ଅବପାତ ରୂପ ନେଲା ଲଘୁଚାପ: ଅତି ପ୍ରବଳ ବର୍ଷା

ଅବପାତ ରୂପ ନେଲା ଲଘୁଚାପ: ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହୋଇଛି। ବର୍ତମାନ ଏହା ପାରାଦ୍ୱୀପ ଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କିମି ଦୂରତାରେ କେନ୍ଦ୍ରୀଭୂତ ଅଛି। ଆସନ୍ତାକାଲି ୨୩ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମୁଦ୍ରରେ ବଳ ଗୋଟାଇ ବାତ୍ୟା ଉତ୍ତର ପଶ୍ଚିମ ଦିଗ ଦେଇ ସ୍ଥଳଭାଗମୁହାଁ ହେବ । ଆସନ୍ତା ୨୪ ତାରିଖ ମଧ୍ୟରାତ୍ରିରେ ଏହା କେନ୍ଦ୍ରାପଡ଼ା ଓ ଭଦ୍ରକ ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି।

ଦାନା’ ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କି.ମି. ରହିବା ନେଇ ପୂର୍ବାନୁମାନ କରାଯାଇଛି। ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଜିଲା ବାତ୍ୟା ଯୋଗୁ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ଏହି ସବୁ ଜିଲାରେ ପବନ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ୨୦ ମିଲିମିଟରରୁ ମଧ୍ୟ ଅଧିକ ବର୍ଷା ହେବା ନେଇ ଆକଳନ କରାଯାଇଛି। ଏହି ଜିଲାଗୁଡ଼ିକରେ କଚ୍ଚାଘର, ଗଛ ଭାଙ୍ଗିବା ସହ କେତେକ ସ୍ଥାନରେ ବର୍ଷା ଯୋଗୁ ଜଳବନ୍ଦୀ ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି।ଆସନ୍ତା ୨୪ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର ଏବଂ କଟକ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ଓ୍ବାର୍ନିଂ ଜାରି କରାଯାଇଛି । ସେହିପରି ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼, କଟକ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, ମୟୂରଭଞ୍ଜ ଆଦି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହି ଜିଲାଗୁଡ଼ିକ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜଓ୍ବାର୍ନିଂ ଜାରି କରାଯାଇଛି। ଖୋର୍ଦ୍ଧା, କଟକ, ପୁରୀ ଜିଲାରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୫ ତାରିଖରେ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ। ଏହି ଜିଲାଗୁଡ଼ିକ ପାଇଁ ରେଡ୍‌ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଟକ, ଅନୁଗୋଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଓଡ଼ିଶା ଉପକୂଳରେ ୨୩ ତାରିଖରୁ ବର୍ଷା ଆରମ୍ଭ ହେବ । ୨୪ ଓ ୨୫ ଦୁଇଦିନ ସବୁଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବ। ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ଚାଷୀମାନେ ଭୟଭୀତ ହୋଇପଡ଼ିଛନ୍ତି। ବର୍ଷ ତମାମ କଷ୍ଟାର୍ଜିତ ଫସଲ ଅମଳ ହେବ କି ନାହିଁ ସେଇ ଚିନ୍ତା ଘାରିଛି। ଧାନ ପେଟଥୋର ଦେଇଥିବା ବେଳେ ଯଦି ପବନ ମାଡ଼ ହେବ ତେବେ ଅଗାଡ଼ି ହେବାର ସମ୍ଭାବନା ରହିଛି।