହାପଥର ଗଛିତ ଥିବା ନେଇ ଖବର ସୂର୍ଯ୍ୟପ୍ରଭାରେ ଗଲା ଫେବ୍ରୁଆରୀ ମାସରେ ପ୍ରକାଶ ପାଇଥିଲା । ଏପରିକି ଖଣି ବିଭାଗ ଏବଂ ପୁଲିସକୁ ମଧ୍ୟ ଏଖବର ମିଳିଥିଲା । ହେଲେ ନାଁ ଖଣି ବିଭାଗ ନାଁ ପୁଲିସ ଚଢ଼ଉ କରିବାକୁ ମନ କରିଥିଲା । ଫଳରେ ମାଫିଆ ବେଫିକର ହୋଇ ଲୁହାପଥର କାରବାରକୁ ଦ୍ୱିଗୁଣିତ କରିଥିଲେ । ଦୁଇଦିନ ତଳେ ବାଲିଆପାଳରେ ବିପୂଳ ପରିମାଣର ଲୁହାପଥର ଡ଼ମ୍ପି ହୋଇଥିବା ନେଇ ଏସପିଙ୍କ ନଜରକୁ ଆସିଥିଲା । ଏସପିଙ୍କ ସୂଚନା ପରେ ଖଣି ବିଭାଗ ପକ୍ଷରୁ ଏକ ଟିମ ଗଲାକାଲି ସଂପୃକ୍ତ ସ୍ଥାନରେ ଚଢାଉ କରି ୧୨ଟନ ଲୁହାପଥର ଗଛିତ ଅବସ୍ଥାରେ ଜବଦ କରିଥିଲେ । ଜବଦ ଲୁହାପଥର  କିଏ ଗଛିତ ରଖିଥିଲା, ମାଫିଆ ଗ୍ୟାଙ୍ଗର ସର୍ଦାର କିଏ ତାହାକୁ ନେଇଅନ୍ଧାରରେ ରହିଛି ଖଣିବିଭାଗ । ତେବେ ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ଖବର ମତେ ଦୈତାରୀରୁ ଲୁହାପଥର ଟିପ୍ପରରେ ବୋଝେଇ ହୋଇ ସିଧା ମାନପୁର ରେଳଷେଟସନକୁ ଆସିଥାଏ । ଲୁହାପଥର ବୋଝେଇ ହୋଇ ଆସିବା ବେଳେ ଟିପ୍ପ୍ର ଟିପି ଏବଂ ଏସଂପର୍କିତ ଚାଲାଣ ଧରି ଆସିଥାଏ । ଯାହାକୁ ଟିପ୍ପର ଚାଳକ ଅନଲୋଡ଼ିଂ ବେଳେ ଯାଂଚ ବେଳେ ପଇଠ କରିଥାନ୍ତି । ହେଲେ ଦୈତାରୀରୁ ବୋଝେଇ ହୋଇ ଆସୁଥିବା ନିଦ୍ଧିଷ୍ଟ ଗାଡ଼ି ବାଟରୁ ବାଟରୁ ଲୁହାପଥରକୁ ମାଫିଆଙ୍କ ହାତରେ ଟେକି ଦେଇଥାନ୍ତି । ଆଉ ମାନପୁରରେ ଉକ୍ତ ଗାଡ଼ି ପହଁଚିଥିବା ଏବଂ ଓଜନ କଂଟା ସହ ସବୁ ଠିକଠାକ ଥିବା ଦର୍ଶାଇ ଚାଲାଣକୁ ଓକେ ହୋଇଯାଇଥାଏ । ଏଭଳି ଭାବେ ଚାଲାଣ ଓକେ କରାଯାଇ ରାତିରେ ଲକ୍ଷାଧିକ ଟଙ୍କାର ଲୁହାପଥର ବାଟରୁ ଲୁଟ ହୋଇଯାଇଥାଏ । ଆଉ ମାନପୁରରେ ଚାଲାଣ ଓକେ ହୋଇଯାଇଥାଏ । ଯାହା ଫଳରେ ରେଳୱାଗନରେ ପରିବହନ ହେବାକୁ ଆସୁଥିବା ଲୁହାପଥର ଚୋରା କାରବାର ସହଜରେ ହୋଇଆସୁଥିବା ବେଳେ, ଏହାର ଟେର କିଭଳି ପରିବହନ ବିଭାଗ ପାଇପାରୁ ନଥିଲା, ତାହା ଆଶ୍ଚର୍ଯ୍ୟ କରିବା ପରି ହୋଇଛି ।  ଚୋରା ର୍ୟାକେଟ୍ ପଛରେ ବହୁ ବଡବଡିଆ ଥିବାର ସନେ୍ଦହ କରାଯାଉଛି । କିନ୍ତୁ ପୁଲିସ ହାତବାନ୍ଧି ବସିଛି । ଏସ୍ପି ମାମଲାକୁ ଗୁରୁତର ସହିତ ନେଇ ଚୋରା ର୍ୟାକେଟ୍ ପଛରେ ଲୁଚି ରହିଥିବା ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି କରାଯାଇଛି ।