ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ ସଭାରେ ପରିଣତ କରିବା ନିନ୍ଦନୀୟ
ଭଣ୍ଡାରିପୋଖରୀ: ରାଜ୍ୟ ସରକାରଙ୍କ ଦ୍ୱାରା ବୁଧବାର କରାଯାଇଥିବା ବିକଶିତ ଓଡ଼ିଶା ସରକାରୀ କାର୍ଯ୍ୟକ୍ରମକୁ ଭଣ୍ଡାରିପୋଖରୀ ବିଡିଓ ନିଜର ସୁରକ୍ଷା ପାଇଁ ବିଜେପିର ଦଳୀୟ କାର୍ଯ୍ୟକ୍ରମକୁ ରୁପାନ୍ତରିତ କରାଇବା ନିନ୍ଦନୀୟ ବୋଲି ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ସୁବ୍ରତ ଦାସ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସମାଲୋଚନା କରିଛନ୍ତି । କଂଗ୍ରେସ ନେତା ସୁବ୍ରତ ଦାସଙ୍କ ପକ୍ଷରୁ କୁହାଯାଇଛି ଯେ, ଭଣ୍ଡାରିପୋଖରୀ ବିଡିଓ ପୂର୍ବ ସରକାର ସମୟରେ ବିଜେଡିର ସଂଗଠନ ପାଇଁ କାମ କରି ଅନେକ ଦୁର୍ନୀତିରେ ଲିପ୍ତ ରହିଛନ୍ତି । ଏବେ ନିଜର ସୁରକ୍ଷା ପାଇଁ ବିଜେପି ନିକଟରେ ବନ୍ଧା ପଡ଼ିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ନିଜର ପଦ ମର୍ଯ୍ୟାଦା ଉଲ୍ଲଙ୍ଘନ କରିବାସହ ସରକାରୀ ଅର୍ଥ ଖର୍ଚ୍ଚକରି ମଞ୍ଚରେ ବିଜେପିର ଦଳୀୟ କର୍ମୀଙ୍କୁ ବସାଇ ସଭା କରାଇବା ଲଜ୍ଜାଜନକ କଥା । ବ୍ଲକରେ ଉନ୍ନୟନ ମୂଳକ କାର୍ଯ୍ୟରେ ହେରଫେର, ବିଭିନ୍ନ ଯୋଜନାରେ ହିତାଧିକାରୀ ଚୟନରେ ତ୍ରୁଟି ଓ ପିସି କାରବାର ଚାଲିଥିବାବେଳେ ବିଜେପି ସହ ସାଲିସ୍ କରିବା ପାଇଁ ବିଡିଓଙ୍କ ଏହି ହୀନ ଉଦ୍ୟମ ଅତ୍ୟନ୍ତ ନିନ୍ଦନୀୟ । କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧି, ସରକାରୀ ଅଧିକାରୀଙ୍କୁ ଉପେକ୍ଷା କରାଯାଇ, ବିଜେପିର କର୍ମୀଙ୍କୁ ମଞ୍ଚରେ ବସାଇବା ଭୁଲ ବୋଲି ଦର୍ଶାଇ ସୁବ୍ରତ ଦାସ ଏହାର ନିନ୍ଦା କରିଛନ୍ତି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
