ଜରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା : ବିପର୍ଯ୍ୟସ୍ତ ନର୍ସଙ୍କ ହାତରେ ରୋଗୀଙ୍କ ଭାଗ୍ୟ

 ସିଂହପୁର : ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ କେଉଁଠି ଆବଶ୍ୟକ ଭିତ୍ତିଭୂମିର ଅଭାବ ତ କେଉଁଠି ଡ଼ାକ୍ତର କର୍ମଚାରୀ ଅଭାବରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ୁଛି । ଯାହାର ସିଧା ପ୍ରଭାବ ରୋଗୀଙ୍କ ଉପରେ ହିଁ ପଡ଼ୁଛି । ଅଭିଯୋଗ ପରେ ଅଭିଯୋଗ କରାଗଲେ ବି ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ହୋଇପାରୁନି । ଏଭଳି ଅବସ୍ଥା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ।
 ୧୯୮୬ ମସିହାରୁ ସ୍ଥାପିତ ଜରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦ୍ଘାଟନ ପର ଠାରୁ ଅଧିକାଂଶ ଦିନ ବିନା ଡ଼ାକ୍ତରରେ ସ୍ୱାସ୍ଥ୍ୟ ସେବା ଚାଲିଛି । ଜରୀ ଏକ ଦଳିତ ବହୁଳ ପଞ୍ଚାୟତ ହୋଇଥିବା ବେଳେ ଅଧିକାଂଶ ଗରୀବ ଶ୍ରେଣୀର । ଯେଉଁମାନେ କି  ବାହାରେ ଚିକିତ୍ସା ହେବା ସମ୍ଭବ ନୁହେଁ । ଆଖପାଖ ୧୦ଟି ଗ୍ରାମର ଲୋକେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି । ଜଣେ ନର୍ସଙ୍କ ହାତରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଟେକି ଦିଆଯାଇଛି । ରୋଗୀଙ୍କ ଭାଗ୍ୟ ନର୍ସଙ୍କ ହାତରେ ବୋଲି କୁହାଯାଇପାରେ । ଉକ୍ତ ନର୍ସ ସ୍ୱାସ୍ଥ୍ୟ କେନ୍ଦ୍ର ନ ଆସିଲେ ସ୍ୱାସ୍ଥ୍ୟ କେନ୍ଦ୍ର ଏକ ପ୍ରକାର ବନ୍ଦ ହୋଇଯାଏ । ଦୈନିକ ବହୁ ରୋଗୀ ଚିକିତ୍ସା ପାଇଁ ଆସନ୍ତି ହୀନସ୍ଥା ହୋଇ ଫେରୁଥିବା ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ଡାକ୍ତର ଓ ଫାର୍ମାସିଷ୍ଟି ନିଯୁକ୍ତି ପାଇଁ ସ୍ଥାନୀୟ ଲୋକେ ବିଞ୍ଝାରପୁର ସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରେ ବହୁବାର ଅଭିଯୋଗ କଲେ ମଧ୍ୟ ତାହା କିନ୍ତୁ ପୂରଣ ହୋଇ ପାରୁନାହିଁ । କେବେ ଏହି ସମସ୍ୟା ଦୂର ହୋଇ ଲୋକେ ସ୍ୱାସ୍ଥ୍ୟ ସେବା ପାଇବେ ତାହା କେବଳ ଦେଖିବାର ଅଛି ।