ଶ୍ରମିକ ଦିବସ ପାଳନ ପ୍ରସ୍ତୁତି

 ବାଲେଶ୍ୱର :  ବିଶ୍ୱ ଶ୍ରମିକ ଦିବସ ବାଲେଶ୍ୱରରେ ପାଳନ ପାଇଁ ଟିୟୁଏସିସି ପକ୍ଷରୁ ପ୍ରସ୍ତୁତି ବୈଠକ କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ବୈଠକରେ ଚଳିତବର୍ଷ ମଇ ପହିଲାର ବିଶ୍ୱ ଶ୍ରମିକ ଦିବସ ପାଳନ ପାଇଁ ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ପ୍ରସ୍ତାବ ଓ କାର୍ଯ୍ୟସୂଚୀ ଆଗତ କରିଥିଲେ । ଆସନ୍ତା ୩୦ ତାରିଖ ଦିନ ସନ୍ଧ୍ୟାରେ ପୌର କାର୍ଯ୍ୟାଳୟ ସମ୍ମୁଖରୁ ପ୍ରତିବର୍ଷ ଭଳି ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ନୂଆସାହି ଛକରେ ସମାପ୍ତ ହେବ । ମଇ ପହିଲା ଦିନ ସକାଳ ୭ଟାରେ ବିଚାରଗଞ୍ଜ ଛକରେ ମଇ ଦିବସର ଲାଲ୍ ଝଣ୍ଡା ଉତ୍ତୋଳନ ପରେ ବିଭିନ୍ନ ଶ୍ରମିକ ସଂଗଠନ ଓ ପ୍ରତିଷ୍ଠାନ ସମ୍ମୁଖରେ ପତାକା ଉତ୍ତୋଳନ କରାଯିବ । ଅପରାହ୍ନ ୫ଟାରେ ରେଳଷ୍ଟେସନରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ସନ୍ଧ୍ୟାରେ ଗାନ୍ଧିସ୍ମୃତି ଭବନ ସମ୍ମୁଖରେ ମଇଦିବସ ସମାବେଶ ଓ ସାଧାରଣ ସଭା ଅନୁଷ୍ଠିତ ହେବ । ଏହି ପ୍ରସ୍ତୁତି ବୈଠକରେ ଏଆଇଟିୟୁସିରୁ ଭାଗବତ ପ୍ରତିହାରୀ, ସିଆଇଟିୟୁରୁ ରାଜକିଶୋର ଲେଙ୍କା ଓ ପ୍ରତିରକ୍ଷା କର୍ମଚାରୀ ସମନ୍ୱୟ ସମିତିର ସଭାପତି ଜଗଦୀଶ ଚନ୍ଦ୍ର ବାରିକ ଯୋଗ ଦେଇ ଚଳିତବର୍ଷର ମଇଦିବସ ଶ୍ରମିକଶ୍ରେଣୀ ପାଇଁ ଅଧିକ ଗୁରୁତ୍ୱ ବହନ କରୁଛି ବୋଲି ପ୍ରକାଶ କରିଥିଲେ । କେନ୍ଦ୍ର ସରକାର ପ୍ରଚଳିତ ୪୪ଟି ଶ୍ରମ ଆଇନକୁ ସଂଶୋଧନ କରି ଶ୍ରମିକ ସ୍ୱାର୍ଥ ବିରୁଦ୍ଧରେ ୪ଟି ଶ୍ରମକୋର୍ଡ଼ ପ୍ରଚଳନ ପାଇଁ ଉଦ୍ୟମ କରୁଛନ୍ତି । ଏହା ବିରୋଧରେ ମଇମାସ ୨୦ ତାରିଖରେ ସର୍ବଭାରତୀୟ ଧର୍ମଘଟକୁ ବାଲେଶ୍ୱରରେ ସଫଳ କରିବାକୁ ପଡ଼ିବ ବୋଲି ସେମାନେ ମତ ଦେଇଥିଲେ । ଆସନ୍ତା ମଇ ଦିବସ କାର୍ଯ୍ୟକ୍ରମରେ ବାଲେଶ୍ୱରର ସମସ୍ତ ବର୍ଗର ଶ୍ରମଜୀବୀ ଜନଗଣ ଯୋଗ ଦେବାକୁ ବୈଠକରେ ଆହ୍ୱାନ କରାଯାଇଛି । ମଇଦିବସ କମିଟିର ସଂପାଦକ ଭାବେ ଜୀବନବୀମା କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା ଓ କୋଷାଧ୍ୟକ୍ଷ ଭାବେ ଉଠାଜଳସେଚନ କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନାଙ୍କୁ ମନୋନୀତ କରାଯାଇଛି । ଏହି ଅବସରରେ ବିଶିଷ୍ଟ ମାର୍କ୍ସବାଦୀ ନେତା ତଥା ସିପିଆଇର ପ୍ରାକ୍ତନ ରାଜ୍ୟ ସଂପାଦକ ସାଥୀ ଦିବାକର ନାୟକ ଓ କାଶ୍ମୀର ପର୍ଯ୍ୟଟନସ୍ଥଳୀ ପହଲଗାମ୍ରେ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତକଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଦୁକୁଲ ଚନ୍ଦ୍ର ଘଡ଼ାଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଫେଡେରେସନ୍ ଏବଂ କଳ କାରଖାନାର ଶ୍ରମିକ ପ୍ରତିନିଧି ଯୋଗ ଦେଇଥିଲେ ।