ସହଦେବ ହତ୍ୟାକାଣ୍ଡ ଘଟଣା ରହସ୍ୟ : ଉନ୍ମୋଚନ କରୁ ପୁଲିସ୍: ସୁଶାନ୍ତ

 ଭୁବନେଶ୍ୱର:  ସହଦେବ ହତ୍ୟାକାଣ୍ଡକୁ ନେଇ ଆଜି ସରକାରଙ୍କ ଉପରେ ବର୍ଷିଛି ବିଜେଡ଼ି  । ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦେବା ସହ ଘଟଣାର ରହସ୍ୟ ଉନ୍ମୋଚନ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି  ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ,ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଓ ବିଧାୟକ ସୁଶାନ୍ତ ରାଉତ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଗତକାଲି ଘଟିଥିବା ସଫେଇ କର୍ମଚାରୀ ସଙ୍ଘର ସଭାପତି ସହଦେବ ନାୟକଙ୍କ ବୀଭତ୍ସ ହତ୍ୟା ଘଟଣାରେ ସମ୍ପୃକ୍ତ ଷଡ଼ଯନ୍ତ୍ରକାରୀଙ୍କୁ ପୋଲିସ ଖୋଜି ବାହାର କରିବାର ଆବଶ୍ୟକ ଅଛି ବୋଲି କହିବା ସହିତ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ସହ ତାଙ୍କ ପତ୍ନୀଙ୍କୁ ଚାକିରୀ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । 
ବିଧାୟକ ଶ୍ରୀ ଜେନା କହିଥିଲେ ଯେ, ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଚାଲିଥିବା ବେଳେ, ଜଣେ ପୋଲିସ ମିତ୍ରଙ୍କ ବୀଭତ୍ସ ହତ୍ୟାକାଣ୍ଡ ରାଜ୍ୟର ବିପର୍ଯ୍ୟସ୍ତ ଆଇନ୍ଶୃଙ୍ଖଳା ସ୍ଥିତିକୁ ଦର୍ଶାଉଛି  । ଯଦି ଜଣେ ପୋଲିସ ମିତ୍ରଙ୍କୁ ସୁରକ୍ଷା ଦେବାରେ ପୋଲିସ ବିଫଳ ହେଉଛି ତାହେଲେ ସାଧାରଣ ଲୋକଙ୍କୁ ପୋଲିସ କିପରି ସୁରକ୍ଷା ପ୍ରଦାନ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି  । ସେହିପରି ଏହି ହତ୍ୟା ଘଟଣାରୁ ରାଜ୍ୟରେ ବ୍ରାଉନ ସୁଗାର ବେପାର ଅହେତୁକ ଭାବେ ବୃଦ୍ଧି ପାଇଛି ବୋଲି ସ୍ପଷ୍ଟ ହୋଇଛି  । ହତ୍ୟାରେ ବ୍ରାଉନ ସୁଗାର ବେପାରୀଙ୍କ ସମ୍ପୃକ୍ତି ରହିଥିବା ସ୍ପଷ୍ଟ ହୋଇଛି  । 
ମେୟର ସୁଲୋଚନା ଦାସ କହିଥିଲେ, ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଥିବାରୁ, ଭୁବନେଶ୍ୱର ମେୟର ଭାବେ ମୁଁ ଲଜ୍ଜିତ ଓ ମର୍ମାହତ  । ସହଦେବ ନାୟକ ସଫେଇ କର୍ମଚାରୀ ସଙ୍ଘର ସଭାପତି ଭାବେ ଭୁବନେଶ୍ୱରକୁ ପରିଷ୍କାର ପରିଛନ୍ନ ରଖିବା କାର୍ଯ୍ୟରେ ନେତୃତ୍ୱ ନେଉଥିଲେ  । 
ବିଧାୟକ ସୁଶାନ୍ତ ରାଉତ କହିଥିଲେ, ସହରରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଆସିବାକୁ ଥିବା ବେଳେ ନିରାପତ୍ତା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା  । ଏଭଳି ହତ୍ୟାକାଣ୍ଡ ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ  । ତେଣୁ ପୋଲିସ ଘଟଣାର ରହସ୍ୟକୁ ଉନ୍ମୋଚନ କରିବା ସହିତ ଷଡ଼ଯନ୍ତ୍ରକାରୀଙ୍କୁ ମଧ୍ୟ ଲୋକଲୋଚନକୁ ଆଣୁ ବୋଲି ସେ ଦାବି କରିଛନ୍ତି  ।