ସଂକଳ୍ପ ଓ ପରିଶ୍ରମରର ଫଳ ମଧୁର: ସମ୍ବିତ
ପୁରୀ : କୋରାପୁଟର ଜୟପୁରରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ଲାଇନ୍ ମାଧ୍ୟମରେ ଓଡ଼ିଶାର ୧କୋଟି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି । ପୁରୀ ଜିଲ୍ଳାର ୪ଲକ୍ଷ ୭ହଜାର ୨୦୩ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ ୨୦୩କୋଟି ୬୦ଲକ୍ଷ ୧୫ହଜାର ଟଙ୍କା ଯାଇଛି । ସ୍ଥାନୀୟ ପୌରସଦନ ଠାରେ ଆୟୋଜିତ ସୁଭଦ୍ରା ଯୋଜନା ସଂପର୍କିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଡ଼ା. ସମ୍ବିତ ପାତ୍ର ଯୋଗଦେଇ କହିଥିଲେ ଯେ, ସରକାର ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଳନ କରୁଛନ୍ତି । ଯାହାର ଉଦାହରଣ ସୁଭଦ୍ରା ଅର୍ଥ ପ୍ରଦାନ । କୌଣସି ଅର୍ଥ ଛୋଟ ନୁହେଁ । ଏହାକୁ ଉପଯୋଗ କରିବାର ମାନସିକତା ହିଁ ଆକଶ୍ୟକ । ଦୃଢ ସଂକଳ୍ପ, ନିଷ୍ଠା ଓ ପରିଶ୍ରମର ଫଳ ସବୁ ସମୟରେ ମଧୁର ଓ ଶ୍ରେଷ୍ଠ ହୋଇଥାଏ । ସୁଭଦ୍ରା ଅର୍ଥ ପାଉଥିବା ସମସ୍ତ ହିତାଧିକାରୀ ଏହର ସଦୁପଯୋଗ କରି ସମାଜ ପାଇଁ ଆଦର୍ଶ ଓ ପ୍ରେରଣା ସୃଷ୍ଟି କରନ୍ତୁ ବୋଲି ଡ଼ା. ପାତ୍ର ନିବେଦନ କରିଥିଲେ । ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ର ଓ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ସୁଭଦ୍ରା ଯୋଜନା ଆଜି ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧି ସହ ଆତ୍ମବିଶ୍ୱାସ ସୃଷ୍ଟିରେ ସହାୟକ ହୋଇପାରିଛି । ସୁଭଦ୍ରା ଯୋଜନା ମାଧ୍ୟମରେ ଲକ୍ଷପତି ହେବାରେ ସମଗ୍ର ଦେଶରେ ଓଡ଼ିଶା ଶ୍ରେଷ୍ଠ ହୋଇଛି । ତୃତୀୟ କିସ୍ତି ଅର୍ଥର ସଫଳ ବିନିଯୋଗ ପାଇଁ ସେମାନେ ଅନୁରୋଧ କରିଥିଲେ । ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ା ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସୁଭଦ୍ରା ଯୋଜନାର ସଫଳ ହିତାଧିକାରୀ କଣାସ ବ୍ଲକର ସୁଭଦ୍ରା ଜେନା ଓ ପିପିଲି ବ୍ଲକର ଲିଲି ଖଟୋଇ ନିଜ ସଫଳତା ସଂପର୍କରେ ବଖାଣିଥିଲେ ।