ଶ୍ରୀମନ୍ଦିରରେ ବରକନ୍ୟାଙ୍କ ଚତୁର୍ଥୀ ହୋମ
ପୁରୀ : ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ପରାମ୍ପରିକ ନୀତି ସଂପନ୍ନ ହେବା ସହ ନବବିବାହିତ ମଦନମୋହନ ଓ ଲକ୍ଷ୍ମୀଙ୍କର ଚତୁର୍ଥୀ ହୋମ ସଂପନ୍ନ ହୋଇଛି । ସକାଳେ ଚାରମାଳ ବନ୍ଧା ସରିବା ପରେ ଦଇତାପତି ସେବକମାନେ ପତିମହାପାତ୍ରଙ୍କ ସହ ସିଂହାସନ ଉପରକୁ ଯାଇ ମାଳଫୁଲ ମଇଲମ କରିବା ସହ ରୁନ୍ଧା ହୋଇଥିବା ରସିକ ଶିକୁଳି ଓ ଶୁଆ ଥଣ୍ଟିଆ ମଇଲମ କରି ଠାକୁରମାନଙ୍କ ଶ୍ରୀଅଙ୍ଗରେ ଦଇତାମାନଙ୍କ ଦ୍ୱାରା ସେନାପଟା ଲାଗି କରାଯାଇଥିଲା । ଏହା ପରେ ଦଇତାପତିମାନେ ସିଂହାସନରେ ଶ୍ରୀ ସୁଦର୍ଶନ, ସରସ୍ୱତୀ ଓ ମାଧବଙ୍କୁ ବିଜେ କରାଇଥିଲେ । ଏହାପରେ ମଙ୍ଗଳଆଳତି କରାଯାଇ ଅଣସର ପିଣ୍ଡିରେ ଅବକାଶ ନୀତି ସମାପନ ହୋଇଥିଲା । ଭିତରେ ବେଶ କରାଯାଇ ଅଣସର ପିଣ୍ଡିରେ ସକାଳ ଧୂପ, ଆଲଟ ଓ ଚନ୍ଦନ ଲାଗି କରାଯାଇଥିଲା । ଚାର ଥିବା ଯୋଗୁଁ ଭୋଗମଣ୍ଡପ ବ୍ୟତୀତ ସମସ୍ତ ଧୂପରେ ମୁରୁଜ ପଡ଼ି ଜୟବିଜୟ ଦ୍ୱାର ବନ୍ଦ ରହି ଅଣସର ପିଣ୍ଡିରେ ଭୋଗ ବଢାଯାଇଥିଲା । ସନ୍ଧ୍ୟା ଧୂପ ଶେଷ ହେବା ପରେ ପୂଜାପଣ୍ଡା, ପତି ଓ ମୁଦିରସ୍ତ ଉପସ୍ଥିତ ଥାଇ ବରକନ୍ୟାଙ୍କ ଚତୁର୍ଥୀ ହୋମ କରାଯାଇଥିଲା । ବଡ଼ସିଂହାର ଭୋଗ ସରି ପାଣି ପଡ଼ିବା ପରେ ବରକନ୍ୟା ଭିତରକୁ ବିଜେ କରିଥିଲେ । ଏହାପରେ ଅବଶିଷ୍ଟ ଦୈନନ୍ଦିନ ନୀତି ଶେଷ ହୋଇ ପହୁଡ଼ ଆଳତି କରାଯାଇଥିଲା ଏବଂ ଆଳତି ସରିବା ପରେ ବରକନ୍ୟା ଦକ୍ଷିଣ ଘରେ, ସରସ୍ୱତୀ ଓ ମାଧବ ଖଟ ଶେଯ ଘରେ ବିଜେ କରିଥିଲେ ।