୩ ବାଲି ବୋଝେଇ ଟ୍ରାକ୍ଟର ଜବତ


 ସାରସକଣା : ମୟୂରଭଞ୍ଜ ଜିଲ୍ଲା ତିନିରାଜ୍ୟ ସୀମାନ୍ତରେ ଅବସ୍ଥିତ ବିଭିନ୍ନ ଅଞ୍ଚଳରୁ ବେଆଇନ ବାଲି ଉତ୍ତୋଳନ କରାଯାଉଥିବାବେଳେ ମାଇନିଙ୍ଗ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ହାଇୱା ମାଲିକ ରାତି ତମାମ ବାଲି କାରବାର କରୁଥିବା ବେଳେ ଟ୍ରାକ୍ଟରଙ୍କ ମୁଣ୍ଡରେ ଠେଙ୍ଗା ବାଜିଛି । ୩ଟି ଟ୍ରାକ୍ଟରକୁ ପୁଲିସକୁ ଜବତ କରି ଥାନାରେ ଅଟକ ରଖିଥିବା ଜଣାପଡିଛି । ପ୍ରକାଶ ଯେ, ପୂର୍ବଲିଜ୍ ଏଗ୍ରିମେଣ୍ଟକୁ ଆଧାର କରି ପ୍ରଶାସନ ପାଣ୍ଡରା ସ୍ଥିତ ଯମୁନାପାଳ ବାଲି ଘାଟ ଚଳାଇବା ପାଇଁ ପ୍ରତିବନ୍ଧକ ଭିତରେ ଅନୁମତି ଦେଇଛନ୍ତି । ହେଲେ ଆଶ୍ଚର୍ଯ୍ୟର ବିଷୟ ଯେଉଁ ସ୍ଥାନକୁ ଅନୁମତି ଦିଆଯାଇଛି ସେଠାରୁ ବାଲି ନ ଉଠାଇ ଶୀର୍ଷା ରୁଗୁଡ଼ିସାହିରୁ ଏକାଧିକ ହାଇୱା ବାଲି ଉଠାଉଛନ୍ତି । କିଛି ଟ୍ରାକ୍ଟର ଗୁଡିକୁ ପାଣ୍ଡରା ନିକଟ ଘାଟରୁ ବାଲି ଉଠାଇ ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ପୁରା କରୁଛନ୍ତି । ହେଲେ ସବୁଠାରୁ ଦୁଖଃଦ ବିଷୟ ରାସ୍ତା ଉପରେ ମାଇନିଙ୍ଗ ଅଧିକାରୀ ହାଇୱା ଯାଞ୍ଚ କଲାବେଳେ ଗାଡ଼ିରେ କାଗଜପତ୍ର ଠିକ୍ ଥିବା ଦେଖାଇ ହାଇୱା ଖସି ଯାଉଥିବା ଗତକାଲି ରାତ୍ରିରେ ପ୍ରମାଣ ମିଳିଥିବାବେଳେ ପୋଲିସ ହାଇୱା ଗୁଡିକୁ ଗୋଟେ ପ୍ରକାର ସୁରକ୍ଷା ଦେଉଛି । କାରଣ ପୋଲିସ ଅଧିକାରୀ ସହିତ ଗୃହରକ୍ଷୀ ମାନେ ଉପସ୍ଥିତ ଥିବା ସମୟରେ ଏହି ବେଆଇନ ବାଲି ବୋଝେଇ ଗାଡି ଯାଉଛି । ଏଭଳି ସ୍ଥିତିରେ ଇଲିସି ଛାଡି କେରାଣ୍ଡି ଧରିବା ଭଳିଆ ହାଇୱା ନଧରି ଟ୍ରାକ୍ଟର ଧରି ପୋଲିସ ବାହାବାହା ନେବାରେ ଲାଗିଛି । ସନ୍ଧ୍ୟାରେ ୩ ଟି ଟ୍ରାକ୍ଟର ଯାଉଥିବା ବେଳେ ଏସଆଇ ଗଦାଧର ଭୋଇଙ୍କ ହାବୁଡ଼ରେ ପଡ଼ିଥିଲେ । ଫଳରେ ତିନୋଟି ଟ୍ରାକ୍ଟରକୁ ଥାନାକୁ ଆଣି ଅଟକ ରଖିଥିବା ବେଳେ ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ସୂଚନା ଦେଇଛନ୍ତି ।