ଧର୍ମଶାଳା-ବୁଦ୍ଧଛକ ରାସ୍ତା ପ୍ରଶସ୍ତିକରଣରେ ବିଳମ୍ବ

 ଧର୍ମଶାଳା: ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକାସ୍ଥିତ୧୬ନମ୍ବର ଜାତୀୟ ରାଜପଥର ବୁଦ୍ଧ ଛକଠାରୁ ଧର୍ମଶାଳା ବଜାର ଦେଇ ବ୍ରାହ୍ମଣୀ ନଦୀବନ୍ଧ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଶେଷ ହେବାର ନାଁ ଗନ୍ଧ ଧରୁନି । ଦୀର୍ଘ ଦିନ ହେବ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଶେଷ ହେବାକୁ ନେଇ ପ୍ରଶ୍ନବାଚୀ ଛିଡା ହୋଇଛି । ଅବଧି ଶେଷ ହୋଇ ଯାଇଥିଲେ ବି ଦିନ ପରେ ଦିନ ଓ ବର୍ଷ ପରେ ବର୍ଷ ବିତୁଛି କିନ୍ତୁ ରାସ୍ତା କାର୍ଯ୍ୟ ଶେଷ ହେଉନାହିଁ । ରାସ୍ତା ନିର୍ମାଣ ପାଇଁ ପୂର୍ତବିଭାଗ ପକ୍ଷରୁ୧୪କୋଟି ୬୪ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ୨୦୨୩ଡିସେମ୍ବର ୮ତାରିଖରେ ଏହାର ଶିଳାନ୍ୟାସ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଆରମ୍ଭରୁ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଥିଲା । ଠିକାଦାର ମନମୁଖୀ ଭାବେ କାର୍ଯ୍ୟ କରୁଥିବା ବାରମ୍ୱାର ଅଭିଯୋଗ ପରେ ବି କୌଣସି ସମାଧାନ ଦେଖିବାକୁ ମିଳିନଥିଲା । ଏହି ରାସ୍ତାଟି ବୁଦ୍ଧଛକ ଠାରୁ ଶାନ୍ତିବଜାର ଛକ ଏବଂ ସେଠାରୁ ଧର୍ମଶାଳା ବଜାର ମଧ୍ୟ ଦେଇ ବ୍ରାହ୍ମଣୀ ନଦୀବନ୍ଧ ପର୍ଯ୍ୟନ୍ତ କରିବା ପାଇଁ ଠିକାଦାର ଚୁକ୍ତି କରିଥିଲା । ଏହି ରାସ୍ତାଟି ଧର୍ମଶାଳା ଥାନା, ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ର, ତହସିଲ କାର୍ଯ୍ୟାଳୟ, ଏବଂ ରାସ୍ତା ପାଶ୍ୱର୍ରେ ବିଭିନ୍ନ ମଣ୍ଡପ ଥିବା ସହ ସ୍କୁଲ୍ କଲେଜ ଛାତ୍ରଛାତ୍ରୀ ମାନେ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । କାର୍ଯ୍ୟକୁ ସମୟ ସୀମା ମଧ୍ୟରେ କରିବା ପରିବର୍ତେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଅଂଚଳବାସୀଙ୍କ ଚିନ୍ତାର କାରଣ ପାଲଟିଛି । ଏହି ରାସ୍ତା ସମ୍ପର୍କରେ ବାରମ୍ୱାର ଖବର ପ୍ରସାରଣ ପରେ ଗତ ମାର୍ଚ୍ଚ ମାସ ରେ ଠିକାଦାର ଚତୁରତାର ସହ ଶାନ୍ତିବଜାର ଠାରୁ ଧର୍ମଶାଳା ବଜାର ପର୍ୟ୍ୟନ୍ତ ଅଧା ରାସ୍ତାଟିକୁ ତରବରିଆ ଭାବରେ ପିଚୁ କରି ଦେଇଥିବା ବେଳେ ଶାନ୍ତିବଜାର ଠାରୁ ବୁଦ୍ଧଛକ ପର୍ୟ୍ୟନ୍ତ ରାସ୍ତାଟି ଖୋଳି ତାଢି ହୋଇ ବିପଦପୂର୍ଣ୍ଣ ଭାବେପଡିଛି । ଯାହା ଫଳରେ ଯାତାୟତରେ ନାନାସମସ୍ୟା ହେଉଥିବା ଅଭିଯୋଗ ହୋଇଛି । ରାସ୍ତାର ମଝିରେ କିଛି ବାଟ ପାଇଁ ଏକ ଡିଭାଇଡର ଅର୍ଦ୍ଧନିର୍ମିତ ଭାବେ ରହିଛି । ରାସ୍ତାର ପିଚୁ ଖୋଳି ଦିଆଯାଇଛି । ଯାହା ଫଳରେ ବାଇକ୍ ଓ ସାଇକେଲ ଆରୋହୀ ବିଭିନ୍ନ ସମୟରେ ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି । ରାତି ସମୟ ପାଇଁ କୌଣସି ଲାଇଟ ବ୍ୟବସ୍ତା ନାହିଁ କି ରାସ୍ତା କାର୍ଯ୍ୟ ଚାଲୁଥିବା ପାଇଁ କୌଣସି ସର୍ତକ ସୂଚନାର ବ୍ୟବସ୍ଥା ମଧ୍ୟନାହିଁ । ପୂର୍ବରୁ ବିଦୁ୍ୟତ୍ ଖୁଣ୍ଟ ରାସ୍ତା ଉପରେ ଥିବା ଯୋଗୁ ରାସ୍ତା କାର୍ଯ୍ୟ ବିଳମ୍ବ ହେଇଥିବା ବେଳେ ବର୍ତମାନ ବର୍ଷା ସମସ୍ୟା ଯୋଗୁ କାର୍ଯ୍ୟ ବନ୍ଦ ହୋଇ ରହିଥିବା ବିଭାଗ ପକ୍ଷରୁ ସଫେଇ ଦିଆଯାଉଛି । ତେବେ ଦୀର୍ଘ ଦେଢବର୍ଷ ହେଲା ଚାଲିଥିବା ରାସ୍ତା କାମ ଅଦ୍ୟାବଧି ନସରିବା ନେଇ ସାଧାରଣରେ ଅସନ୍ତୋଷ ବଡିବାରେ ଲାଗିଛି ।