ସମାଜସେବୀଙ୍କ ପରଲୋକ
ପୁରୀ : ସ୍ଥାନୀୟ ତଳନୂଆ ସାହିର ବିଶିଷ୍ଟ ସମାଜସେବୀ ପ୍ରଦୀପ୍ତ କାନୁନ୍ଗୋଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବିଭିନ୍ନ ସାହିର ଯାଗା ଆଖଡ଼ା ସହ ତାଙ୍କର ସୁସମ୍ପର୍କ ରହିଥିବା ବେଳେ ସହରରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଭାବେ ତାଙ୍କର ପରିଚିତି ରହିଥିଲା । ତାଙ୍କର ବିୟୋଗ ପରେ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିବା ସହିତ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ସହିତ ବହୁ ବ୍ୟକ୍ତି ବିଶେଷ ତଥା ସମାଜସେବୀ ତାଙ୍କର ଶେଷ ଦର୍ଶନ କରିଥିଲେ । ଜ୍ୟେଷ୍ଠ ପୁତ୍ର ସୁଧୀର କାନୁନ୍ଗୋ ମୁଖାଗ୍ନି ଦେଇଥିବା ବେଳେ କନିଷ୍ଠ ପୁତ୍ର ତଥା ବିଜେପିର ଯୁବନେତା ସଂଗ୍ରାମ କାନୁନ୍ଗୋ ଉପସ୍ଥିତ ଥିଲେ ।