ଶିଶୁକନ୍ୟା କୁକର୍ମ ମାମଲା : ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡାଦେଶ
ସମ୍ବଲପୁର : ସମ୍ବଲପୁରର ପୋକ୍ସୋ ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର ଅଦାଲତ ଏକ ନାବାଳିକା କୁକର୍ମ ମାମଲାର ବିଚାର କରି ଆଜି ଅଭିଯୁକ୍ତକୁ ୬ ପୋକ୍ସୋ ଆଇନ ବଳରେ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ହଜାର ଟଙ୍କା ଜରିମାନା ସହ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦୦୦ଟଙ୍କା ଜରିମାନା କରିଛନ୍ତି । ବିଚାରପତି ରୋହିତଲାଲ ପଣ୍ଡା ଅଭିଯୁକ୍ତ ମିଲନ ଖଡିଆକୁ ଦୋଷୀ ସାବ୍ୟସ୍ତ କରିବା ସହ ଏହି ରାୟ ଶୁଣାଇଛନ୍ତି । ୧୫ଜଣଙ୍କ ସାକ୍ଷ୍ୟ ଓ ବୟାନ, ୨୦ଟି ସାକ୍ଷ୍ୟ ଦସ୍ତାବିଜ ଅନୁଧ୍ୟାନ କରି ଏହି ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ବସନ୍ତ କୁମାର ମିଶ୍ର ଏହି ମାମଲା ପରିଚାଳନା କରୁଥିଲେ । ପ୍ରକାଶ ଯେ, ଗତ ୨୦୨୨ଅକ୍ଟୋବର ୧୮ତାରିଖ ଦିନ ଶାସନ ଥାନା ଅନ୍ତର୍ଗତ ନିଜ ଗାଁର ଘର ସମ୍ମୁଖରେ ୩ବର୍ଷୟା ନାବାଳିକା ଖେଳୁଥିଲେ । ଏହି ସମୟରେ ଅଭିଯୁକ୍ତ ମିଲନ ଖଡିଆକୁ ନାବାଳିକାକୁ ଏକାକି ପାଇ ଅନ୍ୟତ୍ର ଉଠାଇ ନେବା ସହ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ପୀଡିତାଙ୍କ ମାଆ ନିଜ ଝିଅକୁ ଖୋଜାଖୋଜି ଆରମ୍ଭ କରିଥିଲେ । ଏହି ସମୟରେ ନାବାଳିକା କାନ୍ଦିକାନ୍ଦି ଘରକୁ ଫେରୁଥିଲା । ଏହା ଦେଖି ପୀଡିତାଙ୍କ ମାଆ ଏ ସମ୍ପର୍କରେ ନାବାଳିକାକୁ ପଚରାଉଚରା କରିଥିଲେ ପରେ ନାବାଳିକା ଶରୀରରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା । ନିଷ୍କପଟ ନାବାଳିକାକୁ ପ୍ରଥମେ ପରମାଣପୁର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଘଟଣା ପରଦିନ ପୀଡିତାଙ୍କ ପରିବାର ପକ୍ଷରୁ ଶାସନ ଥାନାରେ ଏକ ଅଭିଯୋଗ ଦାୟର କରାଯାଇଥିଲା । ଏହାକୁ ଆଧାର କରି ପୁଲିସ ଏକ ପୋକ୍ସୋ ଦଫାରେ ଏକ ମାମଲା ଦାୟର କରି ତଦନ୍ତ କରିଥିଲା । ସେହିବର୍ଷ ଅଭିଯୋଗ ଫର୍ଦ୍ଦ କୋର୍ଟରେ ଦାଖଲ କରିଥିଲା । ଗତ ମାସ ୨୦ତାରିଖରେ ଏହି ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ରାୟକୁ ସଂରକ୍ଷିତ ରଖାଯାଇଥିଲା ।