ଶ୍ରୀରାଧାକୃଷ୍ଣଙ୍କ ଚନ୍ଦନ ଯାତ୍ରା
କାକଟପୁର : କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିରରେ ପୂଜା ପାଉଥିବା ଶ୍ରୀ ରାଧାକୃଷ୍ଣଙ୍କ ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟା ତିଥିରୁ ଚାଲିଆସିଛି । ଏହି ଯାତ୍ରା ୨୨ଦିନ ଧରି ଅନୁଷ୍ଠିତ ହୋଇଥାଏ ବୋଲି କହିଛନ୍ତି ମା ମଙ୍ଗଳାଙ୍କ ସେବକ କମଳ ଲୋଚନ ଦୀକ୍ଷିତ । ପ୍ରତିଦିନ ପାର୍ଶ୍ୱଦେବତା ଶ୍ରୀ ରାଧା କୃଷ୍ଣଙ୍କ ବିଗ୍ରହକୁ ଏକ ସୁସଜ୍ଜିତ ମଣୀ ବିମାନରେ ପ୍ରାଚୀ ନଦୀ କୂଳରେ ଥିବା ଚନ୍ଦନ ମଣ୍ଡପକୁ ନିଆଯାଉଛି । ସେଠାରେ ଚନ୍ଦନ ମିଶ୍ରିତ ଜଳରେ ସ୍ନାନ କରାଯାଇ ଭୋଗ ଲାଗି କରାଯାଇ ଚନ୍ଦନ ମଣ୍ଡପ ନିକଟ ପ୍ରବାହିତ ପ୍ରାଚୀ ନଦୀ ବକ୍ଷରେ ନୌକାରେ ବସାଇ ଚାପ ଖେଳ କରାଯାଉଛି । ମା’ଙ୍କ ମନ୍ଦିର ବେଢା ଭିତର ଦକ୍ଷିଣ ପାର୍ଶ୍ୱରେ ଥିବା ପ୍ରଭୁ ଶ୍ରୀ ରାଧା କୃଷ୍ଣଙ୍କ ମନ୍ଦିର ରେ ବୈଶାଖ ମାସରେ ପ୍ରଚଣ୍ଡ ରୌଦ୍ରତାପରେ ଆଲଟ ପଡେ । ସେଥିପାଇଁ ଠାକୁରଙ୍କୁ ଚନ୍ଦନ ଲାଗି କରାଯାଇଥାଏ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ର ରୌଦ୍ର ତାପରୁ ମୁକ୍ତି ପାଇବା ପାଇଁ ଏହି ଚନ୍ଦନ ଯାତ୍ରା କରାଯାଇଥାଏ । ସମସ୍ତ ଦିନ ପ୍ରଭୁଙ୍କ ସ୍ନାନ ନୀତି ନିମନ୍ତେ ଚନ୍ଦନ, କର୍ପୁର, ହଳଦି, ଚୁଆ, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ, ଗୋଲାପ ପ୍ରଭୃତି ବ୍ୟବହାର କରି ସୁବାସିତ ଜଳ ପ୍ରସ୍ତୁତି କରାଯାଏ । ସେହି ଜଳରେ ସ୍ନାନ କରିଥାନ୍ତି ପ୍ରଭୁ ରାଧା କୃଷ୍ଣ ଏବଂ ପରେ ପ୍ରତେକ ଦିନ ସଂନ୍ଧ୍ୟା ସମୟରେ ଶଙ୍ଖ, ଘଣ୍ଟ ଘଣ୍ଟା, ମୃଦଙ୍ଗ, ଖୋଳ ତାଳ, ମହୁରୀ, ହୁଳହୁଳି ସହ ଏକ ସୁସଜ୍ଜିତ ବିମାନରେ ପ୍ରଭୁ ରାଧା କୃଷ୍ଣ ବ୍ରାହ୍ମଣ, ଗୋପାଳ,ଖମାରେଇ, ବାରିକ ସମେତ ସମସ୍ତ ସେବାୟତ ଙ୍କୁ ଧରି ବାହାରିଯାଆନ୍ତି ନଗର ପରିକ୍ରମା , ଓ ନିକଟ ପ୍ରାଚୀ ନଦୀ ର ଚନ୍ଦନ ଘାଟ ନିକଟ କୁ କ୍ଷ ସେଠାରେ ପ୍ରଭୁ ରାଧା କୃଷ୍ଣ ଜଳକ୍ରୀଡା ସହିତ ସୁସଜ୍ଜିତ ଡ଼ଙ୍ଗା ରେ ଚାପ ଖେଳିଥାଆନ୍ତି । ଏହି ପର୍ବ ମୋଟ ୨୨ ଦିନ ଧରି ପାଳିତ ହୋଇଥାଏ । ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ତିଥି ଠାରୁ ଏହି ଯାତ୍ରା ଆରମ୍ଭ ହୋଇଥାଏ । ଚନ୍ଦନ ଯାତ ନାମରେ ଏହା ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାଦ୍ଦୀରୁ ଚାଲି ଆସିଛି ବୋଲି ଗବେଷକ ମାନେ ମତ ପ୍ରକାଶ କରିଛନ୍ତି ।