ସହର ହୋଇଛି ଉସବ ମୁଖର
ାା କଟକରୁ ପ୍ରଣବ କୁମାର ନନ୍ଦୀ ।ା
ଆସିଛି ରଜ । ସହରର ବାତାବରଣ ବଦଳିଛି । ଖରା ଆଉ ମେଘର ଲୁଚକାଳି ମଧ୍ୟରେ ରଜ ଅବସରରେ ରୌପ୍ୟ ନଗରୀ ହୋଇଛି ଉସôବ ମୁଖର । ପିଠା, ମିଠା, ମନ୍ଦିର ଦର୍ଶନ ଏବଂ ସେଲଫିରେ ଆଜି ଜମିଛି ପହିଲି ରଜ । ସାରା ସହରରେ ବିଭିନ୍ନ ଅନୁଷ୍ଠାନ ଏବଂ ସାହି ବସ୍ତିରେ ଧୁମଧାମରେ ପାଳନ କରାଯାଇଥିଲା ରଜର ପ୍ରଥମ ଦିନ । ମନ୍ଦିର ଦର୍ଶନରୁ ଆରମ୍ଭ କରି ସିନେମା ଦେଖା ପର୍ଯ୍ୟନ୍ତ, ଦୋଳି ଝୁଲିବା ଠାରୁ ଆରମ୍ଭ କରି ରିଙ୍ଗବନ୍ଧରେ ବୁଲାବୁଲି ଯାଏ ଏବଂ ସାହି ବସ୍ତିରେ ଏକତି୍ରତ ହୋଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଂଗାରଂଗ କାର୍ଯ୍ୟକ୍ରମ ପରିବେଷଣ ଭିତରେ ରଜର ମହକ ବାରିହୋଇ ପଡ଼ିଥିଲା । ଆଜି ସହରରେ ରଜ ପାଗ ଅନୁଭୂତ ହୋଇଥିଲା । ଯୁବକ ଯୁବତୀମାନେ ସହରରେ ରଜ ଅବସରରେ ବୁଲାବୁଲି କରିଥିଲେ । ନେତାଜୀ ମ୍ୟୁଜିୟମ, ବାରବାଟୀ ଦୁର୍ଗ, ବାଲିଯାତ୍ରା ପଡ଼ିଆ, ଯୋବ୍ରା ମାରିଟାଇମ ମୁ୍ୟଜିୟମ ଓ ମହାନଦୀ ନୌକା ବିହାର ଭଳି ସହରର ବିଭିନ୍ନ ଦର୍ଶନୀୟ ସ୍ଥାନରେ ପ୍ରବଳ ଗହଳି ଲାଗିଥିଲା । ସେହିପରି ରଜର ପ୍ରଥମ ଦିନରେ ଚଣ୍ଡୀ ମନ୍ଦିର, ଗଡ଼ଗଡ଼େଶ୍ୱର ମନ୍ଦିର, ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର ଓ ଖାନନଗର ଜଗନ୍ନାଥ ମନ୍ଦିର ଭଳି ସାରା ସହରରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରରେ ସହରବାସୀ ପୂଜାର୍ଚ୍ଚନା କରିଥିଲେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଝୋଟି ପକାଇବା, ସଂଗୀତ ପ୍ରତିଯୋଗିତା, ସାହିତ୍ୟ ଆସର ଏବଂ ଖେଳକୁଦ ପ୍ରତିଯୋଗିତା କରାଯାଇଥିଲା । ବିଶେଷ କରି ବସ୍ତିଗୁଡ଼ିକରେ ରଜ ପର୍ବ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ସହିତ ରଜ ଦୋଳିର ମଜା ନେଇଥିଲେ ଯୁବତୀ ତଥା ମହିଳାମାନେ । ସହରରେ ସାଙ୍ଗସାଥୀଙ୍କ ମେଳରେ ଝିଅମାନେ ଦୋଳିଖେଳ ସହିତ ଶୁଣା ଯାଉଛି ରଜଗୀତର ମିଠା ସ୍ୱର । ପାଦରେ ଅଳତା, ମଥାରେ କୁଙ୍କୁମ ଏବଂ ନବବସ୍ତ୍ର ପରିଧାନ କରି ଝିଅ ଓ ମହିଳାମାନେ ରଜପର୍ବର ମଜା ଉଠାଇଥିଲେ । ରିଙ୍ଗ ବନ୍ଧ ସମେତ ସହରର ବିଭିନ୍ନ ସ୍ଥାନରେ ରଜପାନର ସ୍ୱାଦ ନେବାକୁ ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଥିଲା । ସହରର ବିଭିନ୍ନ ସ୍ଥାନରେ ତାସ, ଲୁଡ଼ୁ ଓ କବାଡ଼ି ଖେଳର ଆସର ଜମିଥିଲା । ରଜ ଉପଲକ୍ଷେ ସହରର ଦୋକାନଗୁଡ଼ିକରେ ପୋଡ଼ପିଠା ବିକି୍ର୍ର ହେଉଛି । ରଜ ପାଇଁ ବଡ଼ ବଡ଼ ସପିଙ୍ଗ ମଲ ସମ୍ମୁଖରେ ବ୍ୟବସାୟୀମାନେ ମେହେନ୍ଦି ପସରା ମେଲାଇଛନ୍ତି । ଗୋଟିଏ ହାତ ପିଛା ମେହେନ୍ଦି ଦର ୨୦୦ ଟଙ୍କା ରହିଥିବାବେଳେ ଡିଜାଇନ ଅନୁଯାୟୀ ମଧ୍ୟ ଦର ରହିଛି । ସହରର ବିଭିନ୍ନ ସ୍ଥାନରେ ରଜରେ ମିଠାପାନ ଖାଇବାକୁ ଲୋକମାନେ ବେଶ ପସନ୍ଦ କରିଥାନ୍ତି । ଏଥିପାଇଁ ସହରର ଅନେକ ସ୍ଥାନରେ ସ୍ୱତନ୍ତ୍ର ରଜପାନ ବିକି୍ର ହେଉଛି । ଯେଉଁଥିରେ ପାନ ଗୋଟାକ ୧୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ମିଠା ପାନ ଗୋଟା ୧୦ଟଙ୍କା, କାଜୁ ପିସ୍ତା ପାନ ୩୦ ଟଙ୍କା, ଚକଲେଟ ପାନ ୫୦ଟଙ୍କା, ଫାୟାର ଓ ବନାରସୀ ପାନ ୪୦ଟଙ୍କା, ଏ ୱାନ ସ୍ପେଶାଲ ରଜପାନ ଦର ଗୋଟା ୧୦୦ଟଙ୍କା ରହିଛି । ରଜ ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଡ଼ପିଠା ବିକି୍ର ହେଉଛି । ପୋଡ଼ପିଠା କିଲୋ ୪୦୦ଟଙ୍କା ରହିଛି । ଏହାଛଡ଼ା ମଣ୍ଡା, କାକରା ଓ ଆରିସା ପିଠା ଗୋଟା ୨୦ ଟଙ୍କା ରହିଛି । ଆସନ୍ତା କାଲି ମଝି ରଜ ବା ରଜ ସଂକ୍ରାନ୍ତି ଅନୁଷ୍ଠିତ ହେବ ।