ଶିଳାନ୍ୟାସରେ ଅଟକିଛି ସୁବଳୟା ବ୍ୟାରେଜ୍ ନିର୍ମାଣ

 ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଡ଼ିମିରିଆରୁ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ରାଉତପଡାକୁ ସଂଯୋଗ କରୁଥିବା ସୁବଳୟା ବ୍ୟାରେଜ୍ ନିର୍ମାଣ  ଶିଳାନ୍ୟାସରେ ଅଟକିଛି । ନିର୍ବାଚନ ପୂର୍ବରୁ ଗତ ୨୦୨୩ମସିହା ମାର୍ଚ୍ଚ ମାସ ୨ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଏହି ବ୍ୟାରେଜର ଶିଳାନ୍ୟାସ ହୋଇଥିଲା । କିନ୍ତୁ ଶିଳାନ୍ୟାସକୁ ୧୬ ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଦେ ଆଗେଇନି କାର୍ଯ୍ୟ । ଶିଳାନ୍ୟାସରେ ଅଟକିଛି ବ୍ୟାରେଜ ନିର୍ମାଣର ଭାଗ୍ୟ । ସରକାର ବଦଳି ଯାଇଥିବାରୁ ଏହି କାମ ଆଗେଇବ କି ନାହିଁ ସେ ନେଇ ଆଶା ଆଶଙ୍କାରେ ନରସିଂହପୁରବାସୀ । ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ବ୍ୟାରେଜ ନିର୍ମାଣ କାର୍ଯ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । 
ପ୍ରକାଶ ଯେ, ମହାନଦୀରେ ବ୍ୟାରେଜ୍ ନିର୍ମାଣ ପାଇଁ କଟକ ଜିଲ୍ଲା ନରସିଂହପୁର ବ୍ଲକର ଡ଼ିମିରିଆ ଠାରୁ ନୟାଗଡ ଜିଲ୍ଲା ଗଣିଆ ବ୍ଲକର ରାଉତପଡ଼ା ପର୍ଯ୍ୟନ୍ତ ଏବଂ ସୁବଳୟା ଠାରୁ  ଡ଼ଙ୍କାରୀସାହି ପର୍ଯ୍ୟନ୍ତ ଦୁଇଟି ସ୍ଥାନରେ ମାଟି ଓ ପଥର ଆଦି ବିଭିନ୍ନ ପରୀକ୍ଷା ହୋଇଥିଲା । ଏହାର ରିପୋର୍ଟ ଆସିବା ପରେ ଡିଜାଇନ୍,ଏଷ୍ଟିମେଟ୍ ଓ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୁଇଟି ସ୍ଥାନ ମଧ୍ୟରୁ ସୁବଳୟା- ଡ଼ଙ୍କରୀସାହି, ଡ଼ିମିରିଆ- ରାଉତପଡ଼ା ଦୁଇଟି ସ୍ଥାନକୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ଡ଼ିମିରିଆରୁ ରାଉତପଡ଼ାକୁ ସଂଯୋଗ କରୁଥିବା ସ୍ଥାନକୁ ଚିÿହ୍ନଟ କରାଯାଇଥିଲା । ଏହି ସ୍ଥାନ ଚିହ୍ନଟ ହେବାର ୪ବର୍ଷ ହେଲା କାର୍ଯ୍ୟର ଆଉ କୌଣସି ଅଗ୍ରଗତି ହୋଇନଥିଲା । ଯାହାଫଳରେ ବ୍ୟାରେଜ୍ ନିର୍ମାଣ ହେବ କି ନାହିଁ ତାହାକୁ ନେଇ ଅଞ୍ଚଳବାସୀ ଅନିଶ୍ଚିତତା ମଧ୍ୟରେ ରହିଥିଲେ । ୨୦୨୨ ମସିହାରେ  ଏହି ବ୍ୟାରେଜ ନିର୍ମାଣକୁ ସବୁଜ ସଙ୍କେତ ମିଳିଥିଲା । ଯାହାଫଳରେ ଏକ ପ୍ରତିନିଧି ଦଳ  ନରସିଂହପୁର ଆସି ସର୍ଭେ କରି ଯାଇଥିଲେ । ତା’ପରେ ଆଉ କୌଣସି କାର୍ଯ୍ୟର ଅଗ୍ରଗତି ହୋଇନଥିଲା । ଗତ ନିର୍ବାଚନ ପୂର୍ବରୁ ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା । ଶିଳାନ୍ୟାସ ପରେ ବିଜେଡି ସରକାର କ୍ଷମତାରୁ ଗଲା ପରେ ଏବେ ବିଜେପି ସରକାର କ୍ଷମତାକୁ ଆସିଛି । ବିଜେପି ସରକାର କ୍ଷମତାକୁ ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବ୍ୟାରେଜ ନିର୍ମାଣ କାର୍ଯ୍ୟ ସମ୍ପର୍କରେ କୌଣସି ସୂଚନା କିମ୍ବା କାମର କୌଣସି ଅଗ୍ରଗତି ହେଉ ନ ଥିବାରୁ ବ୍ୟାରେଜ ହେବ କି ନାହିଁ ସେ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ଆଶଙ୍କା ପ୍ରକାଶ ପାଇଛି । ଡ଼ିମିରିଆରୁ ରାଉତପଡ଼ା କୁ ସଂଯୋଗ କରୁଥିବା ମହାନଦୀରେ ବ୍ୟାରେଜ ନିର୍ମାଣ ହେଲେ କଟକ ଜିଲ୍ଲା ସହିତ ନୟାଗଡ଼, ବୌଦ୍ଧ ଜିଲ୍ଲାକୁ ଗମନାଗମନ ସୁବିଧା ସହିତ ଦୂରତା ମଧ୍ୟ କମିବ । ଯାହାଫଳରେ ବାଣିଜ୍ୟ କାରବାର ବଢିବା ସହିତ ପାନୀୟ ଜଳ, ଜଳସେଚନ ସୁବିଧା ସହିତ ଭୁତଳ ଜଳସ୍ତର ବୃଦ୍ଧି ପାଇବ । ତା’ସହିତ ମତ୍ସ୍ୟଜୀବୀମାନେ ମାଛ ମାରି ଜୀବିକା ନିର୍ବାହ କରିପାରିବେ ।
  ଅନ୍ୟପକ୍ଷରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବଡମ୍ବା-ନରସିଂହପୁର ବ୍ଲକରେ ୨୧୭ କୋଟି ଟଙ୍କା ବ୍ୟୟ ଅଟକଳରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଯାହାଫଳରେ ବଡମ୍ବା ବ୍ଲକର ୩୮ଟି ପଞ୍ଚାୟତର ୨୨୭ଟି ଗାଁ, ନରସିଂହପୁର ବ୍ଲକର ୩୫ଟି ପଞ୍ଚାୟତ ୨୦୪ଟି ଗାଁ ମୋଟ ୭୩ଟି ପଞ୍ଚାୟତର  ୪୩୧ଟି ଗ୍ରାମର ୩ ଲକ୍ଷରୁ ଅଧିକ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇ ପଡ଼ୁଛି । ମହାନଦୀରେ ପାଣି ନଥିବାରୁ ଏହି ପ୍ରକଳ୍ପ ବିଶେଷ କରି ଆଗେଇ ପାରୁନି । ଯଦି ମହାନଦୀରେ ବ୍ୟାରେଜ୍ ନିର୍ମାଣ ନହୁଏ, ତାହେଲେ ଖରାଦିନେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବନ୍ଦ ହୋଇଯିବାର ଆଶଙ୍କା ରହିଛି । ସେହିପରି ଉଭୟ ବଡ଼ମ୍ବା ନରସିଂହପୁର ବ୍ଲକର ୪୨ ହଜାରରୁ ଅଧିକ ଏକର ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ୩୭୨ କୋଟି ଟଙ୍କା ବ୍ୟୟରେ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି ସତ, କିନ୍ତୁ ବର୍ଷାଦିନେ କେବଳ ବନ୍ୟା ସମୟକୁ ଛାଡ଼ିଦେଲେ ଅନ୍ୟ ସମୟରେ ଆବଶ୍ୟକୀୟ ପାଣି ରହୁ ନଥିବାରୁ ବର୍ଷା ଦିନେ ଖରିଫ ଋତୁରେ ମଧ୍ୟ କାର୍ଯ୍ୟ ହୋଇପାରୁନି । ଯାହାଫଳରେ ବ୍ୟାରେଜ୍ ନିର୍ମାଣ ନ ହେଲେ ନରସିଂହପୁର ବ୍ଲକରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ମେଗା ଜଳସେଚନ ପ୍ରକଳ୍ପ ଏକ ପ୍ରକାର ଅଚଳ ହୋଇ ପଡିବା ସହ ପ୍ରାୟ ୬ ଶହ କୋଟି ଟଙ୍କା ପାଣିରେ ପଡ଼ିବାର ସମ୍ଭାବନା ରହିଛି । ତା’ ସହିତ ଗମନାଗମନ, ଭୂତଳ ଜଳସ୍ତର, ବନ୍ୟଜନ୍ତୁ ମାନେ ପାଣି ପିଇବା, ମତ୍ସ୍ୟଜୀବୀମାନେ ଜୀବିକା ହରାଇବା ଆଦି ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ବ୍ୟାରେଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦାବି ସାଧାରଣରେ ଦାବି ହୋଇଛି ।