ଶେଷ ହେଲା ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା

ପୁରୀ : ଅକ୍ଷୟତୃତୀୟା ଠାରୁ ଆରମ୍ଭ ହୋଇଥିବା ଶ୍ରୀଜୀଉଙ୍କ ପ୍ରସିଦ୍ଧ ବାହାର ଚନ୍ଦନ ଯାତ୍ରା ଭଉଁରୀରେ ଶେଷ ହୋଇଛି । ୨୧ ଦିନ ବ୍ୟାପି ଚନ୍ଦନ ଯାତ୍ରା ଶେଷ ହେବା ପରେ ମଙ୍ଗଳବାର ଦିନ ହେବ ହଳଦି ପାଣି । ଭଉଁରୀ ଅବସରରେ ସୁସଜ୍ଜିତ ମଣିବିମାନରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ, ଭୂଦେବୀ ଓ ଶ୍ରୀଦେବୀ ବର୍ଣ୍ଣାଢ୍ୟ ପଟୁଆରରେ ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରିଥିଲେ । ଆଗେ ଆଗେ ପାଲିଙ୍କିରେ ରାମକୃଷ୍ଣ ଏବଂ ପଛେ ପଛେ ଶ୍ରୀକ୍ଷେତ୍ରର ପ୍ରମୂଖ ପଞ୍ଚ ମହାଦେବ ନୀଳକଣ୍ଠେଶ୍ୱର, ମାର୍କଣ୍ଡେଶ୍ୱର, କପାଳମୋଚନ, ଜମେଶ୍ୱର, ଶ୍ରୀ ଲୋକନାଥ ବିମାନରେ ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରିଥିଲେ । ପଞ୍ଚମହାଦେବ ନିଜ ନିଜ ମନ୍ଦିରରୁ ବାହାରି ସିଂହଦ୍ୱାର ସମ୍ମୁଖରେ ପହଞ୍ଚôବା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପନ୍ତୀ ଭୋଗ କରାଯାଇଥିଲା । ଶ୍ରୀ ମନ୍ଦିରରେ ଯାତଭୋଗ ଶେଷ ହେବା ପରେ ନକ୍ଷତ୍ର ବନ୍ଦାପନା ହୋଇ ଆଜ୍ଞାମାଳ ପାଇବା ପରେ ରାମକୃଷ୍ଣ ପ୍ରଥମେ ପାଲିଙ୍କିକୁ ବିଜେ କରିଥିଲେ । ଏହା ପରେ ମଦନମୋହନ ଜୟବିଜୟ ଦ୍ୱାରକୁ ବିଜେ କରିଥିଲେ । ଜୟ ବିଜୟ ଦ୍ୱାର ଠାରେ ଭୋଗ ବନ୍ଦାପନା କରାଯାଇଥିଲା । ମଦନ ମୋହନ, ମହାଲକ୍ଷ୍ମୀ ଓ ସରସ୍ୱତୀ ମଣି ବିମାନରେ ବିଜେ ହୋଇଥିଲେ । ଦ୍ୱିତୀୟ ଭୋଗ ମାଣ୍ଡପ ଉଠିବା ପରେ ମଣିବିମାନରେ ଠାକୁର ଶ୍ରୀମନ୍ଦିରରୁ ନରେନ୍ଦ୍ର ସରୋବରକୁ ଯାତ୍ରା କରିଥିଲେ । ମଣିବିମାନ ବାଇଶି ପାହାଚ ଦେଇ ମନ୍ଦିରରୁ ବାହାରିବା ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ଭକ୍ତିପୂତ ପରିବେଶ ସୃଷ୍ଟି ହୋଇଥିଲା । ସିଂହଦ୍ୱାର ଠାରୁ ପଞ୍ଚ ମହାଦେବ ଚନ୍ଦନ ପଟୁଆରରେ ସାମିଲ ହୋଇଥିଲେ । ଚନ୍ଦନ ପଟୁଆର ବଡ଼ଦାଣ୍ଡରେ ସୃଷ୍ଟି କରିଥିଲା ବର୍ଣ୍ଣାଢ୍ୟ ପରିବେଶ । ପଟୁଆରର ଆଗେଆଗେ ସଂକୀର୍ତ୍ତନ ମଣ୍ଡଳୀ ଭାବ ବିହ୍ୱଳ ହୋଇ ସଂକୀର୍ତ୍ତନ କରିଚାଲିଥିବା ବେଳେ ସାଧୁସନ୍ଥ ମାନେ ଗୀତ ଗୋବିନ୍ଦ ଗାନ କରି ପଟୁଆରରେ ସାମିଲ ହୋଇଥିଲେ । ଚନ୍ଦନଯାତ୍ରା ପଟୁଆରକୁ ଶୋଭାମୟ କରିଥିଲା ବିଭିନ୍ନ ବର୍ଣ୍ଣର ବିଶାଳ ବିଶାଳ ପତାକା । କାଳୀ,ଦୁର୍ଗା ଓ କାର୍ତ୍ତିକ ମେଢ ନୃତ୍ୟ ସାଙ୍ଗକୁ ପଞ୍ଚଶିରା ହନୁମାନ ଓ ପାଇକ ନୃତ୍ୟ ବଡ଼ଦାଣ୍ଡକୁ କରିଥିଲା ଉସôବମୁଖର । ଫୁଲମେଢ ଓ କାଳୀ ମେଢ ନୃତ୍ୟ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମିଥିଲା । ସଂକୀର୍ତ୍ତନ ଓ ବିଭିନ୍ନ ବାଦ୍ୟ ଧ୍ୱନି ସାଙ୍ଗକୁ ଭକ୍ତମାନଙ୍କ ହର୍ଷଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ବିଶାଳ ବଡ଼ଦାଣ୍ଡ । ଠାକୁରମାନେ ପଟୁଆରରେ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ବିଭିନ୍ନ ସ୍ଥାନରେ ପାରମ୍ପରିକ ପନ୍ତି ଭୋଗ କରାଯାଇଥିଲା । ଭଉଁରୀ ଶୋଭାଯାତ୍ରା ଦେଖିବାକୁ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଲୋକାରଣ୍ୟ ହୋଇଉଠିଥିଲା । ଭଉଁରୀ ପଟୁଆର ନରେନ୍ଦ୍ର ଚକଡ଼ାରେ ପହଞ୍ଚôବା ପରେ ଚନ୍ଦ୍ରାତପ ଶୋଭିତ ସୁସଜ୍ଜିତ ନନ୍ଦା ଓ ଭଦ୍ରା ଚାପରେ ମଦନମୋହନ, ଭୂଦେବୀ-ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚ ପାଣ୍ଡବ ବିଜେ କରିଥିଲେ । ଆରମ୍ଭ ହୋଇଥିଲା ଦିନ ଚାପ । ୨ ଚାପର ଆଗେ ଆଗେ ଚାଲିଥିଲା ବଜନ୍ତରୀ ଡ଼ଙ୍ଗା । ଘଣ୍ଟ ଓ ତେଲିଙ୍ଗୀ ବାଦ୍ୟ ଧ୍ୱନିରେ ଠାକୁରମାନଙ୍କ ଦିନ ଚାପ ସଂପନ୍ନ ହୋଇଥିଲା । ଦିନ ଚାପ ପରେ ଠାକୁରମାନେ ଚନ୍ଦନ ଘରକୁ ବିଜେ କରି ସୁଶୀତଳ ଓ ସୁଗନ୍ଧିତ ଜଳରେ ସ୍ନାନ କରିଥିଲେ । ବିଭିନ୍ନ ସୁଗନ୍ଧିତ ପୁଷ୍ପରାଜି ଓ ଟାହିଆରେ ବିଗ୍ରହମାନଙ୍କୁ ବେଶ କରାଯାଇଥିଲା । ଚାପ ବେଳେ ନରେନ୍ଦ୍ର ପୁଷ୍କରିଣୀର ଚତୁଃପାଶ୍ୱର୍ ହୋଇଉଠିଥିଲା ଲୋକାରଣ୍ୟ । ଠାକୁରମାନେ ଚାପରେ ବିଜେ କରି ନୌକା ବିହାର କରୁଥିବା ବେଳେ ସମବେତ ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ନରେନ୍ଦ୍ର ପୁଷ୍କରିଣୀର ଚୁତଃପାଶ୍ୱର୍ ମୁଖରିତ ହୋଇଉଠିଥିଲା । ଦିନ ଚାପ ପରେ ଅନୁଷ୍ଠିତ ହୋଇଥିଲା ରାତି ଚାପ । ଠାକୁରମାନେ ନରେନ୍ଦ୍ର ସରୋବରରେ ୨୧ଘେରା ବୁଲିଥିଲେ । ଏହି ନୌକା ବିହାର ସମୟରେ ଚାପରେ ଛାମୁଦିହୁଡ଼ି ରହିଥିଲା । ରାତି ଚାପ ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା । ଭଉଁରୀ ଉପଲକ୍ଷେ ପୁଷ୍କରିଣୀ ନିକଟରେ ଖୋଲିଥିଲା ବହୁ ଅସ୍ଥାୟୀ ଦୋକାନ ।