ସଠିକ ଢଙ୍ଗରେ କାର୍ଯ୍ୟକାରୀ ହେଉନି ଆଇନ ; ବିବାହ ଶୋଭାଯାତ୍ରାରେ ନିୟମ ଲଂଘୁଛି ଶବ୍ଦ ପ୍ରଦୂଷଣ 

ସଠିକ ଢଙ୍ଗରେ କାର୍ଯ୍ୟକାରୀ ହେଉନି ଆଇନ ; ବିବାହ ଶୋଭାଯାତ୍ରାରେ ନିୟମ ଲଂଘୁଛି ଶବ୍ଦ ପ୍ରଦୂଷଣ 

ଯାଜପୁର ସଦର : ଡିଜେର ଅତ୍ୟଧିକ ଶବ୍ଦକୁ ବନ୍ଦ କରିବା ପାଇଁ ନିକଟରେ ଜିଲାପାଳଙ୍କୁ ଏକ ଦାବିପତ୍ର ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ପଞ୍ଚାୟତ ପ୍ରତିନିଧିଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା । ଦାବିପତ୍ରରେ କୁହାଯାଇଥିଲା କି ବିଭିନ୍ନ ପର୍ବପର୍ବାଣୀ, ବାହାଘର, ବ୍ରତଘରରେ ଡିଜେର ଅତ୍ୟଧିକ ଶବ୍ଦ ବ୍ୟବହାର କରାଯାଉଛି । ଯାହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଡିଜେର ଅତ୍ୟଧିକ ଶବ୍ଦ ଦ୍ୱାରା ଅନେକ ହୃଦ୍‌ଘାତ ରୋଗୀଙ୍କ ଜୀବନ ଚାଲିଯିବା ସହିତ ନବଜାତ ଶିଶୁ ମାନଙ୍କ ଜୀବନ ମଧ୍ୟ ଯାଉଛି । ଜିଲାର ବିଭିନ୍ନ ଅଞ୍ଚଳରେ ଡିଜେର ଅତ୍ୟଧିକ ଶବ୍ଦକୁ ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକମାନେ ବିରୋଧ କରିବା ଦ୍ୱାରା ଉଭୟ ପକ୍ଷ ମଧ୍ୟରେ ବଚସା ଓ ମାଡଗୋଳ ହେବା ସହିତ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି ।  ଡିଜେ ମାଲିକ ମାନଙ୍କ ସହିତ ଶାନ୍ତିପୂର୍ଣ୍ଣ ଆଲୋଚନା କରି ଦାବିକୁ ପୂରଣ କରିବା ସହିତ ଜିଲାର ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲା ଆରକ୍ଷୀ ଅଧିକ୍ଷକ, ଉପଖଣ୍ଡ ପୁଲିସ ଓ ଥାନା ଅଧିକାରୀଙ୍କୁ ସୂଚନା ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲା । ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଥିଲେ ବି ସଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ ହେଉନି । ଯାହାଫଳରେ ନିୟମ ଉଲଂଘନରେ ଶବ୍ଦ ପ୍ରଦୂଷଣ ବଢିଚାଲିଛି । ଏବେ ଚାଲିଛି ବିବାହ ଋତୁ, ଚାଲିଥିବାରୁ ଶୋଭାଯାତ୍ରାର ଶବ୍ଦ ପ୍ରଦୂଷଣ ନିୟମ ଲଂଘୁଥିବାର ଅଭିଯୋଗ ହେଉଛି । ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ୨୦୦୩ ର ଧାରା ୩୨ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ପୁଲିସର ଅଛି । ସେହିପରି କେନ୍ଦ୍ର ସରକାରଙ୍କ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଓ କଟକଣା ନିୟମ ୨୦୦୦ ଅନୁସାରେ ଆଇନ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଜିଲ୍ଲାପାଳ, ଏସ୍‌ପିଙ୍କୁ ମଧ୍ୟ କ୍ଷମତା ପ୍ରଦାନ କରାଯାଇଛି । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାତି ୧୦ଟା ପରେ ଡାକବାଜି ଯନ୍ତ୍ର ବ୍ୟବହାର କରି ହେଉଥିବା ଶୋଭାଯାତ୍ରା ଉପରେ କଟକଣା ରହିଛି । ହେଲେ ରାତି ୧୦ଟା ପରେ ବି ବିବାହ ଶୋଭାଯାତ୍ରା ସହର ତଥା ଉପକଣ୍ଠ ଅଞ୍ଚଳରେ ବହୁ ମାତ୍ରାରେ ଚାଲୁଛି । ପୂଜା ପାର୍ବଣରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ପୁଲିସ ଯେପରି ତତ୍ପରତା ପ୍ରକାଶ କରୁଛି, ବିବାହ ଶୋଭାଯାତ୍ରାଗୁଡ଼ିକ ପାଇଁ ଦେଖୁବାକୁ ମିଳୁନାହିଁ । ଏପରିକି ଡିଜେକୁ ନିଷେଧ କରାଯାଇଥିଲେ ମଧ୍ୟ ଏହା ଏବେ ସହର ଓ ଗ୍ରାମାଞ୍ଚଳରେ ମାନଙ୍କରେ ଖୁଲମଖୁଲା ବ୍ୟବହାର ହେଉଛି । ଶବ୍ଦ ନିୟନ୍ତ୍ରଣ ପାଇଁ ସାଉଣ୍ଡ ଲିମିଟର ଲଗାଇବା ବାଧ୍ୟତାମୂଳକ ଥିଲେ ମଧ୍ୟ, ଏହାକୁ ଉଲଙ୍ଘନ କରାଯାଉଛି । ଯାହା ଫଳରେ ଡିଜେ ଶବ୍ଦରେ କାନ ଫାଟିପଡୁଛି । ଗୁରୁତ୍ୱପୂର୍ଣ ହେଲା କେତେକ ଶୋଭାଯାତ୍ରା ପାଇଁ ପୁଲିସ ଅନୁମତି ମଧ୍ୟ ନିଆଯାଉନି । ଶବ୍ଦ ମାପକ ଯନ୍ତ୍ରଗୁଡ଼ିକ ଥାନାଙ୍କୁ ଦିଆଯାଇଥିଲେ ବି ଅନେକ ଜାଗାରେ ଏଗୁଡ଼ିକ ଅଚଳ ହୋଇରହିଛି । ବିଗତ ଦିନରେ ଶବ୍ଦ ପ୍ରଦୂଷଣ ନେଇ ଓଡ଼ିଶା ରାଜ୍ୟ ମାନବାଧିକାର କମିଶନ ଉଦ୍‌ବେଗ ପ୍ରକାଶ କରିଥିବା ନଜିର ରହିଛି । ବିବାହ ମହୋତ୍ସବରେ ଡିଜେ ସାଉଣ୍ଡ ସାଙ୍ଗକୁ ଉଚ୍ଚଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଯିବା ଦ୍ୱାରା ସର୍ବାଧିକ ପ୍ରଦୂଷଣ ହେଉଛି । ଡିଜେ ଗୁଡ଼ିକରୁ ୬୫ ଡେସିବଲରୁ ଅଧୁକ ଶବ୍ଦ ଉତ୍ପନ୍ନ ହେଉଛି । ଯାହାର କୁ-ପ୍ରଭାବ ଗର୍ଭବତୀ ମହିଳା, ଛୋଟଛୋଟ ଶିଶୁ, ହୃଦରୋଗ ରେ ପିଡୀତ ରୋଗୀଙ୍କ ଉପରେ ପଡୁଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବି କରାଯାଇଛି ।