ଅହରହ ବହି ଚାଲିଛି ପାଇପରୁ ପାଣି
ବ୍ରହ୍ମବରଦା,: ବର୍ତମାନ ରୌଦ୍ରତାପ ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଚାରିଆଡ଼େ ଜଳଜନିତ ସମସ୍ୟା ଦେଖିବାକୁ ମିଳିଛି । ଲୋକେ ମୁନ୍ଦାଏ ଶୁଦ୍ଧ ପାନୀୟ ଜଳ ପାଇଁ ଡହଳବିକଳ ହେଉଥିବା ବେଳେ ଅନ୍ୟପଟେ ସରକାରଙ୍କ ଦ୍ୱରା ଗ୍ରାମାଞ୍ଚଳ ମାନଙ୍କୁ ପାଇପ ଯୋଗେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ନଷ୍ଟ ହେବାରେ ଲାଗିଛି । ଯାହା ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଶେରପୁର ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ୱର ଖଗେସ୍ୱର ଠାକୁରାଣୀ ନିକଟରେ । ଏଠାରେ ପ୍ରତ୍ୟେକ ଦିନ ପାଇପ ଯୋଗେ ଯୋଗାଇ ଦିଆଯାଉଥିବା ଶୁଦ୍ଧ ପାନୀୟ ଜଳ ନଷ୍ଟ ହେବାରେ ଲାଗିଛି । ଉକ୍ତ ପାଇପରେ କୌଣସି ଟ୍ୟାପ ଲାଗିନଥିବାରୁ ଦୀର୍ଘ ବର୍ଷ ହେବ ଏମିତି ପାଇପରୁ ଅହରହ ପାଣି ବହି ଚାଲିଛି । ଯାହା ଫଳରେ ଅକାରଣରେ ଜଳ ନଷ୍ଟ ହେଉଛି । ଏମିତି ବର୍ଷ ବର୍ଷ ଧରି ଜଳ ନଷ୍ଟ ହେଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏଥିରୁ ସୂଚୀତ ହେଉଛି କି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଏଥି ପ୍ରତି ସମ୍ପୂର୍ଣ୍ଣ ନଜର ଏଡ଼ାଇ ଦେଇଛି । ସୂଚନା ଥାଉ କି ଗ୍ରାମ୍ୟ ଜଳଯୋଗାଣ ବିଭାଗ ଦ୍ୱାରା ପ୍ରତ୍ୟେକ ଗ୍ରାମାଞ୍ଚଳକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉଛି । ତା ସହିତ ପାଣି ଯୋଗାଣ ହେଉଥିବା ପଏଣ୍ଟ ଗୁଡିକର ମରାମତି ପାଇଁ ମଧ୍ୟ ଅର୍ଥ ବିନିଯୋଗ ହେଉଛି । କିନ୍ତୁ ଏଠାରେ ଦୈନିକ ସହ ସହ ଲିଟର ଜଳ ନଷ୍ଟ ହେଉଥିଲେ ମଧ୍ୟ ଏହାର କୋଣସି ପ୍ରତିକାର କରାଯାଇ ନାହିଁ । ତେଣୁ ତୁରନ୍ତ ଉକ୍ତ ପଏଣ୍ଟରେ ଏକ ଟ୍ୟାପ ଲଗାଇବା ପାଇଁ ଗ୍ରାମବାସୀ ଜଳଯୋଗାଣ ବିଭାଗ ନିକଟରେ ଦାବି କରିଛନ୍ତି ।