ସଡକ ଦୁର୍ଘଟଣାରେ ଯୁବକ ମୃତ
ଭଦ୍ରକ-ଚାନ୍ଦବାଲି ରାସ୍ତାର ରାଣୀପୁର ଓ ଅଲ୍ଲୀନଗର ଛକ ମଧ୍ୟରେ ଆଜି ମଧ୍ୟାହ୍ନରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତ ଯୁବକ ହେଉଛନ୍ତି ରଶ୍ମିରଞ୍ଜନ ସାହୁ(୩୩) ଓ ତାଙ୍କ ଘର ବାଂଶଡା ଥାନା ଅନ୍ତର୍ଗତ ନଳଗୋହିରା ପଞ୍ଚାୟତର ହରେକୃଷ୍ଟପୁର ଗାଁରେ ବୋଲି ଜଣାଯାଇଛି । ପ୍ରକାଶ ଯେ ଆଜି ମଧ୍ୟାହ୍ନ ପ୍ରାୟ ୧ଟା ବେଳେ ରଶ୍ମିରଞ୍ଜନ ଏକ ବାଇକ ଯୋଗେ ଭଦ୍ରକରୁ ନିଜ ଘରକୁ ଫେରୁଥିଲେ । ତେବେ ରାଣୀପୁର-ଅଲ୍ଲୀନଗର ଛକ ମଧ୍ୟରେ ଚାନ୍ଦବାଲି ଆଡୁ ଯାଉଥିବା ଭୂମିକା ଚକ୍ଷୁ ହସପିଟାଲର ଏକ ଗାଡି ନଂଓଡି୦୨ସିପି୪୨୫୭ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସେ ଗୁରୁତର ହୋଇ ପଡିଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ତିହିଡି ମେଡିକାଲକୁ ଚିକିତ୍ସା ଲାଗି ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତିହିଡି ପୋଲିସ ଏଥିନେଇ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଜବତ କରିଛି ।