ଶ୍ରଦ୍ଧାଳୁ ଭାଙ୍ଗିଲେ ବ୍ୟାରିକେଡ୍
ପୁରୀ : ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ବିଳମ୍ବିତ ରାତିରୁ ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଭିଡ। ଲୋକାରଣ୍ୟ ହୋଇ ଉଠିଛି ବଡଦାଣ୍ଡ। ପ୍ରବଳ ଭିଡ ଯୋଗୁଁ ଠେଲାପେଲା ପରିସ୍ଥିତି ସହ ବ୍ୟାରିକେଡ୍ ଭାଙ୍ଗିଲେ ଭକ୍ତ। ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡ୍କୁ ଶ୍ରଦ୍ଧାଳୁ ଭାଙ୍ଗି ଦେଇଛନ୍ତି। ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ।
ନୂଆବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ। ଜନସମୁଦ୍ର ପାଲଟିଛି ବଡଦାଣ୍ଡ। ବଡଠାକୁରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଚାଲିଛି । ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ମାର୍କେଟ ଛକଠାରୁ ଧାଡ଼ିରେ ଦର୍ଶନ ପାଇଁ ଆସୁଛନ୍ତି। ଟ୍ରାଫିକ୍ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ପୁରୀରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ପୁରୀକୁ ଆସୁଥିବା ଗାଡି ଗୁଡିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପୁରୀ ପୁଲିସ।