ଶବର ଦେବତା ଶ୍ରୀଜଗନ୍ନାଥ

ଉମାଶଙ୍କର ପ୍ରସାଦ : 
ଶାବରୀ ସଭ୍ୟତା ଓ ସଂସ୍କୃତିର ପ୍ରତୀକ ଦେଶୀୟ ଭାରତୀୟମାନେ କ÷÷ାଣସି ବ୍ୟକ୍ତିଗତ ଭଗବାନ ବା ଇଶ୍ୱରଙ୍କୁ ସ୍ୱୀକାର ନକରି ନିରାକାର ଓ ପ୍ରତୀକଧର୍ମୀ ଥିଲେ । ଯୋଗ ସାଧନା, ଲିଙ୍ଗ ଓ ବୃକ୍ଷପୂଜା ଏମାନଙ୍କ ସଭ୍ୟତା ଓ ସଂସ୍କୃତିର ମୂଳଭିତ୍ତି ଥିଲା । ବୃକ୍ଷପୂଜା କଲାବେଳେ ଏମାନେ ଜଡବୃକ୍ଷର ଉପାସନା ନ କରି ତହିଁରେ ଥିବା ବୃକ୍ଷାତ୍ମାର ପୂଜା ଉପାସନା କରୁଥିଲେ । ସୈନ୍ଧବ ଉପତ୍ୟାକାର ହରପ୍ପା ଓ ମହେଞ୍ଜୋଦାରୋରୁ ମିଳିଥିବା ଏକ ଶିଳାଚିତ୍ର ଫଟୋରୁ ଦୁଇଟି ବୃକ୍ଷ ମଧ୍ୟରେ ଦଣ୍ଡାୟମାନ ଏକ ମନୁଷ୍ୟାକୃତି ଦେବତାଟି ବୃକ୍ଷାତ୍ମା ବୋଲି ଗବେଷକ ବି୍ରଜେଟ୍ ଓ ରେମଣ୍ଡ ଆଲ୍ଜିନ୍ ମତ ଦେଇଛନ୍ତି । ଐତିହାସିକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ଏହି ବୃକ୍ଷାତ୍ମାକୁ ଜ୍ଞାନ ବୃକ୍ଷ (ଞକ୍ସରର କ୍ଟଲ ଳଦ୍ଭକ୍ଟଙ୍ଗକ୍ଷରୟଶର) ଓ ଜୀବନ ବୃକ୍ଷ (ଞକ୍ସରର କ୍ଟଲ କ୍ଷସଲର) ବୋଲି ବର୍ଣ୍ଣନା କରିଛନ୍ତି । ଏଥରୁ ସେହି ଉପାସନା କରୁଥିବା ଲୋକମାନଙ୍କର ଅନ୍ତର୍ମୁଖୀ ଆଧ୍ୟାତ୍ମିକ ଚେତନାର ପ୍ରମାଣ ମିଳେ । ଆଦିବାସୀ ସଂସ୍କୃତିର ଏହି ‘ବୃକ୍ଷାତ୍ମା’ ଉପାସନା ପରବର୍ତ୍ତୀ ଅବସ୍ଥାରେ ଦାରୁ ଉପାସନାରେ ପରିଣତ ହୋଇଛି । ଯେଉଁ ବୃକ୍ଷକୁ ସେମାନେ ‘ଜଗନ୍ତ’ ଆଖ୍ୟାଦେଇ ପୂଜା କରୁଥିଲେ, ତାହା ‘ଜଗନ୍ନାଥ‘ ଶଦ୍ଦର ମୂଳ ବୋଲି ଡକ୍ଟର ବେଣୀମାଧବ ପାଢୀ ‘ଦାରୁଦେବତା’ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି । ଆଦିବାସୀ ଶବରମାନଙ୍କର ଏହି ପରମ୍ପରା ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନବକଳେବର ବିଧି ବିଧାନରେ ହିଁ ଦେଖିବାକୁ ମିଳେ ।  ଶାବରୀ ସଂସ୍କୃତିର ପ୍ରାଧାନ୍ୟ ଓଡ୍ର, କଳିଙ୍ଗ, କୋଶଳ ଓ ଆଧୁନିକ ଉକ୍ରଳରେ ପରିବ୍ୟାପ୍ତ ଥିଲା । ଶବରୀ ସ୍ଥାନ ଅନ୍ତର୍ଗତ ଦକ୍ଷିଣ କୋଶଳର ଆଦିମ ଅଧିବାସୀ ଥିଲେ ଶବର ଓ କନ୍ଧ । ଆଦିବାସୀ ସଂପ୍ରଦାୟଭୁକ୍ତ ଶବର, କନ୍ଧ,ଗଣ୍ଡ ପ୍ରଭୃତି ବିଭିନ୍ନ ଶ୍ରେଣୀର ଆଦିବାସୀମାନେ ମୂଳତଃ ଥିଲେ ମୁଣ୍ଡାରୀ ଭାଷାଭାଷୀ । ମୁଣ୍ଡାରୀ ଭାଷା ଭାଷୀ ଏକ ବିରାଟ ସଭ୍ୟତାର ଅନ୍ତର୍ଭୂକ୍ତ । ଏହି ମୁଣ୍ଡାରୀ ଭାଷାରୁ ପରବର୍ତ୍ତୀ ବିଭିନ୍ନ ଆଦିବାସୀ ଭାଷାର ଉଦ୍ଭବ ହୋଇଛି । କନ୍ଧ ମାନଙ୍କର ପୂଜିତା କାଂପିଲ୍ୟମ୍ମା, ଶବରମାନଙ୍କ ପୂଜିତ  ଜଗନ୍ତ (କିତୁଙ୍ଗ୍) ଦେବତାଙ୍କ ଭଉଣୀ ବୋଲି ଆଦିବାସୀ ସଂପ୍ରଦାୟ ମଧ୍ୟରେ ଏବେ ମଧ୍ୟ ବିଶ୍ୱାସ ରହିଛି । ଜଗନ୍ତ ଦେବତା ଏହି କାଂପିଲ୍ୟମ୍ମାଙ୍କ ରହିବା ପାଇଁ ପିପ୍ପଳ ଗଛ ନିର୍ଣ୍ଣୟ କରିଥିଲେ । ଅଦ୍ୟାବଧି ବଡ ଦେଉଳ ରତ୍ନସିଂହାସନ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସହିତ ଅନ୍ୟ ଯେଉଁ ତିନି ଦେବଦେବୀ ପୂଜା ପାଆନ୍ତି, ତନ୍ମଧ୍ୟରୁ ଭୂଦେବୀ ବା ବସୁଧା ମାତା ଅନ୍ୟତମ । ଏହି ଭୂଦେବୀର ପୂଜା ଉପାସନାର ପରଂପରା ସମ୍ଭବତଃ କାଂପିଲ୍ୟମ୍ମାଙ୍କ ପୂଜା ଉପାସନାରୁ ସୃଷ୍ଟି ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଶବର ଉପାସିତ ଦାରୁଦେବତାର  ରୂପାନ୍ତର ଓ ଆଦିବାସୀ ଶବର ସମାଜ ଶ୍ରୀଜଗନ୍ନାଥଙ୍କ ଆଦି ସେବକ । ଏହି ଶବର ମାନଙ୍କର ୧୦ (ଦଶ) ପ୍ରକାର ଦେବତା ଯଥା- କିତୁଙ୍ଗ, ଜଗନ୍ତ, ତୋଡ, ତୁମନ, ଭୀମ, ଗର୍ସିଦ, ରାମଂ, ଯୋଜେପନ, ମଭ ଓ ତିତ ପ୍ରଭୃତିଙ୍କ ସହିତ ଦଶାବତାରର ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ । ଆଦିବାସୀ ଶବରମାନେ ଦାରୁରୂପୀ ଜଗନ୍ତ-ନାଥଙ୍କୁ ଜଗନ୍ନାଥ ଭାବରେ ଗ୍ରହଣ କରିନେଇଛନ୍ତି । ଜଗନ୍ତ ହେଉଛନ୍ତି ପ୍ରକୃତରେ ଶବର ଦେବତା । ଶାବରୀ ଭାଷାରେ ମଧ୍ୟ ‘କିତୁଙ୍ଗ’ କହିଲେ ଦେବତା (ଜଗତ୍ ନାଥ) । କିତୁଙ୍ଗଙ୍କର ଜଗନ୍ତ ଭଳି ୧୦ ଟି ରୂପ ଅଛି ବୋଲି ଶବରମାନେ କହନ୍ତି ।  
 ଆଦିମ ଅଧିବାସୀ ଶବରମାନଙ୍କ ଦେବତା ‘ଜଗନ୍ତ’ ଓ ‘କିତୁଙ୍ଗ’ ସମୟର ବିବର୍ତ୍ତନରେ ନାଗ, ନାଥ, ଜୈନ, ବୈାଦ୍ଧ, ଶୈବ, ଶାକ୍ତ, ବୈଷ୍ଣବ, ଗାଣପତ୍ୟ ଓ ଅନ୍ୟାନ୍ୟ ଶୂନ୍ୟବାଦୀ ମାନଙ୍କର ଆଗ୍ରହ ଓ ଲୋଭାସକ୍ତ ଦୃଷ୍ଟି ଆକର୍ଷଣ କରି ସେହିମାନଙ୍କ ହସ୍ତକ୍ଷେପ ଫଳରେ ଆଜି ମହାପ୍ରଭୁ ଜଗନ୍ନାଥ ରାଷ୍ଟ୍ରଦେବତାର ମର୍ଯ୍ୟାଦା