କୋର ପଞ୍ଚାୟତରେ ଜଳ ସଙ୍କଟ : ୪ଶହ ଲୋକଙ୍କ ପାଇଁ ଗୋଟିଏ ନଳକୂପ

କେନ୍ଦ୍ରାପଡା: ଚାରିଶହ ଲୋକଙ୍କ ପାଇଁ ଗୋଟିଏ ମାତ୍ର ନଳକୂପ । ପାଣି ନିଅଣ୍ଟ ପଡିବାରୁ ଭରସା ପାଲଟିଛି ଗାଁ ର ଦୁଇ ପରିତ୍ୟକ୍ତ ପୋଖରୀ । ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ଅସୁରଡିହ ଗାଁ ର ଚିତ୍ର । ଗାଁ ର ପ୍ରାୟ ୮୦ ପରିବାର ଏବେ ପାଣି ଟୋପେ ପାଇଁ ଡହଳବିକଳ ହେଉଛନ୍ତି । ଗାଁରେ ଥିବା ୩ ଟିରୁ ୨ଟି ନଳକୂପ ଅଚଳ ହୋଇ ପଡିଛି । ଗୋଟିଏ ମାତ୍ର ନଳକୂପ ପାଖରେ ଲାଗୁଛି ଲମ୍ବା ଲାଇନ୍ । ପୋଖରି ତୁଠରେ ମହିଳାଙ୍କ ଲମ୍ବା ଧାଡି । ପାଣି ଟୋପେ ପାଇଁ ଗରା ବାଲଟି ଧରି ଧାଡ଼ିରେ ଛିଡା ହେବାକୁ ପଡୁଛି । ଗ୍ରୀଷ୍ମ ପ୍ରବାହ ପ୍ରବଳ ହେବା ପରେ ପିଇବା ପାଣି ଟୋପେ ପାଇଁ ଗାଁ ରେ ହାହାକାର ପଡି ଯାଇଛି । ଯେଉଁ ପୋଖରି ରୁ ଗ୍ରାମବାସୀ ପାଣି ପିଉଛନ୍ତି ତାହା ଏକ ପରିତ୍ୟକ୍ତ ପୋଖରି । ଗାଁରେ ଏହିଭଳି ଦୁଇଟି ପୋଖରି ରହିଛି । ଗାଁର ୩ଟିରୁ ୨ ଟି ନଳକୂପ ଅଚଳ ହେବା ପରେ ଗ୍ରାମବାସୀ ପୋଖରି ପାଣି ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି । ଏହି ଅପରିଷ୍କାର ପାଣିରେ ରୋଷେଇବାସ ସମେତ ଘରର ଯାବତୀୟ କାମ କରିବାକୁ ପଡୁଛି । ତେବେ ଗାଁରେ କାର୍ଯ୍ୟକ୍ଷମ ଥିବା ଏକମାତ୍ର ନଳକୂପ ପାଖରେ ନାହିଁ ନ ଥିବା ଭିଡ ଜମୁଛି । କିନ୍ତୁ ଏହି ନଳକୂପରୁ ଧାରେ ମାତ୍ର ପାଣି ବାହାରୁଛି । ଗୋଟିଏ ଗରା ଭର୍ତି ହେବା ପାଇଁ ଲାଗୁଛି ପନ୍ଦର ମିନିଟ । ଫଳରେ ମହିଳାମାନେ ପାଣି ଟିକେ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ବର୍ଷ ସାରା ଏହି ସମସ୍ୟା ଲାଗି ରହିଛି । ହେଲେ ସମାଧାନ କାହାର ନଜର ନାହିଁ । କୋର ପଞ୍ଚାୟତର ଅନ୍ୟ ଗାଁ ଗୁଡିକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଛି, କିନ୍ତୁ ଅସୁରଡିହ ଗାଁରେ ପହଞ୍ଚିନି ପାଇପ୍ ଲାଇନ । ଗ୍ରୀଷ୍ମଋତୁରେ ଗାଁରେ ଥିବା ପାରମ୍ପରିକ ଜଳ ଉତ୍ସ ଗୁଡିକ ଶୁଖି ଯାଇଛି । ଖରାପ ହୋଇ ପଡ଼ି ରହିଥିବା ନଳକୂପର ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ ଶୂନ । ତେଣୁ ବାଧ୍ୟ ହୋଇ ଲୋକେ ଅସ୍ୱାସ୍ଥ୍ୟକର ପୋଖରି ପାଣି ବ୍ୟବହାର କରୁଛନ୍ତି । ଫଳରେ ଗାଁରେ ନାନା ପ୍ରକାର ଚର୍ମ ଓ ପେଟ ରୋଗ ବ୍ୟାପିବାରେ ଲାଗିଛି । ନିଜ ବ୍ୟବହାର ପାଇଁ ପାଣି ଅଭାବ ପଡୁଥିବା ବେଳେ, ଗୃହପାଳିତ ପଶୁମାନଙ୍କ ପାଇଁ ମଧ୍ୟ ପାଣି ଟୋପେ ମିଳୁନାହିଁ । ଏଭଳି ସ୍ଥିତିରେ ଜୀବନ ବଞ୍ଚାଇବା ଲୋକଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି । ଗାଁରେ ଅଚଳ ହୋଇ ପଡ଼ି ରହିଥିବା ନଳକୂପ ମରାମତି କରିବା ସହ ପାଇପ୍ ଯୋଗେ ପାଣି ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।