ସମାଧାନ ନ ହେଲେ ଆନ୍ଦୋଳନ

ସମାଧାନ ନ ହେଲେ ଆନ୍ଦୋଳନ

ଯାଜପୁରଟାଉନ : ଶନିବାର ଯାଜପୁର ଜିଲାର ବିଜେଡି ନେତୃମଣ୍ଡଳୀ ଜିଲାପାଳଙ୍କୁ ଭେଟି ଏକ ଦଫା ଦାବି ପ୍ରଦାନ କରିଛନ୍ତି । ବିଭିନ୍ନ ପ୍ରକାର ଦାବି ବିଜେଡ଼ି ପକ୍ଷରୁ ରଖାଯାଇଥିବା ବେଳେ ଯଦି ୧୫ଦିନ ମଧ୍ୟରେ ସମାଧାନ ନହୁଏ, ତେବେ ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ ବୋଲି ଚେତାବନୀ ଦିଆଯାଇଛି । ଶନିବାର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ପୂର୍ବତନ ବିଧାୟକ ପ୍ରୀତିରଂଜନ ଘଡ଼ାଇ, ପ୍ରଣବ ବଳବନ୍ତ ରାୟ, ପ୍ରଣବ ପ୍ରକାଶ ଦାସ, ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ ଓ ଜିଲା ବିଜେଡି ସଭାପତି ସରୋଜ କୁମାର ମହପାତ୍ର ପ୍ରମୁଖ ଜିଲାପାଳ ପି.ଅନ୍ୱେଷା ରେଡ୍ଡିଙ୍କୁ ଭେଟି ୭ଦଫା ଦାବି ସମ୍ଭଳିତ ଦାବିପତ୍ର ପ୍ରଦାନ କରିଥିଲେ । ବିଜେଡି ପକ୍ଷରୁ ଦିଆଯାଇଥିବା ଦାବି ପତ୍ରରେ କୁହାଯାଇଛି କି ଜିଲାର ପିଇବା ପାଣିର ଉତ୍କଟ ସମସ୍ୟା ସୃଷ୍ଟି ହେଲାଣି । ଚାଷୀମାନେ ବିଭିନ୍ନ କ୍ଷେତ୍ରରେ ହଇରାଣ ହରକତ ହେଉଛନ୍ତି । ନିର୍ବାଚିତ ପ୍ରତିନିଧିକୁ ଅଣାଦେଖା କରାଯାଇ ଦଳୀୟ ଭିତିରେ କାର୍ଯ୍ୟ କରାଯାଉଛି । ବିଜେପି କର୍ମୀମାନଙ୍କ ଧମକ ଯୋଗୁଁ ବ୍ଲକ୍‌ ସମେତ ବିଭିନ୍ନ ସରକାରୀ କାର୍ଯର୍୍ୟାଳୟରେ ଉନ୍ନୟନ କାର୍ଯ୍ୟ ଠପ ହୋଇପଡ଼ିଛି ଯାହାଫଳରେ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ବିଜେପି ଏଜେଂଟ ମାନେ ଥାନାକୁ ପରିଚାଳନା କରୁଥିବାର ଦୁଷ୍ଟାନ୍ତ ଆସିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ପୂର୍ବ ସରକାର ସମୟରେ ମଂଜୁର ହୋଇଥିବା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଉନଥିବା ଏବଂ ଜିଲାରେ ବେଆଇନ ଭାବେ ବ୍ୟାପକ ମାତ୍ରାରେ ବାଲି, ମୋରମ୍‌, ପଥର ଓ ମାଟି ଚୋରା ଚାଲାଣ ହେବା ଫଳରେ ଗାଁ ଗଣ୍ଡାର ରାସ୍ତାଘାଟ କ୍ଷତିଗ୍ରସ୍ତ ହେଉଛି । ଯାହା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିବା ସହିତ ସରକାର ବ୍ୟାପକ ରାଜସ୍ୱ ହରାଉଛନ୍ତି ।  ଦାବିପତ୍ର ମାଧ୍ୟମରେ କୁହାଯାଇଛି କି ବିଗତ ୯ମାସ ହେବ ଯାଜପୁର ଜିଲା ପ୍ରଶାସନଙ୍କ କାର୍ଯ୍ୟକ୍ରମରେ ସାଧାରଣ ଜନତା ଅତିଷ୍ଟ ହେଲେଣି । ସମାଜର ତଳସ୍ତରରେ ରହୁଥିବା ଗୋଟିଏ ଲୋକ ନ୍ୟାୟ ପାଇବା ପାଇଁ ବ୍ଲକ/ତହସିଲ ଅଫିସ ଧାଇଁଧାଇଁ ନୟାନ୍ତ ହୋଇଥିଲେ ମଧ୍ୟ ତାକୁ ଦଳୀୟ ମନୋଭାବ ନେଇ ନ୍ୟାୟ ପ୍ରଦାନ କରାଯାଉନାହିଁ ।