ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ଦାବି

ସମ୍ବଲପୁର: ସମ୍ବଲପୁରୀ ଭାଷା ସଂସ୍କୃତିକୁ ଓଡ଼ିଶାର ମହତ୍ତ୍ୱପୂର୍ଣ୍ଣ ଅଂଶ ଓ ଗୈାରବ ରୂପେ ବିବେଚନା କରି ରାଜ୍ୟ ସରକାର ଏହାପ୍ରତି ଥିବା ନିଜର ସାମ୍ବିଧାନିକ ଦାୟିତ୍ୱ ନିର୍ବାହନ କରିବାକୁ ହୀରାଖଣ୍ଡ ସାମ୍ମୁଖ୍ୟ ଦାବି କରିଛି ।  ସାମ୍ମୁଖ୍ୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ସମ୍ବଲପୁରୀ ଭାଷା ରାଜ୍ୟର ଦେଢ଼ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ଭାଷା ଅଟେ । ଏହି ଭାଷାରେ ପ୍ରଚୁର ମାତ୍ରାରେ ସାହିତ୍ୟ ସୃଷ୍ଟି ହୋଇଛି । ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ସମ୍ବଲପୁରୀ ପୁସ୍ତକ ପ୍ରକାଶ ପାଉଛି । ବାର୍ଷିକ ୫୦ରୁ ଉର୍ଦ୍ଧ୍ୱ ସମ୍ବଲପୁରୀ ନାଟକ ରଚନା ଓ ମଞ୍ଚନ କରାଯାଉଛି । ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଗତ ସରକାର ଦୁଇଥର କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ସମ୍ବଲପୁରୀକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ଶୀର୍ଷକରେ ଜାରି ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରାଯାଇଥିଲା  । ତେଣୁ ରାଜ୍ୟ ସରକାର କାଳବିଳମ୍ବ ନ କରି ଏ ଦିଗରେ ଅଗ୍ରସର ହୋଇ ଡବଲ ଇଞ୍ଜିନ ସରକାରର ମହତ୍ତ୍ୱ ପ୍ରତିପାଦିତ କରନ୍ତୁ । ସମ୍ବଲପୁରୀ ଭାଷାକୁ ନେଇ ଗୈାରବର ଭାବନା ରଖି ସରକାର ଏହାକୁ ରାଜ୍ୟର ଦ୍ୱିତୀୟ ଭାଷାର ମର୍ଯ୍ୟାଦା ଦିଅନ୍ତୁ ।  ବିଭିନ୍ନ ଅଞ୍ଚଳର ପ୍ରତିନିଧିତ୍ୱ କରୁଥିବା ଓଡ଼ିଶା ରାଜ୍ୟ ସଙ୍ଗୀତ ଅଧିକ ତର୍କସଙ୍ଗତ, ପ୍ରଭାବଶାଳୀ ହେବ ଏବଂ ଆମପାଇଁ ଗ୍ରହଣୀୟ ହେବ  । ସବୁ ଅଞ୍ଚଳ ପ୍ରତି ସମାନ ଭାବନା ରଖି ଓଡ଼ିଶା ରାଜ୍ୟ ସଙ୍ଗୀତ ସୃଷ୍ଟି କରାଯାଉ  । ଭାରତବର୍ଷର ବିଭିନ୍ନ ରାଜ୍ୟରେ ଏକାଧିକ ଭାଷା, ସଂସ୍କୃତି ଓ ପରିଚୟ ବହନ କରୁଥିବା ଜାତି ମର୍ଯ୍ୟାଦା ସହିତ ରାଜ୍ୟର ପୃଷ୍ଠପୋଷକତାରେ ସମ୍ମାନ ପୂର୍ବକ ବସବାସ କରୁଛନ୍ତି । ଭୋଜପୁରୀ ଯେଭଳି ପ୍ରସ୍ଫୁଟିତ, ପଲ୍ଲବିତ ହେଉଛି, ସମ୍ବଲପୁରୀ ମଧ୍ୟ ସେଭଳି ମର୍ଯ୍ୟାଦା, ଆଦର ଓ ପ୍ରୋସôାହନ ପାଇବାର ହକଦାର । ସମ୍ବଲପୁରୀ ଐତିହ୍ୟ, ଭାଷା, ସଂସ୍କୃତି, ପରମ୍ପରା ଓ ପରିଚୟକୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ ସକଳ ପଶ୍ଚିମ ଓଡ଼ିଶାବାସୀ ସଚେତନ ଓ ଜାଗ୍ରତ ବୋଲି  ସାମ୍ମୁଖ୍ୟ ପକ୍ଷରୁ ଏହାର ସଭାପତି ରାମାନୁଜ ପଣ୍ଡା ଚେତାବନୀ ଦେଇଛନ୍ତି ।