ଜଗନ୍ନାଥ ହାଇସ୍କୁଲ: ଦୁଇ ମାସ ପରେ ମୁଖ ଦ୍ୱାରରୁ ଖସୁଛି ଟାଇଲ
ସୁକିନ୍ଦା : ଦୁଇମାସ ତଳେ ନିର୍ମାଣ ଶେଷ ହୋଇଥିବା ଜଗନ୍ନାଥ ହାଇସ୍କୁଲ ମୁଖଦ୍ୱାରରୁ ଖସୁଛି ଟାଇଲ । ଯାହା ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅଭିଭାବକଙ୍କ ଜୀବନପ୍ରତି ବିପଦର କାରଣ ହୋଇପଡିଛି । ଏହା ହେଉଛି ଜିଲ୍ଲାର ସର୍ବପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟ ସୁକିନ୍ଦା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ମୁଖ୍ୟଦ୍ୱାର ଦୃଶ୍ୟ । ବିଦ୍ୟାଳୟ ଉନ୍ନତୀକରଣ ଓ ସୋନ୍ଦର୍ଯ୍ୟ କରଣ ପାଇଁ ସରକାରଙ୍କ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । କାର୍ଯ୍ୟ ଦାୟିତ୍ୱରେ ଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀ ରହିଥିଲେ । ହେେ ସେମାନଙ୍କ ଦାୟିତ୍ୱହିନତା ଓ ଠିକାଦାରଙ୍କ ମନମାନି କାରଣରୁ ନିମ୍ନମାନର କାମ କାରଣରୁ ବିଦ୍ୟାଳୟ ମୁଖ୍ୟଦ୍ୱାରରେ ବ୍ୟବହୃତ ଟାଇଲ ଖସିବାରେ ଲାଗିଛି । କିଛି ଟାଇଲ ଖସିପଡ଼ିଥିବା ବେଳେ ଅନେକ ଟାଇଲ ଖସିବା ଅପେକ୍ଷାରେ ଅଛି । ସୌଭାଗ୍ୟ ବଶତଃ ଖସିଥିବା ଟାଇଲ କାହାର କୌଣସି କ୍ଷତି ଘଟାଇନାହିଁ । ବିଦ୍ୟାଳୟ ମୁଖଦ୍ୱାର ଏପରି ବିପଦପୂର୍ଣ୍ଣ ଅବସ୍ଥାରେ ଥିବାବେଳେ ସେହି ରାସ୍ତାରେ ଦୈନିକ ଯାତାୟତ କରୁଥିବା ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ ସମସ୍ତଙ୍କ ଜୀବନପ୍ରତି ବିପଦ ଥିବା କୁହାଯାଉଛି । ବିଗତ ଦିନରେ ସୁକିନ୍ଦା ମହାବିଦ୍ୟାଳୟ ମୁଖ୍ୟଦ୍ୱାରରୁ ଏହିପରି ଟାଇଲ ଖସିଥିବା ବେଳେ ଜଣେ ଛାତ୍ର ଆହତ ହୋଇଥିଲେ । ଆଗକୁ କୌଣସି ଅଘଟଣ ଘଟିବା ପୂର୍ବରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହେଉଛି ।