ଖଣି ଅଞ୍ଚଳର ସତ : ଖାତାଦାର ମାଲେମାଲ, ଶ୍ରମିକ ବେହାଲ
କାଳିଆପାଣି : କାଳିଆପାଣି ଖଣି ଅଞ୍ଚଳ ବହୁମୂଲ୍ୟ କ୍ରୋମାଇଟ ପଥର ପାଇଁ ସାରା ବିଶ୍ୱରେ ପରିଚିତ । ସମଗ୍ର ଏସିଆ ମହାଦେଶର ପ୍ରାୟ ଶତକଡା ୯୦ ପ୍ରତିଶତ କ୍ରୋମାଇଟ ସୁକିନ୍ଦାର କାଳିଆପାଣି ଅଂଚଳରେ ଗଛିତ ଥିବାର ପ୍ରମାଣ ରହିଛି । ବିଗତ ଷାଠିଏ ଦଶକରୁ ପ୍ରଥମେ ଓଡିଶା ଖଣି ନିଗମ ତାପରେ ଟାଟା କମ୍ପାନୀ (ଟିସକୋ) ଏଠାରେ କ୍ରୋମାଇଟ କାରବାର ଆରମ୍ଭ କରିଥିଲା ବେଳେ ବର୍ତମାନ ଏମାନଙ୍କୁ ମିଶାଇ ଅନ୍ୟ ୪ଟି କମ୍ପାନୀ କାର୍ଯ୍ୟରତ ଅଛନ୍ତି । ବିଗତ ବର୍ଷ ଗୁଡିକରେ ଲକ୍ଷଲକ୍ଷ ଟନର କ୍ରୋମାଇଟ ପଥର ଏଠାରୁ କମ୍ପାନୀ ମାନେ ଦେଶ ବିଦେଶରେ ବିକ୍ରିକରି ହଜାର ହଜାର କୋଟି ଟଙ୍କାର ମୁନାଫା ଅର୍ଜନ କରିଛନ୍ତି । କାଳକ୍ରମେ ଏଠାରେ ଶ୍ରମିକ ସଂଗଠନ ମାଧ୍ୟମରେ ଟ୍ରକ ଲୋଡ଼ିଂ ହୋଇ କ୍ରୋମାଇଟ ପରିବହନ କରାଯାଉଥିଲା । କାଳିଆପାଣି ଖଣି ଅଞ୍ଚଳକୁ ମିଶାଇ ସୁକିନ୍ଦା ଅଞ୍ଚଳର ହଜାର ହଜାର ଲୋଡ଼ିଂ ଶ୍ରମିକ ଏଠାରେ କାମ କରୁଥିଲେ । ଏହାରି ଭିତରେ ଶ୍ରମିକ ଶୋଷଣ କାରବାର ଆରମ୍ଭ ହୋଇଥିଲା । ଓଏମସିର କାଳିଆପାଣି ଏବଂ ଟାଟା କମ୍ପାନୀ ଅଧିନରେ ସେତେ ବେଳେ ପ୍ରାୟ ଦଶ ହଜାରରୁ ଅଧିକ ଶ୍ରମିକ ଠିକା ଶ୍ରମିକ ଭାବେ କାମ କରୁଥିଲେ । ପ୍ରତି ଖଣିରେ ଲୋଡିଂ କରୁଥିବା ଶ୍ରମିକ ମାନଙ୍କ ମଧ୍ୟରେ ଛୋଟିଆ ଛୋଟିଆ ଗ୍ରୁପ କରି ପ୍ରତି ଗ୍ରୁପରେ ଜଣେ ଲେଖାଏଁ ଖାତାଦାର ଭାବରେ କାମ କରୁଥିଲେ । ଏହିପରି ଭାବରେ କଲରଙ୍ଗୀ କ୍ରୋମାଇଟ ମାଇନ୍ସ, କାଠପାଳ କ୍ରୋମାଇଟ ମାଇନ୍ସ, କାଳିଆପାଣି କ୍ରୋମାଇଟ ମାଇନ୍ସ ଏବଂ ଟାଟା କମ୍ପାନୀର ସୁକିନ୍ଦା କ୍ରୋମାଇଟ ମାଇନ୍ସରେ ଶ୍ରମିକ ମାନେ ହଜାର ହଜାର ସଂଖ୍ୟାରେ କାମକରୁଥିଲେ । ମାତ୍ର ଏକ ଆକଳନରୁ ଜଣାଯାଏ ଧୀରେ ଧୀରେ କମ୍ପାନୀ ଗୁଡିକ ମେସିନ ଦ୍ୱାରା ଟ୍ରକ ଲୋଡିଂ କରିବାରୁ ଶ୍ରମିକ ମାନଙ୍କ ସଂଖ୍ୟା କମିବାରେ ଲାଗିଲା । ଠିକାଦାର ମାନଙ୍କ ଅଧିନରେ କାମ କରୁଥିବା ଲୋକମାନେ ଜୀବିକା ହରାଇ ବସିଲେ । ହେଲେ ବିଚିତ୍ର କଥା ହେଲା ଶ୍ରମିକମାନେ ତ ଜୀବିକା ହରାଇଲେ ମାତ୍ର ଯେଉଁମାନେ ଖାତାଦାର ଭାବେ କାମ କରୁଥିଲେ ସେମାନେ କୋଟି କୋଟି ଟଙ୍କାର ମାଲିକ ହୋଇଗଲେ । ଠିକାଦାରଙ୍କ କହିବା ଅନୁଯାଇ ଜଣେ ସାଧାରଣ ଲୋଡିଂ ଶ୍ରମିକର ମଜୁରୀ ଯେତିକି ଥିଲା, ଜଣେ ଠିକାଦାରଙ୍କ ମଜୁରୀ ମଧ୍ୟ ସେତିକି ଧାର୍ଯ୍ୟ କରାଯାଇଥିଲା । ତେବେ ବର୍ତମାନ ଦେଖାଯାଉଛି ଯେ ଯେଉଁ ଶ୍ରମିକ ମାନେ ଦୀର୍ଘ ବର୍ଷ ଧରି ଟ୍ରକ ଲୋଡ଼ିଂ କରି ଆସୁଛନ୍ତି ସେମାନେ ସେଇ ତେଲଲୁଣ ସଂସାର ଭିତରେ ରହିଥିବା ବେଳେ ଯେଉଁମାନେ ତାଙ୍କର ଖାତାଦାର ହୋଇ କାମ କରୁଥିଲେ ସେମାନେ ବର୍ତମାନ ସମସ୍ତେ କୋଟି କୋଟି ଟଙ୍କାର ମାଲିକ ହୋଇ ୧୨ଚକିଆ, ୧୪ଚକିଆ ଭାରୀଯାନର ମାଲିକ ହୋଇ ଶୀତ ତାପ ନିୟନ୍ତ୍ରିତ ଲଗଜରିୟସ ଗାଡିରେ ବୁଲୁଥିବାର ସାଧାରଣରେ ଚର୍ଚ୍ଚାଚାଲିଛି । ତେବେ ଜଣେ ଶ୍ରମିକ ଏବଂ ଜଣେ ଖାତାଦାରର ଦୈନିକ ମଜୁରୀ ସମାନ ହୋଇଥିବା ବେଳେ କେବଳ ଖାତାଦାର ମାନେ କୋଟିପତି ପାଲଟିଗଲେ ଆଉ ଶ୍ରମିକ ମାନେ ସେଇ ଦୈନିକ ମଜୁରିଆ ହୋଇ ରହିଗଲେ । ଏହାର କାରଣ ଆଜିଯାଏଁ କେହି ବୁଝି ପାରିନାହାନ୍ତି । ସେତେ ବେଳର ଯେଉଁ କୁଜିନେତା ମାନେ ଶ୍ରମିକ ନେତା ବୋଲାଉଥିଲେ ଆଜି ସେମାନେ ଜଣେ ଜଣେ ଟ୍ରକ ମାଲିକ ହୋଇ ପ୍ରତିଷ୍ଠିତ ହୋଇ ପାରିଥିବା ବେଳେ ବିଚରା ଲୋଡ଼ିଂ ଶ୍ରମିକଟି ଦୈନିକ ମଜୁରୀ ପାଇଁ ଏବେ ମଧ୍ୟ ସଂଘର୍ଷ ରତ । ବିଚରା ଶ୍ରମିକଟି ନିଜର ପୈତୃକ ବିଲ ବାଡ଼ି ସମ୍ପତିକୁ ଅଣଦେଖା କରି ଅନେକ ଆଶା ଏବଂ ଭରସା କରିଥିଲା ଖଣି ଖାଦାନ ଉପରେ ନିର୍ଭରଶୀଳ ହୋଇ ରହିଲା ସିନା ବର୍ତମାନ ସେଇ ବିଲବାଡି ସବୁ ପଡିଆ ବା ଟାଙ୍ଗରା । ଗରିବ ଶ୍ରମିକଟିଏ ନିଜର ପିଲାମାନଙ୍କୁ ନା ଭଲ ପାଠ ପଢ଼ିବାର ସୁବିଧା କରିପାରିଲା ନା ଚାକିରୀଟିଏ ଦେଇ ପାରିଲା । ଅନ୍ୟପଟେ ଖାତାଦାର ମାନଙ୍କ ସମ୍ପତି ଦ୍ୱିଗୁଣିତ ହେବାରେ ଲାଗିଲା । ଏହାର ରହସ୍ୟ ଅନେକ ବୁଦ୍ଧିଜୀବୀଙ୍କ ମାନସ ପଟରେ ଆଲୋଡନ ସୃଷ୍ଟି କରୁଥିବା ବେଳେ ଅନେକଙ୍କ ମନରେ ନିରାଶା ଏବଂ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।