ଶିଳ୍ପ ଆଶା ଏବେବି ସ୍ୱପ୍ନରେ, ପଡିନି ଇଟା ଖଣ୍ଡିଏ
କେନ୍ଦ୍ରାପଡ଼ାରୁ ଉତ୍କଳ କେଶରୀ ପାହାଡସିଂ : ଅବିଭକ୍ତ କଟକ ଜିଲ୍ଲାରୁ ବିଭକ୍ତ ହୋଇ "କେନ୍ଦ୍ରାପଡ଼ା ଜିଲ୍ଲା" ଭାବେ ନୂତନ ଜିଲ୍ଲାର ମାନ୍ୟତା ମିଳିବାକୁ ବିତିଗଲାଣି ବତିଶି ବର୍ଷ।କିନ୍ତୁ ଅଦ୍ୟାବଧି ଜିଲ୍ଲାବାସୀଙ୍କ ଶିଳ୍ପ ପ୍ରତିଷ୍ଠା ଆଶା ଏବେବି ରହିଯାଇଛି ସ୍ୱପରେ।ନିର୍ବାଚନ ଆସିଲେ ମଞ୍ଚ ଉପରୁ ନେତା ମନ୍ତ୍ରୀଙ୍କ ମୂଖରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଗଢିଉଠେ ଅନେକ ଶିଳ୍ପ।ପ୍ରତିଶ୍ରୁତିର ପାହାଡ଼ ଛିଡା ହୁଏ ଜିଲ୍ଲାବାସୀଙ୍କ ସାମ୍ନାରେ।କିନ୍ତୁ ,ନିର୍ବାଚନ ଶେଷ ହୋଇଯିବାପରେ ଆଉ କାହାରି ମୁହଁରେ ଶୁଣିବାକୁ ମିଳେନାହିଁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠାର ବାସ୍ତବ ରୂପରେଖ।
ତତ୍କାଳୀନ ରାଜ୍ୟ ସରକାରଙ୍କ ସମୟରେ ଏକାଧିକ କମ୍ପାନୀ ମାନଙ୍କ ସହ ବିଭିନ୍ନ ସମୟରେ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ଠାରେ ଇଟା ଖଣ୍ଡିଏ ମଧ୍ୟ ନପଡ଼ିବା ଜିଲ୍ଲାବାସୀଙ୍କୁ ବେସ୍ ମର୍ମାହତ କରୁଛି।
ରାଜ୍ୟରେ ପ୍ରଥମ ନଦୀ ଭିତ୍ତିକ ବନ୍ଦର କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ୍ ଆଖଡାଶାଳି ଠାରେ ପ୍ରତିଷ୍ଠା ହେବ ବୋଲି ପ୍ରତିଶ୍ରୁତି ମିଳିଥିଲେ ବି ଏପର୍ଯ୍ୟନ୍ତ ଏହାର ଭିତ୍ତିଭୂମି ପ୍ରସ୍ତୁତ ହୋଇନପାରିବା କାରଣରୁ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ଆଶା ଧୀରେ ଧୀରେ ମଉଳି ଗଲାଣି ବୋଲି ଅଞ୍ଚଳବାସୀ ମତ ଦେଉଛନ୍ତି।ତେବେ ପୁଣି ୨୦୨୧ ମସିହାରେ ମହାକାଳପଡ଼ା ବ୍ଲକରେ ଏକ ବୃହତ୍ ଶିଳ୍ପ ପ୍ରତିଷ୍ଠା ହେବବୋଲି ଘୋଷଣା ହୋଇଥିଲା ଏବଂ ଏଥିନିମନ୍ତେ ଜମି ଅଧିଗ୍ରହଣ ଆରମ୍ଭ ହୋଇଥିଲେ ବି ସେମିତି କିଛି ଆଖିଦୃଶିଆ ଅଗ୍ରଗତି ହେଉନଥିବାରୁ ଏହି ବୃହତ୍ ଆଶା କେତେଦୂର ପୂରଣ ହେବ ତାହାନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି।କଥା ଏତିକିରେ ସୀମିତ ହୋଇରହିନାହିଁ।ଆହୁରି ମଧ୍ୟ ମହାକାଳପଡ଼ା ଅଞ୍ଚଳରେ ବରୁଣେଇ ବନ୍ଦର ପ୍ରତିଷ୍ଠା ,ମାର୍ଶାଘାଇ ଅଞ୍ଚଳରେ ଗ୍ୟାସ୍ ବେସଡ୍ ପାୱାର ପ୍ଲାଣ୍ଟ ଭଳି ଶିଳ୍ପ କରିଡ଼ର ପ୍ରତିଷ୍ଠା ପାଇଁ ତତ୍କାଳୀନ ରାଜ୍ୟସରକାରଙ୍କ ତରଫରୁ ଗ୍ରୀନ ସିଗ୍ନାଲ ମିଳିଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ବର୍ତ୍ତମାନ ଅନିଶିନ୍ତିତା ମଧ୍ୟକୁ ଠେଲି ହୋଇ ଯାଇଛି।ସେହିପରି ତତ୍କାଳୀନ ସରକାରଙ୍କ ଅମଳରେ ପାଟକୁରା ଠାରେ ଅଏଲ୍ ଇଣ୍ଡିଆ କମ୍ପାନୀ କୁ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋପାରିନାହିଁ।ଏଥିସହ ଗ୍ରୋ ମାକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ,କୈବଲ୍ୟ ଲଜିଷ୍ଟିକ ପ୍ରାଇଭେଟ୍ ଲିମିଟେଡ ପରି କମ୍ପାନୀ ମାନଙ୍କୁ ତତ୍କାଳୀନ ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶିଳ୍ପ କରିଡ଼ର ପ୍ରତିଷ୍ଠା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ ମଧ୍ୟ କୌଣସି ଠାରେ ଇଟା ଖଣ୍ଡିଏ ମଧ୍ୟ ନପଡିବା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଆଶା ଧୀରେ ଧୀରେ ଧୂଳିସାତ ହୋଇଯାଉଛି ବୋଲି ଜିଲ୍ଲାବାସୀ କ୍ଷୋଭପ୍ରକାଶ କରୁଛନ୍ତି।
ତେବେ ଜିଲ୍ଲାରେ କୌଣସି ଶିଳ୍ପ କାରଖାନା ପ୍ରତିଷ୍ଠା ହେଉନଥିବାରୁ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଶ୍ରମିକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି।ଜିଲ୍ଲାର ରାଜନଗର ଓ ମହାକାଳପଡ଼ା ଅଞ୍ଚଳରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଥିବା ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି।ସମର୍ଥିତ ସୁତ୍ରର ତଥ୍ୟ ଅନୁଯାଇ ସପ୍ତାହର ପ୍ରତି ଶୁକ୍ରବାର ରାଜନଗର ଅଞ୍ଚଳରୁ ତିନି ତିନୋଟି ବସ୍ ଯୋଗେ ବେନିୟମ ଭାବେ କେରଳ ରାଜ୍ୟକୁ ଶତାଧିକ ଶ୍ରମିକ ଯିବା ଆସିବା କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଏ ଦିଗରେ ନୀରବ ଦ୍ରଷ୍ଟା ସାଜିଥିବା କୁହାଯାଉଛି।ମହାକାଳପଡ଼ା ଅଞ୍ଚଳର ଦାଦନ ଶ୍ରମିକ ସତ୍ୟବାନ୍ ସାମଲ,ବାବୁଲାଲ ସେଠୀ,ଜଂଗଲୀ ସାମଲ କୁହନ୍ତି ଆମ ଜିଲ୍ଲା କୃଷି ଭିତ୍ତିକ ଜିଲ୍ଲା ହୋଇଥିଲେ ମଧ୍ୟ କ୍ଷେତରେ ଜଳସେଚନ ସମସ୍ୟା ଲାଗିରହିଥିବାରୁ ବର୍ଷକ ବାର ମାସ ଗାଁ ରେ ରହି କୃଷି କାର୍ଯ୍ୟ ସମ୍ପାଦନ କରି ପରିବାର ପୋଷଣ କରିବା ସମ୍ଭବ ହେଉନଥିବାରୁ ଆମକୁ ଶିଳ୍ପାନୁଷ୍ଠାନ ମାନଙ୍କରେ କାର୍ଯ୍ୟ କରିବା ପାଇଁ ପଡୁଛି କିନ୍ତୁ ବିଡ଼ମ୍ବନାର ବିଷୟ ଆମ୍ଭ ଜିଲ୍ଲାରେ କୌଣସି ଶିଳ୍ପ କାରଖାନା ନଥିବାରୁ ଆମ ମାନଙ୍କୁ ବାହାର ରାଜ୍ୟକୁ ଦାଦନ ଶ୍ରମିକ ରୂପେ ଯିବା ପାଇଁ ପଡୁଛି ଏବଂ ସେଠାରେ ପ୍ରାପ୍ୟ ଠାରୁ କମ ପାରିତୋଷିକ ରେ ଶ୍ରମ କରିବା ପାଇଁ ପଡୁଛି ଓ ନାନା ଯନ୍ତ୍ରଣାରେ ଛଟ ପଟ ହେବାପାଇଁ ପଡୁଛି।ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହୋଇପାରିଲେ ଅନେକାଂଶରେ ଦାଦନ ସମସ୍ୟାରେ ରୋକ୍ ଲଗାଜାଇପାରନ୍ତା ବୋଲି ସାମାଜିକ କର୍ମୀ ହରେକୃଷ୍ଣ ପାତ୍ର ମତ ପୋଷଣ କରନ୍ତି।
ଅନ୍ୟପଟେ ଜିଲ୍ଲାର କିଛି ବୁଦ୍ଧିଜୀବି ମାନଙ୍କ ମତରେ ବର୍ତ୍ତମାନ ସମୟ ଆସିଛି ନଦୀ ଓ ସାଗରର ମିଳନ ସ୍ଥଳୀ ଏହି ଜିଲ୍ଲାରେ କୃଷି ଭିତ୍ତିକ ଶିଳ୍ପ ବା ସାମୁଦ୍ରିକ ଭିତ୍ତିକ ଶିଳ୍ପ ଗଢି ଉଠିଲେ ଜିଲ୍ଲାର ହଜାର ହଜାର ସଂଖ୍ୟାର ଚାଷୀ ଉପକୃତ ହେବା ସହିତ ତମାମ ଶ୍ରମିକ ଜିଲ୍ଲାରେ ରହି ଶ୍ରମ କରିପାରନ୍ତି ଫଳରେ ଜିଲ୍ଲାର ଅର୍ଥନୀତିରେ ଅଗ୍ରଗତି ହୋଇପାରନ୍ତା।ନଦୀ ସଂଯୋଗୀକରଣ ଯୋଜନା ମାଧ୍ୟମରେ ଜିଲ୍ଲାରେ ପ୍ରବାହିତ ବିଭିନ୍ନ ନଦୀ ଗୁଡ଼ିକୁ ଯୋଡ଼ି ସମୁଦ୍ର ମୁହାଣ ପୂର୍ବରୁ ଏକ ଚେକ୍ ଡ୍ୟାମ୍ ବା ବ୍ୟାରେଜ୍ ନିର୍ମାଣ କରାଗଲେ ସମୁଦ୍ରକୁ ଚାଲିଯାଉଥିବା ଜଳ ସଂରକ୍ଷଣ ହୋଇପାରିବ ଓ ସେହି ଜଳକୁ ପରବର୍ତ୍ତୀ ସମୟରେ ଆବଶ୍ୟକତା ଅନୁଯାଇ ଜିଲ୍ଲାର ବିଭିନ୍ନ କେନାଲ ଓ କ୍ଷୁଦ୍ର କେନାଲ ମାନଙ୍କୁ ଛଡା ଯାଇ ପାରନ୍ତା। ଯତଦ୍ୱାରା କୃଷି କାର୍ଯ୍ୟରେ ଏହା ବ୍ୟବହାର ହୋଇପାରିବ ସହିତ ଗ୍ରୀଷ୍ମ ଋତୁରେ ଜିଲ୍ଲାରେ ଦେଖାଯାଉଥିବା ପାନୀୟ ଜଳ ସଙ୍କଟ ଦୂର ହୋଇପାରନ୍ତା।ସେହିପରି ନଦୀ ସଂଯୋଗୀ କରଣ ପ୍ରକଳ୍ପ ତିଆରି ହେଲେ ଯେଉଁ ଭିତ୍ତିଭୂମି ଗଢି ଉଠିବ ତାହାକୁ ନେଇ ଏକ ନୌ-ବିହାର ପର୍ଯ୍ୟଟନ କ୍ଷେତ୍ରର ପରିକଳ୍ପନା ମଧ୍ୟ କରାଯାଇପାରିବ।ଫଳରେ ଜିଲ୍ଲାରେ ନୂତନ ନିଯୁକ୍ତି ସୃଷ୍ଟି ହେବା ସହିତ ଆର୍ଥିକ ଅଭିବୃଦ୍ଧି ମଧ୍ୟ ହୋଇପାରନ୍ତା।ରାଜନୈତିକ ଅଭିସନ୍ଧିର ମାୟାଜାଲରେ ଛନ୍ଦି ହୋଇ ଦଶନ୍ଧି ଦଶନ୍ଧି ଧରି କେନ୍ଦ୍ରାପଡ଼ା ଜିଲ୍ଲା ଅବହେଳିତ ହୋଇରହିଛି ବୋଲି ଜିଲ୍ଲାର ବିଭିନ୍ନ ମହଲରୁ ଅଭିଯୋଗ ହେଉଛି।ତେବେ ସ୍ଥାନୀୟ ରାଜନେତା ଓ ସ୍ଥାନୀୟ ପ୍ରଶାସନ ଏ ଦିଗରେ ଭିଜନ୍ ପ୍ରସ୍ତୁତ କରି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଲେ ଜିଲ୍ଲାବାସୀ ଉପକୃତ ହେବା ସହିତ ଜିଲ୍ଲାର ଆର୍ଥିକ ଅଗ୍ରଗତି ହୋଇପାରନ୍ତା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଦେହରୁ ଶିଳ୍ପ ବିହୀନ ଜିଲ୍ଲାର ଟ୍ୟାଗ ହଟି ପାରନ୍ତା ବୋଲି ଆସୁଛି ମତ।