ସରକାରୀ ଜମିରେ ବେସରକାରୀ ଘର

 ଦାନଗଦୀ : ସରକାରୀ ଜମିରେ ଚାଲିଛି ବେସରକାରୀ ଘର । କିନ୍ତୁ ଆଶ୍ଚର୍ଯ୍ୟର କଥା ଦାନଗଦୀ ତହସିଲ କାର୍ଯ୍ୟାଳୟ ନିଶତଳେ  ଘର ନିର୍ମାଣ ଚାଲିଥିଲେ ବି ପାଟି ଫିଟାଉ ନାହାନ୍ତି । ସରକାରୀ ଜମିରେ ଦିନରାତି ଘର ନିର୍ମାଣ ଚାଲିଛି । ଏଭଳି ଦୃଶ୍ୟ ଦାନଗଦୀ ତହସିଲ ଅନ୍ତର୍ଗତ ସୋଲେଇ ଗାଁରେ ଦେଖିବାକୁ ମିଳିଛି । ଏହି ଗାଁରେ ଏକାଧିକ ଘର ସରକାରୀ ଜମି ଉପରେ ନିର୍ମାଣ ଚାଲିଛି । ତହସିଲ ଅଫିସ ଏହି ଗାଁରେ ଥିବା ବେଳେ ଅଧିକାରୀ ମାନେ ସବୁ ଦେଖି ଆଖି ବୁଜି ଦେଇଛନ୍ତି । ଅଭିଯୋଗ ମତେ ସୋଲେଇ ଗାଁରେ ଖାତା ନମ୍ବର ୫୦୧ ପ୍ଲଟ ନମ୍ବର ୨୯୨/୨୧୪୯ରେ ବେଆଇନ ଭାବେ ନୂତନ ଗୃହ ନିର୍ମାଣ ଚାଲିଛି । ତ୍ରିଜଙ୍ଗା ପଞ୍ଚାୟତରେ ଗତ ମାସ ୯ତାରିଖରେ ପାଞ୍ଚଟି ଘର ନିର୍ମାଣ ଚାଲୁଥିବା ବେଳେ ଓ ଦୁଇଟି ଘର ନିର୍ମାଣ ସରିଲାଣି । କିଛି ଦିନ ତଳେ ପ୍ରଶାସନ ଉଚ୍ଛେଦ କରି ଗୋଟିଏ ଦୁଇଟି ଘର ଭାଙ୍ଗିଥିଲା । ସେତେବେଳେ ତହସିଲଦାର କହିଥିଲେ ସରକାରୀ ଜମିରେ ଯିଏ ଦଖଲ କରି ନିର୍ମାଣ ଆରମ୍ଭ କରିବ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ମାତ୍ର ମାସଟିଏ ଯାଇନାହିଁ ପୁନର୍ବାର ସରକାରୀ ଜମିରେ ଘର ନିର୍ମାଣ ଚାଲିଛି । ତହସିଲ ଇଲାକାରେ ରୋହିଙ୍ଗିଆ, ବାଂଲାଦେଶୀ ଆସି ଜମି ଦଲାଲଙ୍କ ଜରିଆରେ ସରକାରୀ ବାବୁଙ୍କୁ ହାତ କରି ଲକ୍ଷାଧିକ ଟଙ୍କାରେ ସରକାରୀ ଜମି କିଣି ଘର କରି ରହୁଛନ୍ତି । କିଛି ଦିନ ରହିଲା ପରେ ଆଧାର ଓ ଭୋଟର କାର୍ଡ଼ ହାତେଇବାରେ ସଫଳ ହେଉଛନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅନାବାଦୀ, ଗୋଚର, ଜଙ୍ଗଲ ଜମିରେ ଚାଲିଥିବା ବେଆଇନ ଘରକୁ ଉଚ୍ଛେଦ କରିବାକୁ ଦାବି କରାଯାଇଛି  ।