ଛାତ୍ରୀ ମୃତୁ୍ୟ ନେଇ ତଦନ୍ତ ଦାବି କଲା ପରିବାର

କେନ୍ଦୁଝର : ହରିଚନ୍ଦନପୁର ବ୍ଲକ୍ ଅଧିନସ୍ଥ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଭଗାମୁଣ୍ଡା ସରକାରୀ ହାଇସ୍କୁଲର ଜଣେ ଛାତ୍ରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ହୋଇଛି । ଦଶମ ଶ୍ରେୀଣୀର ଜଣେ ଛାତ୍ରୀ ମାନସୀ ନାୟକ(୧୫) ଅସୁସ୍ଥତା ହେତୁ ଚିକିତ୍ସାଧିନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ମୃତୁ୍ୟବରଣ କରିଛନ୍ତି । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଛାତ୍ରୀର ଦେହ ଅସୁସ୍ଥ ଥିବା ସମୟରେ ରୋଗ ଜଣା ନ ପଡିବାରୁ ପିତାମାତାଙ୍କ ସହିତ ତାକୁ ଘରକୁ ପଠାଇ ଦିଆଯାଇଥିଲା । ସେମାନେ ଘରେ ଗୁଣିଗାରେଡି କରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ନିଆଯାଇ ଚିକତ୍ସା କରାଯାଇଥିଲା । ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା । କେନ୍ଦୁଝର ମେଡିକାଲରେ ରୋଗ ଚିହ୍ନଟ ହୋଇ ନ ପାରିବାରୁ ତାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସିଧାସଳଖ କଟକ ନ ନେଇ ଅଭିଭାବକଙ୍କ ହାତରେ ଘରକୁ ପଠାଇଦେବା ଯୋଗୁଁ ଛାତ୍ରୀର ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ଯାହାର ଉଚ୍ଚସ୍ତରୀୟ ତଦନ୍ତ କଲେ ବହୁ ତଥ୍ୟ ଲୋକଲୋଚନକୁ ଆସିପାରିବ । ବାପା ରାହାସ ନାଏକ ଏବଂ ମାତା ଗୁଣମଣୀ ନାଏକ ଘଟଣାର ତଦନ୍ତ ଦାବି କରିଛନ୍ତି । ଏ ନେଇ ହରିଚନ୍ଦନପୁର ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କୁ ପଚାରିବାରୁ ସେ ତଦନ୍ତ କରିବେ ବୋଲି କହିଛନ୍ତି । ଏହି ହାଇସ୍କୁଲରେ ବ୍ୟାପକ ଅବ୍ୟବସ୍ଥାରେ ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ଜଣାପଡିଛି ଛାତ୍ରଛାତ୍ରୀମାନଙ୍କ ପାଇଁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପ୍ରତିଦିନ ରୋଷେଇ ହେଉନାହିଁ ଏବଂ ଖାଦ୍ୟ ମେନୁ୍ୟ ଅନୁସାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉନାହିଁ । ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ କମାଇବା ଏବଂ ବିଦ୍ୟାଳୟରେ ଉପସ୍ଥାନ ବଢାଇବା ଲକ୍ଷ୍ୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ଦିଆଯାଇଥାଏ । ଛାତ୍ରଛାତ୍ରୀଙ୍କ ମେନୁ୍ୟ ବ୍ୟତିତ ପ୍ରତିଦିନ ସିଝା ଅଣ୍ଡା ଦେବାର ବ୍ୟବସ୍ଥା ଥିବାବେଳେ ଭଗାମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ କେବଳ ସିଝା ଅଣ୍ଡା ଦିଆଯାଇ ମେନୁ୍ୟ ଅନୁସାରେ ତରକାରୀ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଏହି ବିଦ୍ୟାଳୟର ଅନ୍ତେବାସୀମାନଙ୍କ ପାଇଁ ମଧ୍ୟ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଠାରେ ପ୍ରଧାନଶିକ୍ଷକ ନ ରହି ବହୁ ସମୟରେ ନିଜ କେନ୍ଦୁଝରସ୍ଥିତ ବାସଭବନକୁ ଯିବାଆସିବା କରୁଥିବାରୁ ବିଦ୍ୟାଳୟର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ମଧ୍ୟାହ୍ନ ଭୋଜନ ରୋଷଇ ଘର ଥିଲେ ମଧ୍ୟ ଗଛ ମୂଳେ ରୋଷେଇ କରାଯାଉଛି । ଛାତ୍ରଛାତ୍ରୀମାନେ ମଧ୍ୟ ବାହାରେ ଗଛ ମୂଳେ ଖାଦ୍ୟ ଖାଉଥିବା ଜଣାପଡିଛି । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ପିଏମ ପୋଷଣର ନୋଡାଲ ଅଫିସର ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସହ ଯୋଗଯୋଗ କରିବାରୁ ମଧ୍ୟାହ୍ନ ଭୋଜନ ମେନୁ୍ୟ ଅନୁଯାୟୀ ଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ପ୍ରକୃତରେ ଅନ୍ତେବାସୀମାନେ ଯେଉଁ ପରିମାଣର ଚାଉଳ ଖାଉଛନ୍ତି ତାହାଠାରୁ ଅଧିକ ପରିମାଣ ଖର୍ଚ୍ଚ ହେଉଥିବା ଦର୍ଶାଯାଇ ପ୍ରତିମାସ ମୋଟା ପରିମାଣ ଚାଉଳ ବିକ୍ରି ହେଉଥିବା ଜଣାପଡିଛି । ଏହି ବିଦ୍ୟାଳୟକୁ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କର ନିୟମିତ ପରିଦର୍ଶନ ନ ହେବା ଯୋଗୁଁ ଏଭଳି ଅବ୍ୟବସ୍ଥା ଦିନକୁ ଦିନ ବଢିବାରେ ଲାଗିଛି ।