ଲାଭ କରିଛନ୍ତି । ଶ୍ରୀଜଗନ୍ନାଥ ସର୍ବପ୍ରଥମେ ‘ଶବରୀ ନାରାୟଣ’ ରୂପରେ ଶବରମାନଙ୍କ ଦ୍ୱାରା ଉପାସିତ ହେଉଥିଲେ ବୋଲି ପରବର୍ତ୍ତୀ କାଳରେ ପଂଚଦଶ ଶତାବ୍ଦୀରେ ଆଦିକବି ସାରଳା ଦାସ ତାଙ୍କ ରଚିତ ମହାଭାରତର ମୂଷଳୀ ପର୍ବରେ ଉଲ୍ଲେଖ କରିଛନ୍ତି ଯଥା:- “ବିଧିପତି ନାମେ ଥିଲା ଏକଇ ଶବର, ଶ୍ରୀୟା ନାମ୍ନୀ ହୋଇ କରି ଦୁହିତା ତାହାର । ସେହି ଶବରୀକୁ ମୁଁ ହୋଇକରି ବିଭା, ଶ୍ରୀଶବରୀ ନାରାୟଣ ରୂପେ ହେଲି ଶୋଭା” । ଓଡିଶାର ପଶ୍ଚିମାଂଚଳରେ ଆଦିମ ଅଧିବାସୀ ଶବରମାନଙ୍କ ଦ୍ୱାରା ପ୍ରଥମେ ଏହି ଶବରୀ ନାରାୟଣ ପୂଜା ପାଉଥିଲେ ବୋଲି ଗବେଷକ ଜିତାମିତ୍ର ପ୍ରସାଦ ସିଂହଦେଓ ଉଲ୍ଲେଖ କରିଛନ୍ତି । ଶବରମାନେ ଶବରୀ ନାରାୟଣଙ୍କୁ ପୋଡପିଠା, ଚିତୋଉ ପିଠା ନୈବେଦ୍ୟ ଦେବା ପରଂପରାର ପ୍ରଭାବ ଏବେ ମଧ୍ୟ ପୁରୀ ଶ୍ରୀମନ୍ଦିରରେ ରହିଛି । ଶ୍ରୀଜଗନ୍ନାଥଙ୍କ ନିକଟରେ ଅଦାଗୁଡ ଭୋଗ, ମେଣ୍ଡାମୁଣ୍ଡିଆ ଖେଚୁଡି, ଦିଗବଳି ଦେବା ବିଧି ଏବେ ମଧ୍ୟ ପ୍ରଚଳିତ । ଏହି ‘ଶବରୀ ନାରାୟଣ’ପରବର୍ତ୍ତୀ କାଳରେ ମାଧବ ଉପାସନାରେ ରୂପାନ୍ତରିତ ହୋଇ ‘ନୀଳମାଧବ’ ରୂପେ ଓଡିଶାର ପ୍ରାଚୀ, ମହାନଦୀ ଓ ବୈତରଣୀ ଅବବାହିକାରେ ଉପାସିତ ହୋଇ ଆସୁଛନ୍ତି ଯାହା ପରବର୍ତ୍ତୀ କାଳରେ ବିଶ୍ୱାବସୁ ଉପାସିତ ‘ନୀଳମାଧବ’ ନାମରେ ପ୍ରସିଦ୍ଧି ଲାଭ କଲେ । ଏ ସମସ୍ତ ଧର୍ମ-ଦର୍ଶନ ଓ ମତବାଦର ବହୁ ଉଦ୍ଧ୍ୱର୍ରେ ମହାପ୍ରଭୁ ଜଗନ୍ନାଥ । ଅତଏବ  ଜଗନ୍ନାଥ ଇତିହାସ ଏ ଜାତିର ଇତିହାସ । ଜଗନ୍ନାଥ ହିଁ ଓଡିଆ ଜାତିର ସର୍ବସ୍ୱ । ବ୍ରାହ୍ମଣର ଉପାସ୍ୟ ଶବର ଦେବତା ଶ୍ରୀଜଗନ୍ନାଥଙ୍କଠାରେ  ଯୁଗ ଯୁଗ ଧରି ରହି ଆସିଥିବା ଆରୋପଜନିତ ମଳିନତାକୁ ତୁଟାଇ ସେ ହୋଇଛନ୍ତି ଜୀବନ୍ତ ଦେବତା-ଜୀବନ ନାଥ- ଜଗନ୍ନାଥ । ଶ୍ରୀଜଗନ୍ନାଥଙ୍କର ସୃଷ୍ଟି, ଉତ୍ପତ୍ତି, ଉପାସନା ଓ ତାର ବୈଶିଷ୍ଟ୍ୟ ସହିତ ଆଦିମ ଜାତିର ଶାବରୀ ସଂସ୍କୃତି ଓତପ୍ରୋତ ଭାବରେ ଜଡିତ । ସର୍ବମତ ସର୍ବଧର୍ମର ଊଦ୍ଧ୍ୱର୍ରେ ଜଗତର ନାଥ- ଶ୍ରୀଜଗନ୍ନାଥ ରୂପରେ ସମଗ୍ର ବିଶ୍ୱରେ ଆଜି ପରିଚିତ ଓ ପୂଜିତ ।
 ଖୋର୍ଦ୍ଧା,ମୋ:୬୩୭୦୬ ୭୫୫୬୨